ଅକ୍ଟୋବରରୁ ବନ୍ଦ ପଡିଛି ଏଫଆରଏ ସେଲ୍: ପଟ୍ଟା ପାଇବାରୁ ବଞ୍ଚିତ ଭୂମିହୀନ ଆଦିବାସୀ

ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର କାର୍ଯ୍ୟାଦେଶ, ଅନୁମୋଦନ ଅପେକ୍ଷାରେ ୪୮୪୧ ଆବେଦନ  

ରାୟଗଡ଼ା: ଭୂମିହୀନ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ତହସିଲସ୍ତରରେ କାର୍ଯ୍ୟ କରୁଥିବା ଫରେଷ୍ଟ ରାଇଟ୍ ଆକ୍ଟ୍ ସେଲ୍ (ଏଫଆରଏ) କୁ ବନ୍ଦ କରି ଦେଇଛନ୍ତି ରାଜ୍ୟ ସରକାର। ଅକ୍ଟୋବର ୩୧ ପରଠାରୁ ଜିଲ୍ଲାର ୧୧ ତହସିଲରେ ଏହି ସେଲ୍ ଆଉ କାମ କରୁନଥିବାରୁ ଶହ ଶହ ଆବେଦନକାରୀ ନିରାଶ ହୋଇ ପଡିଛନ୍ତି। ପଟ୍ଟା ମିଳିବାରେ ବିଳମ୍ବ ଯୋଗୁ ସରକାରୀ ସୁବିଧା ସୁଯୋଗରୁ ଆଦିବାସୀ ବଞ୍ଚିତ ହେବା ସହ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାର କାର୍ଯ୍ୟାଦେଶ ମିଳିପାରୁନି।

ଜଙ୍ଗଲ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ସରକାରଙ୍କ ନିଷ୍ପତ୍ତି ମୁତାବକ ଆବେଦନକାରୀଙ୍କୁ ପଟ୍ଟା ପ୍ରଦାନ ପାଇଁ ପ୍ରତି ତହସିଲ ସ୍ତରରେ ଏଫଆରଏ ସେଲ୍ ଖୋଲିଥିଲେ। ଏଫଆରଏ ସେଲରେ ଜଣେ ଡାଟା ଏଣ୍ଟ୍ରି ଅପରେଟର୍, ଜଣେ ଅମିନ୍ ଓ ଜଣେ କୋ-ଅର୍ଡିନେଟରକୁ ନିଯୁକ୍ତି ଦିଆଯାଇଥିଲା। ଆବେଦନକୁ ଏଫଆରଏ ସେଲ୍ ଯାଞ୍ଚ କରିବା ପରେ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ପଟ୍ଟା ପ୍ରଦାନ କରାଯାଉଥିଲା। ଆବେଦନକାରୀ ପାଇଥିବା ଜଙ୍ଗଲ ଜମି ପଟ୍ଟାରେ ସେମାନେ କେବଳ ଭୋଗ ଦଖଲ କରିପାରିବେ। ଉକ୍ତ ଜମି ବିକ୍ରି କିମ୍ବା ହସ୍ତାନ୍ତର ଯୋଗ୍ୟ ନୁହେଁ। ଏଥି ସହିତ ପଟ୍ଟାକୁ ପ୍ରମାଣପତ୍ର ଭାବେ ବ୍ୟବହାର କରି ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବା ପାଇଁ ସରକାର ନିୟମ ପ୍ରଣୟନ କରିଥିଲେ।

୨୦୨୨ ଅକ୍ଟୋବର ସୁଦ୍ଧା ଜିଲ୍ଲାର ୧୧ ତହସିଲରୁ ୨୬ ହଜାର ୭୬୧ ହିତାଧିକାରୀ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରିଥିବା ଜଣା ପଡିଛି। ‌ସେଥି ମଧ୍ୟରୁ ୧୮ ହଜାର ୬୩୫ ଆବେଦନର ସୀମା ଚିହ୍ନଟିକରଣ ସରିଛି। ୮ ହଜାର ୧୨୬ ଆବେଦନ ଅନୁମୋଦନ ଅପେକ୍ଷାରେ ପଡିଛି। ଏଫଆରଏ ସେଲ୍ ବନ୍ଦ ଯୋଗୁ ଅନୁମୋଦନ ପାଇଁ ପଡିଥିବା ଆବେଦନ ପତ୍ରର ଯାଞ୍ଚ ହୋଇପାରୁନି। ବାରମ୍ବାର ହିତାଧିକାରୀ ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ଛଡା କୌଣସି ସୁଫଳ ପାଇପାରୁନାହାନ୍ତି। ବହୁ ହିତାଧିକାରୀ ଜଙ୍ଗଲ ଜମି ପଟ୍ଟା ପାଇବାରେ ବିଳମ୍ବ ହେଉଥିବାରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ କାର୍ଯ୍ୟାଦେଶ ପାଇପାରୁନାହାନ୍ତି। ୭୫ ବର୍ଷ ଧରି ବସବାସ କରୁଥିବା ବ୍ୟକ୍ତି ଏହି ପଟ୍ଟାକୁ ଘରବାରି ପଟ୍ଟାରେ ମଧ୍ୟ ପରିବର୍ତ୍ତନ କରିବାର ନିୟମ ରହିଛି। ପରିଚୟ ପତ୍ର ହିସାବରେ ମଧ୍ୟ ଏହି ପଟ୍ଟା ବ୍ୟବହୃତ ହେଉଥିବାରୁ ହିତାଧିକାରୀଙ୍କ ପିଲାଙ୍କ ପାଠ ପଢ଼ିବାଠୁ ଆରମ୍ଭ କରି ଅନ୍ୟ କ୍ଷେତ୍ରରେ ଦରକାର ସମୟରେ ନାହିଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ମିଳିଥିବା ସୂଚନା ମୁତାବକ ଅନୁମୋଦନ ଅପେକ୍ଷାରେ ପଡିଥିବା ୮୧୨୬ ଆବେଦନ ମଧ୍ୟରୁ ୪୮୪୧ ଗୋଷ୍ଠୀଗତ ଓ ୪୧୮୨ ବ୍ୟକ୍ତିଗତ। ଚନ୍ଦ୍ରପୁର ତହସିଲରେ ସର୍ବାଧିକ ୨୫୯୧ ବ୍ୟକ୍ତିଗତ ଓ ୫୮୮ ଗୋଷ୍ଠୀଗତ ଆବେଦନ ପଡିଛି। ଗୁଡାରି ତହସିଲରେ ୧୨୩୩ ଗୋଷ୍ଠୀଗତ, ୩୮୫ ବ୍ୟକ୍ତିଗତ, ରାମନାଗୁଡା ତହସିଲରେ ୮୦ ଗୋଷ୍ଠୀଗତ, ୯୭ ବ୍ୟକ୍ତିଗତ, କୋଲନରା ତହସିଲରେ ୭୭୮ ଗୋଷ୍ଠୀଗତ, ୧୩୫ ବ୍ୟକ୍ତିଗତ, ଗୁଣପୁରରେ ତହସିଲରେ ୧୧୦୮ ଗୋଷ୍ଠୀଗତ, ମୁନିଗୁଡ଼ା ତହସିଲରେ ୩୪୮ ଗୋଷ୍ଠୀଗତ, ବିଷମକଟକ ତହସିଲରେ ୭୦୬ ଗୋଷ୍ଠୀଗତ, ପଦ୍ମପୁର ତହସିଲରେ ବ୍ୟକ୍ତିଗତ ୧୯୧, କଲ୍ୟାଣସିଂହପୁର ତହସିଲରେ ୩୦୬ ବ୍ୟକ୍ତିଗତ, କାଶୀପୁର ତହସିଲରେ ୪୭୭ ବ୍ୟକ୍ତିଗତ ଆବେଦନ ପଡିଛି। କେବଳ ରାୟଗଡ଼ା ତହସିଲରେ କୌଣସି ଆବେଦନ ଅନୁମୋଦନ ଅପେକ୍ଷାରେ ନଥିବା ଜଣା ପଡିଛି। ୩୨୮୫ ଆବେଦନ ପାହାଡ କିସମ ଏବଂ କେସ୍ ରେକର୍ଡ ମିଶୁନଥିବା କାରଣରୁ ଫେରିଯାଇଛି।

ସମ୍ବନ୍ଧିତ ଖବର