ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଉପକୂଳ ରାଜପଥ ଟାଙ୍ଗୀଠାରୁ ରତନପୁର ଓ ରତନପୁରଠାରୁ ଦୀଘା ପର୍ଯ୍ୟନ୍ତ ରହିଛି। ଟାଙ୍ଗୀଠାରୁ ରତନପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ଉପକୂଳ ରାଜପଥ ଜାତୀୟ ରାଜମାର୍ଗ ପ୍ରାଧିକରଣଙ୍କ ଭୂମି ଅଧିଗ୍ରହଣ କମିଟିର ଅନୁମୋଦନ ଲାଭ କରିଛି। ପ୍ରକଳ୍ପ ପାଇଁ ୪୮୨ ହେକ୍ଟର ଜମି ଅଧିଗ୍ରହଣ ପାଇଁ ଥ୍ରିଡି ବିଜ୍ଞପ୍ତି ହୋଇଛି। ଜଗତସିଂହପୁର ଜିଲ୍ଲା ଦେଇ ଯାଉଥିବା ଆଲାଏନମେଣ୍ଟର ଅନୁମୋଦନ ଏବେ କର୍ତୃପକ୍ଷଙ୍କ ବିଚାରାଧୀନ ରହିଛି। ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୪୮୭୩ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

Advertisment

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମଲ୍ଲିକ କହିଛନ୍ତି, ଡିପିଆର ପ୍ରସ୍ତୁତି ପରେ ଏହାର ଅଟକଳ ମୂଲ୍ୟ ନିର୍ଦ୍ଦିଷ୍ଟ ହୋଇପାରିବ। ପ୍ରକଳ୍ପ ‌ଅନୁମୋଦନ ହେବା ପରେ ଏହାର ନିର୍ମାଣ ସମୟସୀମା ଧାର୍ଯ୍ୟ ହେବ। ସେହିପରି ରତନପୁରଠାରୁ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ ଉପକୂଳ ରାଜପଥର ଅନୁମୋଦନ ଜାତୀୟ ରାଜମାର୍ଗ ପ୍ରାଧିକରଣଙ୍କ ଭୂମି ଅଧିଗ୍ରହଣ କମିଟିର ବିଚାରାଧୀନ ରହିଛି। ଆବଶ୍ୟକ ଅନୁମୋଦନ ମିଳିବା ପରେ ବ୍ୟୟ ଅଟକଳ, ଜମି ଅଧିଗ୍ରହଣ ତଥା ପ୍ରକଳ୍ପ ନିର୍ମାଣ ସମୟସୀମା ସ୍ଥିର ହେବ ବୋଲି ସେ କହିଛନ୍ତି।

ସମବାୟ ବ୍ୟାଙ୍କ ଦୁର୍ନୀତି ୭୮୦୩ କୋଟି

ଭୁବନେଶ୍ବର: ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ସହରାଞ୍ଚଳ ସମବାୟ ବ୍ୟାଙ୍କରେ ଏ ପର୍ଯ୍ୟନ୍ତ ୭୮୦୩ କୋଟି ୯୮ ଲକ୍ଷ ଟଙ୍କାର ଋଣ ଜାଲିଆତି ଏବଂ ଅନିୟମିତତା ହୋଇଥିବା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସ୍ବୀକାର କରିଛନ୍ତି। ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୮ ସୁଦ୍ଧା ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକରେ ଋଣ ଜାଲିଆତି ଓ ଅନିୟମିତତାର ପରିମାଣ ଥିଲା ୪୨୨୫ କୋଟି ୧୭ ଲକ୍ଷ ଟଙ୍କା। ୨୦୧୮ ପରେ ଏ ପର୍ଯ୍ୟନ୍ତ ଆଉ ୧୭୩୩ କୋଟି ୯୬ ଲକ୍ଷ ଟଙ୍କାର ଅନିୟମିତତା ହୋଇଛି। ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକରେ ସେହି ଅନିୟମିତତାର ପରିମାଣ ୧୮୪୫ କୋଟି ୮୫ ଲକ୍ଷ ଟଙ୍କା। ଏଭଳି ଅନିୟମିତତା ପାଇଁ କେତେ ଜଣ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିମ୍ବା ଫୌଜଦାରି ମାମଲା ରୁଜୁ ହୋଇଛି ଓ କେତେ ବ୍ୟକ୍ତିବିଶେଷଙ୍କୁ ଅଭିଯୁକ୍ତ କରାଯାଇଛି ସେ ସମ୍ପର୍କରେ ମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି। ଏପରିକି କାର୍ଯ୍ୟାନୁଷ୍ଠାନର ଅଗ୍ରଗତି ତଥା ଅନିୟମିତତାରେ ଥିବା ବିପୁଳ ଅର୍ଥରୁ କେତେ ଅସୁଲ ହେଲାଣି, ସେ ସଂପର୍କରେ ମଧ୍ୟ ସରକାର ନିରବ।

ସରକନ୍ତରା ସ୍ବେରେଜ୍ ପ୍ଲାଣ୍ଟ୍‌ ପାଇଁ ଦିଆଯାଇଛି ୭.୫କୋଟି କ୍ଷତିପୂରଣ

ଭୁବନେଶ୍ବର: ରାଜଧାନୀର ସୁନ୍ଦରପଦା ଛକଠାରୁ ସରକନ୍ତରା ଗାଁକୁ ଯିବା କେନାଲ ବନ୍ଧ ରାସ୍ତାର ବାମପଟରେ ସ୍ବେରେଜ୍ ପ୍ଲାଣ୍ଟର ନିର୍ମାଣ ଚାଲିଛି। ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ଆବଶ୍ୟକ ବେସରକାରୀ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦକୁ ୭କୋଟି ୫୦ଲକ୍ଷ ୮୦ହଜାର ୭୦୭ ଟଙ୍କା ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ ଏହି ସ୍ବେରେଜ୍ ପ୍ଲାଣ୍ଟ ପାଇଁ ୨୫ଏକ ଜମି ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ(ସ୍ବେରେଜ୍) ବୋର୍ଡ ଭୁବନେଶ୍ବରଙ୍କ ଦ୍ବାରା ଅଧିକୃତ କରାଯାଇଛି। ଏଥିରେ ସରକାରୀ ଜମିର ପରିମାଣ .୩୦୦ ଡିସିମିଲ ଓ ବେସରକାରୀ ଜମିର ପରିମାଣ ୨୪.୭୫୦ ଏକର। ବେସରକାରୀ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ତେବେ ଖାତା ନଂ-୧୫୭, ପ୍ଲଟ୍‌ ନଂ-୧୦୦, ଏରିଆ ୪.୪୦୩ ଏକର ଜମିମାଲିକ ଗୋପୀନାଥ ବିଜେ ବାରମାଣ ପାଟଣା ମାର୍ଫତ ଜଗନ୍ନାଥ ଦାସ ଉଲ୍ଲେଖ ରହିଛି। ଜଗନ୍ନାଥ ଦାସ ମୃତ ହୋଇଥିବାରୁ ସଂପୃକ୍ତ କ୍ଷତିପୂରଣ ଜମି ମାଲିକଙ୍କୁ ଦିଆଯାଇପାରିନାହିଁ। ଏ ସଂକ୍ରାନ୍ତରେ ଦେବୋତ୍ତର କମିସନଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଇଥିବା ସେ କହିଛନ୍ତି। ବିଧାୟକ ସୁରେଶ କୁମାର ରାଉତରାୟ ରାଜ୍ୟ ସରକାରଙ୍କୁ ଏହି ପ୍ରଶ୍ନ କରିଥିଲେ।