ଖୋର୍ଦ୍ଧା: ଶନିବାର ଅପରାହ୍ଣ ଠାରୁ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ ରହିଛି। ରବିବାର ସକାଳେ ଓ ସଂଧ୍ୟାରେ କାଁଭାଁ ଅସରାଏ ବର୍ଷା ପଡ଼ିଛି। ଏଥିରେ ଶୁଖିଲା ପଡ଼ିଥିବା ଧାନ ବିଲକୁ ଜୀବନ ମିଳିନାହିଁ କି ଚାଷୀ ମନରୁ ହତାଶା ହଟି ନାହିଁ। କିନ୍ତୁ ଜିଲ୍ଲାର କୃଷି ବିଭାଗ ଅସରାଏ ବର୍ଷାରେ ଜିଲ୍ଳାରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ବଦଳିଯାଇପାରେ ବୋଲି ବାହାସ୍ପୋଟ ମାରିଛି।
ନଭେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲାରେ ସ୍ବାଭାବିକ ଭାବେ ୫୦ ମିମି ବର୍ଷା ହୋଇଥାଏ, ତେବେ ୨୦୨୧ରେ ୯୧.୬ ମିମି ବର୍ଷା ରେକର୍ଡ କରାଯାଇଥିଲା ଓ ୨୦୨୨ରେ ନଭେମ୍ବର ମାସଟି ପୂରା ଶୁଖିଲା ଥିଲା। ପୂର୍ବ ବର୍ଷ ନଭେମ୍ବର ଶୁଖିଲା ରହିଥିଲେ ମଧ୍ୟ ଅକ୍ଟୋବରରେ ବର୍ଷା ଚାଷ ପାଇଁ ପର୍ଯ୍ୟାପ୍ତ ଥିଲା। ଚଳିତ ବର୍ଷ ସେହି ସ୍ଥିତି ନାହିଁ ଅକ୍ଟୋବର ମାସ ପୂରା ଶୁଖିଲା ରହିଥିବା ବେଳେ ନଭେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟ ନିରାଶ କରିଛି। ପାଣିପାଗ ବିଭାଗ ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ବ୍ଲକ, ବୋଲଗଡ଼ର କେତେକ ଅଞ୍ଚଳ, ଭୁବନେଶ୍ବର ମହାନଗର ନିଗମ, ବାଲିଅନ୍ତା ଓ ବାଲିପାଟଣାର କେତେକ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନ ପ୍ରାୟତଃ ଶୁଖିଲା ରହିଛି।
ପାଣିପାଗ ବିଭାଗ ଅନୁସାରେ, ଆଜି ଅପରାହ୍ଣ ୨ଟା ସୁଦ୍ଧା ଭୁବନେଶ୍ବର ବ୍ଲକରେ ହାରାହାରି ୮.୨ ମିମି, ବୋଲଗଡ଼ରେ ୨୧ ମିମି, ଭୁବନେଶ୍ବର ମହାନଗର ନିଗମରେ ୧୯.୬ ମିମି ବର୍ଷା ପଡ଼ିଥିଲା। ସେହିଭଳି ଅପରାହ୍ଣ ୪ଟା ପରେ ଓସଂଧ୍ୟାରେ ଟାଙ୍ଗୀ, ବେଗୁନିଆ, ଖୋର୍ଦ୍ଧା, ଭୁବନେଶ୍ବର, ବାଲିଅନ୍ତା ଆଦି କେତେକ ଅଞ୍ଚଳରେ ଅସରାଏ ବର୍ଷା ପଡ଼ିଛି। ଏହି ବର୍ଷା ଶୁଖିଲା ରହିଥିବା ଚାଷ ଜମି ପାଇଁ ଯଥେଷ୍ଟ ନୁହେଁ। ଜିଲ୍ଳାର ବେଗୁନିଆ, ବୋଲଗଡ଼, ଟାଙ୍ଗୀ ଓ ଖୋର୍ଦ୍ଧାର ୭୦ ପ୍ରତିଶତ ଚାଷୀ ଚଳିତ ବର୍ଷ ଧାନ ଫସଲ ଉପରୁ ଭରସା ତୁଟାଇଦେଇଛନ୍ତି। ତିନି ଦିନ ପୂର୍ବେ କୃଷି ବିଭାଗ ମଧ୍ୟ ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ୟତୀତ ଅନ୍ୟ ୮ଟି ବ୍ଲକରେ ବର୍ଷା ନହେଲେ ମରୁଡ଼ି ଆଶଙ୍କା ବ୍ୟକ୍ତ କରି ଯାଞ୍ଚର ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ରିପୋର୍ଟ କୃଷି ବିଭାଗକୁ ଆଜି ହସ୍ତଗତ ହୋଇଛି। ଏନେଇ କୃଷି ବିଭାଗ ଡେପୁଟି ନିର୍ଦ୍ଦେଶକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗତକାଲି ଓ ଆଜି ଅନେକ ସ୍ଥାନରେ ବର୍ଷା ହୋଇଛି। ଏହି ବର୍ଷା ପରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇଆସିଥିବା ରିପୋର୍ଟ ବଦଳିଯିବା ସମ୍ଭାବନା ରହିଛି। ତେବେ ସେ ବାହାରେ ଥିବାରୁ ସଠିକ ତଥ୍ୟ ଆସନ୍ତା କାଲି ହିଁ ଦେଇପାରିବେ।