ବିନିକା: ଟଙ୍କା ଦୁଇଗୁଣ ହେବା ପ୍ରଲୋଭନ ଦେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗ୍ରାମରୁ ସାଢ଼େ ୪୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୩ ଜଣ ଅଭିଯୁକ୍ତ ଜେଲ୍ ଯାଇଛନ୍ତି। ସେମାନେ ହେଲେ ବିନିକା ଥାନା ଅନ୍ତର୍ଗତ ସିଲାଟି ଗ୍ରାମର ଗଙ୍ଗାଧର ଛତ୍ରିଆ (୨୮ବର୍ଷ), ଝାରଖଣ୍ଡ ରାଜ୍ୟ ସୁନାରିକୋଟାରି ଗ୍ରାମର ନେନା କୌଶଲ (୩୫ବର୍ଷ) ଓ ସଂଯୁକ୍ତା ଛତ୍ରିଆ (୩୬ବର୍ଷ)।

Advertisment

ପୁଲିସର ସୂଚନା ଅନୁସାରେ, ସିଲାଟି ଗ୍ରାମର ଗଙ୍ଗାଧର ତାଙ୍କ ଭଉଣୀ ସଂଯୁକ୍ତାଙ୍କୁ ଝାରଖଣ୍ଡ ସୁନାରିକୋଟରିରେ ବିବାହ ଦେଇଥିଲେ। ଝାରଖଣ୍ଡରୁ ଗତ ୧୩.୭.୨୨ ତାରିଖ ଦିନ ସିଲାଟି ଗ୍ରାମକୁ ଗଙ୍ଗାଧର, ସଂଯୁକ୍ତାଙ୍କ ସହ ଅନ୍ୟ ୪ଜଣ ଆସିଥିଲେ। ଗ୍ରାମର ୬ ଜଣ ବ୍ୟକ୍ତିଙ୍କୁ ଟଙ୍କା ଦୁଇଗଣ ହେବ ବୋଲି ଲୋଭ ଦେଖାଇ ମୋଟ ୪୯ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ୬ ଦିନ ପରେ ଝାରଖଣ୍ଡ ଯାଇ ଟଙ୍କା ଆଣିପାରିବେ ‌ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁସାରେ ୧୯.୭.୨୨ ତାରିଖ ଦିନ ସେମାନେ ସିଲାଟିରୁ ଝାରଖଣ୍ଡ ଯାଇଥିଲେ। ହେଲେ ଟଙ୍କା ନେଇଥିବା ବ୍ୟକ୍ତିମାନଙ୍କୁ ସେଠାରେ ନପାଇ ଫେରିଆସିଥିଲେ। ଗତ ୧୯ ତାରିଖ ଦିନ ସିଲାଟି ଗ୍ରାମର ଆକଶ ମହଲା ଟଙ୍କା ଠକେଇ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ବିନିକା ଥାନା କେସ୍‌ ନଂ ୨୬୩/୨୨ରେ ଏକ ମାମଲା ରୁଜୁ କରି ଏସ୍‌ଆଇ ରବୀନ୍ଦ୍ର ସାହୁ ତଦନ୍ତ ଆରମ୍ଭ କରିଥିଲେ। ଏହି ମାମଲାରେ ଉକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରାଯାଇଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଯାଇଛି ବୋଲି ଏସ୍‌ଆଇ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।