ପଦୋନ୍ନତିରେ ଲାଗିଲା ରୋକ୍: ଡେପୁଟି ରେଞ୍ଜରରୁ ଫରେଷ୍ଟର ହେବେ ୪୮ଜଣ

ବଲାଙ୍ଗୀର : ଫରେଷ୍ଟରରୁ ଡେପୁଟିରେଞ୍ଜର ପଦବିକୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର। ପଦୋନ୍ନତି ପାଇ ଡେପୁଟିରେଞ୍ଜର ହୋଇ ବହୁ ଦିନ ହେଲା କାମ ବି କରୁଛନ୍ତି। ହେଲେ ହଠାତ୍‌ ପଦୋନ୍ନତିରେ ରୋକ୍‌ ଲାଗିଛି। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୪୮ଜଣ ଡେପୁଟିରେଞ୍ଜର ପୁଣି ନିଜ ପୂର୍ବ ପଦବି ତଥା ଫରେଷ୍ଟର ପଦକୁ ଫେରିବେ। ରାଜ୍ୟ ବନ ବିଭାଗ ମୁଖ୍ୟାଳୟ ପିସିସିଏଫ୍‌ଙ୍କ ଚିଠି ନଂ-୧୦୨୪/ ୮.୧୦.୨୦୨୧ରେ ଏହି ନିର୍ଦେଶନାମା ବାହାରିବା ପରେ ବନ ଅଧିକାରୀଙ୍କ ଭିତରେ ଆଲୋଚନାର ବିଷୟ ହୋଇଛି। ୨୦୦୭ ମସିହାରେ ନିଯୁକ୍ତି ପାଇଥିବା ୪୮ଜଣ ଡେପୁଟିରେଞ୍ଜରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ୍‌।

ସୂଚନାଯୋଗ୍ୟ ଯେ ୨୦୦୭ ମସିହାରେ ଠିକାଭିତ୍ତିରେ ନିଯୁକ୍ତି ପାଇଥିବା ୫୬ ଜଣ ଫରେଷ୍ଟର ୨୦୧୭-୧୮ ବର୍ଷରେ ପଦୋନ୍ନତି ପାଇଥିଲେ। ୨୦୦୭ରେ ଠିକା ଭିତ୍ତିରେ ନିଯୁକ୍ତି ପାଇବା ପରେ ସେମାନେ ସବୁ ୨୦୧୩ ମସିହାରେ ସ୍ଥାୟୀ ହୋଇଥିଲେ। ୨୦୦୭ରୁ ହିଁ ବରିଷ୍ଠତା ହିସାବ ହୋଇ ୨୦୧୭-୧୮ରେ ପଦୋନ୍ନତି ଦିଆଯାଇଥିଲା। ୨୦୧୩ରୁ ବରିଷ୍ଠତା ହିସାବ ହେବା ସଂପର୍କରେ କିଛି ମାସ ତଳେ କଥା ଉଠିଥିଲା। ଏହାପରେ କେତେ ଜଣ ଡେପୁଟିରେଞ୍ଜର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ଯେଉଁମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସେମାନଙ୍କ ମାମଲା ବିଚାରାଧୀନ ଥିବାରୁ ସେମାନଙ୍କୁ ବାଦ୍‌ ଦେଇ ବାକି ୪୮ଜଣଙ୍କୁ ପୂର୍ବରୁ ଥିବା ଫରେଷ୍ଟର ପଦକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର