ଜଟଣୀ : ଜଟଣୀ ଟାଉନ୍ ହଲ୍ ‘ସ୍ରଷ୍ଟା’ ଠାରେ ନିଖିଳ ଓଡ଼ିଶା ଅଧିବକ୍ତା (ଓକିଲ) ସଂଘର ୪୯ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସ୍ବାଧୀନତା ଆନ୍ଦୋଳନ କାଳରେ ଓକିଲମାନେ ସାମାଜିକ ଦାୟିତ୍ବବୋଧତାକୁ ଗୁରୁତ୍ବ ଦେଉଥିଲେ। ତାହା ହ୍ରାସ ପାଉଥିବାରୁ ସାମାଜିକ ଦାୟିତ୍ବ ନେବାକୁ ଓକିଲମାନେ ଆଗେଇ ଆସିବା ଦରକାର। ସମସ୍ତଙ୍କ ପାଖରେ ନ୍ୟାୟ ପହଞ୍ଚାଇବାର ଗୁରୁତ୍ବପୂର୍ଣ୍ଣ ଭୂମିକା ଓକିଲମାନଙ୍କର ରହିଛି। ପ୍ରତି ଓକିଲ ଅନ୍ୟୁନ ଦୁଇ ଜଣ ଅତିଗରିବ ଲୋକଙ୍କୁ ମାଗଣାରେ ନ୍ୟାୟିକ ସହାୟତା ଯୋଗାଇ ଦେବାକୁ ଏହି ଅବସରରେ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

Advertisment

ଶ୍ରୀ ପଟ୍ଟନାୟକ କହିଲେ, ସଂଘର ଉନ୍ନତି ପାଇଁ ପ୍ରତ୍ୟେକ ଓକିଲ ସେମାନଙ୍କ ଆୟର ଏକ ଭାଗ ସଂଘ ପାଣ୍ଠିକୁ ପ୍ରଦାନ କରିବା ଉଚିତ। ଏହା ଓକିଲମାନଙ୍କ କଲ୍ୟାଣ ପାଇଁ ଉପଯୋଗ ହୋଇପାରିବ। ଏହି ପାଣ୍ଠିର ସମ ପରିମାଣ ମ୍ୟାଚିଂ ଗ୍ରାଣ୍ଟ୍ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିବେ ବୋଲି ଶ୍ରୀ ପଟ୍ଟନାୟକ କରିଥିଲେ। କୌଣସି ଓକିଲ ନିଜର ବୃତ୍ତିକୁ ନେଇ ହୀନମନ୍ୟତା ଭାବିବା ଉଚିତ୍ ନୁହେଁ। କାରଣ ଆମେରିକାରେ ପ୍ରତି ସଫଳ ପରିବାର ସେମାନଙ୍କ ପିଲାମାନଙ୍କୁ ଡାକ୍ତରୀ କିମ୍ବା ଓକିଲାତି ପେଶା ନିମନ୍ତେ ପରାମର୍ଶ ଦେଇଥାନ୍ତି। ତେଣୁ ପ୍ରତିଟି ଓକିଲ ସ୍ବାଭିମାନର ସହ ନିଜର ପେଶାକୁ ନେଇ ମର୍ଯ୍ୟାଦାର ସହ ସାମାଜିକ ଦାୟିତ୍ବବୋଧତା ପ୍ରତି ସଚେତନ ରହିବା ଉଚିତ ବୋଲି ସେ ମତ ରଖିଥିଲେ। ସମ୍ମିଳନୀରେ ଓଡ଼ିଶା ମାନବାଧିକାର କମିସନ୍ ଅଧ୍ୟକ୍ଷ ଜଷ୍ଟିସ୍‌ ବିକେ ପ‌ଟେଲ୍ ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। ମାନବାଧିକାର ସୁରକ୍ଷା ନିମନ୍ତେ ଓକିଲମାନେ ଗୁରୁତ୍ବ ପ୍ରଦାନ କରିବା ଉଚିତ୍ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓକିଲ ମାନଙ୍କ କଲ୍ୟାଣ ପାଇଁ ସବୁବେଳ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବେ ବୋଲି କହିଥିଲେ।

ସମ୍ମାନିତ ଅତିଥିଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ସୁଜିତ୍ କୁମାର କହିଲେ, ସବୁବେଳେ ଓକିଲମାନେ ସମାଜ ଗଠନରେ ଦାୟିତ୍ବ ନିର୍ବାହ କରିଥାନ୍ତି। ଏହି ବକ୍ତବ୍ୟ ରଖିବା ବେଳେ ସେ ମହାତ୍ମା ଗାନ୍ଧୀ ଓ ମଧୁବାବୁଙ୍କ ଉଦାହରଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ବରିଷ୍ଠ ଆଇନଜୀବୀ ସୌର୍ଯ୍ୟ ସୁନ୍ଦର ଦାସ, ଜଟଣୀ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତିଭୂଷଣ ବଳବନ୍ତରାୟ, ଆଇନଜୀବୀ ସୀତାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏଥିରେ ସଂଘ ସଭାପତି ଜ୍ଞାନରଂଜନ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସଂପାଦକ ବିଭୁପ୍ରସାଦ ତ୍ରିପାଠୀ ବିବରଣୀ ପ୍ରଦାନ କରିଥିଲେ। ପୂର୍ବତନ ସଭାପତି ବୀରେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶାର ୩୦ଟି ଜିଲ୍ଲାରୁ ସଂଘର ଶତାଧିକ ପ୍ରତିନିଧି ସମ୍ମିଳନୀରେ ସାମିଲ୍ ହୋଇଥିଲେ। ଜଟଣୀ ଓକିଲ ସଂଘ ଓ ବାର୍ ଆସୋସିଏସନର କର୍ମକର୍ତ୍ତାମାନେ ଏହି ସମ୍ମିଳନୀରେ ସହଯୋଗ କରିଥିଲେ।