ଭୁବନେଶ୍ବର/ ଘୁ.ଉଦୟଗିରି: ସାରା ରାଜ୍ୟରେ ପାରଦ ଖସିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିଛି। ପାରାଦୀପ ବ୍ୟତୀତ ଉପକୂଳ ଓଡ଼ିଶାର ସମସ୍ତ ସହରର ପାରଦ ୧୫ ଡିଗ୍ରି ତଳେ ରହିଥିଲା। ଘୁ.ଉଦୟଗିରିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସିମିଳିଗୁଡ଼ାରେ ୬.୬, ରାଉରକେଲାରେ ୭, ଝାରସୁଗୁଡାରେ ୮, ଚିପିଲିମାରେ ୮.୮, କେନ୍ଦୁଝରରେ ୯.୫, ଫୁଲବାଣୀରେ ୯.୫, ଦାରିଙ୍ଗବାଡିରେ ୯.୫, ସୁନ୍ଦରଗଡ଼ରେ ୯.୭ ଓ ସୋନପୁରଠାରେ ୧୦ ଡିଗ୍ରି ରେକର୍ଡ ହୋଇଛି।

Advertisment

ଡିସେମ୍ବର ୩୦ ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ସହରର ତାପମାତ୍ରା ୧୯.୪ ଡିଗ୍ରି ରେକର୍ଡ ହୋଇଥିଲା। ଆଜି ସାଢ଼େ ୫ଟାରେ ୧୪.୬ ଡିଗ୍ରି ରହିଥିଲା। ଅର୍ଥାତ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି କମିଛି। ଅନୁରୂପ ଭାବେ ଝାରସୁଗୁଡାରେ ଡିସେମ୍ବର ୨୯ ତାରିଖ ସକାଳ ସାଢ଼େ ୫ଟାରେ ୧୮.୪ ଡିଗ୍ରି ଥିବା ବେଳେ ଆଜି ସାଢ଼େ ୫ଟାରେ ୯.୪ ଡିଗ୍ରି ରେକର୍ଡ କରାଯାଇଛି। ଅର୍ଥାତ ତିନିଦିନରେ ଏଠାରେ ତାପମାତ୍ରା ୯ ଡିଗ୍ରି କମିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁରରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।