୪୮ କେଜି ଗଞ୍ଜେଇ ଜବତ, କରିଡର୍‌ ସାଜିଛି କେସିଙ୍ଗା ଏନ୍‌ଏଚ୍‌

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଧ୍ୟ ଦେଇ ଯାଇଥିବା ୨୬ନଂ ଜାତୀୟ ରାଜପଥ ଚୋରା ଗଞ୍ଜେଇ କାରବାରର କରିଡର ସାଜିଛି। ଗତ ଏକ ମାସ ମଧ୍ୟରେ ପ୍ରାୟ ୫.୭୭ କୁଇଣ୍ଟାଲ ଗଞ୍ଜେଇ ଜବତ ହେବାପରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଶନିବାର ପୁଣି କେସିଙ୍ଗା ପୁଲିସ ଏକ ନକଲି ନଂ ଥିବା ହୁଣ୍ଡାଇ କାର୍‌ (ଓଆର୍‌୧୦ସି-୯୪୩୫) ସିଟ୍‌ ତଳୁ ୪୮ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

କେସିଙ୍ଗା ପୁଲିସକୁ ସଫଳତା ମିଳୁଛି ସତ, କିନ୍ତୁ ଏହି ଥାନା ପୂର୍ବରୁ ଥିବା ୫ଟି ଥାନାର କର୍ମଚାରୀ ଚୋରାଚାଲାଣର ଟେର୍‌ ନପାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି। କାର୍‌ ମଧ୍ୟରେ ୩୧ଟି ପ୍ୟାକେଟ୍‌ରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ଆଇଆଇସି ସତ୍ୟ ନନ୍ଦଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା। ଭବାନୀପାଟଣାରୁ ଆହ୍ଲାବାଦ ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ଅଟକ ଥିବା ଅଭିଯୁକ୍ତ ସୂଚନା ଦେଇଛନ୍ତି। ଏହି ରାସ୍ତା ସହ ଅମାଠ ଛକରେ ଜାତୀୟ ରାଜପଥ ୫୯ବି ସଂଯୋଗ କରୁଛି। ଫଳରେ ବାଲିଗୁଡ଼ା, ଫୁଲବାଣୀ ଅଞ୍ଚଳରୁ ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ କରାଯାଇଛି।

ପୂର୍ବରୁ ଏନ୍‌ଏଚ ୨୬ରେ ଘଟିଥିବା ୨ଟି ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ପୁଳାପୁଳା ଗଞ୍ଜେଇ ଜବତ ହୋଇଛି। ଯଦିଓ ଜିଲ୍ଲାରେ ଗଞ୍ଜେଇ ଚାଷ ଏତେ ମାତ୍ରାରେ ହେଉନାହିଁ, କିନ୍ତୁ ଅନ୍ୟ ଜିଲ୍ଲାରୁ ଏହି ଗଞ୍ଜେଇ ଆସୁଛି। କଳାହାଣ୍ଡି ଜିଲ୍ଲାରେ କିଛି ଯୋଗସୂତ୍ରକାରୀଙ୍କ ଦ୍ବାରା ଏହି ରାସ୍ତାକୁ ମାଫିଆମାନେ ସୁରକ୍ଷିତ ମଣି କାରବାର ଚଳାଇଛନ୍ତି।

ସମ୍ବନ୍ଧିତ ଖବର