ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ବଜାର ଠାରେ ଦିନ ଦ୍ବିପ୍ରହରରେ ମହିଳାଙ୍କ ଠାରୁ ୪୯ ହଜାର ଝାମ୍ପି ନେଲେ ଦୁର୍ବୃତ୍ତ। ଆଜି ଦିନ ପ୍ରାୟ ୧୨ଟା ବେଳେ ମଢ଼ିଆଳି ଗ୍ରାମର ଶଙ୍କିରି ଜେନା ବଜାର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କରୁ ୪୯ହଜାର ଟଙ୍କା ଉଠାଇ ବାହାରକୁ ଆସିଥିଲେ। ଠିକ୍ ଏତିକି ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସି ମହିଳାଙ୍କ ଠାରୁ ଟଙ୍କା ବ୍ୟାଗଟି ଛଡାଇ ନେଇ ଦ୍ରୁତ ଗତିରେ ଛତାବର ଆଡକୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ମୋଟରସାଇକେଲରେ ପିଛା କରିଥିଲେ ସୁଦ୍ଧା ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇନଥିଲେ।
ଦୁର୍ବୃତ୍ତ ଦ୍ୱୟ ଛତାବର ଜାତୀୟ ରାଜପଥ ପାର ହୋଇ ଯାଜପୁର ଅଭିମୁଖେ ଯାଉଥିବା ଜଣାପଡିଥିଲା। ଫଳରେ ଫୋନ ପାଇ ମଞ୍ଜୁରୀ ଠାରେ ଦ୍ରୁତ ଗତିରେ ଯାଉଥିବା ଏକ ମୋଟରସାଇକେଲକୁ ଗ୍ରାମବାସୀ ଅଟକାଇଥିଲେ। ଏ ନେଇ ପୁଲିସକୁ ଖବର ଦିଆଯିବା ସହିତ ପିଛା କରୁଥିବା ମଞ୍ଜୁରୀରୋଡ଼ ଅଞ୍ଚଳର କିଛି ବ୍ୟକ୍ତି ସେଠାରେ ପହଞ୍ଚି ହୋହଲ୍ଲା କରିଥିଲେ। ଘଟଣାସ୍ଥଳରେ ତତ୍କ୍ଷଣାତ ପୁଲିସ ପହଞ୍ଚି ଅଟକ ଥିବା ଦୁଇ ବ୍ୟକ୍ତି ଓ ମୋଟରସାଇକେଲକୁ ଥାନାକୁ ଆଣିଥିଲେ। ପଚରାଉଚରା ବେଳେ ସେମାନେ ଅଣଓଡିଆ ବୋଲି ଜଣାପଡିଥିଲା। ପ୍ରକୃତରେ ସେମାନେ ଟଙ୍କା ଲୁଟ କରିଛନ୍ତି କି ନାହିଁ ଜଣା ପଡିନଥିବା ବେଳେ ଲୁଟର ଶିକାର ହୋଇଥିବା ମହିଳା ଜଣକ ଏନେଇ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଏପଟେ ଅଭିଯୋଗ ଅନୁଯାୟୀ ପୁଲିସ ସିସିଟିଭିକୁ ଯାଞ୍ଚ କରି ତଦନ୍ତ ପ୍ରକ୍ରିୟା ଆଗକୁ ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/loot-1.jpg)