ନୀଳାଚଳର ୪ହଜାର କର୍ମଚାରୀଙ୍କୁ ଧୋକା : କୋକ୍ ବିକି ଏମ୍ଏମ୍‌ଟିସି ହାତେଇନେଲା ୩୯କୋଟି

ଯାଜପୁର : କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏମଏମଟିସିର କେତେକ ଅସାଧୁ ଅଧିକାରୀ ନୀଳାଚଳର ମୁଷ୍ଟିମେୟ ଉଚ୍ଚ ଅଧିକାରୀଙ୍କ ସହାୟତାରେ ନିଯୁକ୍ତ ହରାଇଥିବା ୪ହଜାର କର୍ମଚାରୀଙ୍କ ପେଟକୁ ପୁଣି ଲାତ ମାରିଛନ୍ତି। ଭୋକିଲା ହଜାର ହଜାର କର୍ମଚାରୀଙ୍କୁ ୮ମାସର ଦରମା ଦେବା ପରିବର୍ତ୍ତେ ଏମଏମଟିସି ନୀଳାଚଳ କାରଖାନା ପରିସରରେ ଗଚ୍ଛିତ କୋକ୍ ବିକ୍ରି ବାବଦରେ ୩୯କୋଟି ଟଙ୍କା ହାତେଇ ନେଇଛି। ତେବେ କର୍ମଚାରୀ ଓ ଶ୍ରମିକଙ୍କ ବିରୋଧ ଯୋଗୁଁ ନିଲାମ ନେଇଥିବା କମ୍ପାନି କାରଖାନା ମଧ୍ୟରୁ ସାମଗ୍ରୀ ଉଠେଇ ପାରୁନାହିଁ । ଫଳରେ ହରଡ଼ଘଣାରେ ଏମଏମଟିସି ଅଧିକାରୀ ପଡ଼ିଯାଇଛନ୍ତି।

ଅନୁସନ୍ଧାନରୁ ଜଣାପଡ଼ିଛି କାରଖାନାର ଉତ୍ପାଦିତ ସାମଗ୍ରୀ ବିକ୍ରି କରି ୪ହଜାର କର୍ମଚାରୀଙ୍କ ଦରମା ଦେବା ପାଇଁ ଗତବର୍ଷ ଜାନୁଆରିରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଫେବ୍ରୁଆରିରେ କୋକ୍‌ ପ୍ରାଇସ୍ ସର୍କୁଲାର୍ ବାହାରିଥିଲା। ଏହି ଟେଣ୍ଡର ଅନୁଯାୟୀ ରଶ୍ମି ମେଟାଲିକ୍ ୧୫ହଜାର ମେଟ୍ରିକ ଟନ୍ ଓ ଜୟଦେବା ଟ୍ରଡିଂ କମ୍ପାନିକୁ ୨୫୦୦ ମେଟ୍ରିକ ଟନ୍ ବିକ୍ରି ପାଇଁ ସ୍ଥିର ହୋଇଥିଲା। ଏହି ବାଦକୁ ଯଥାକ୍ରମେ ୩୧କୋଟି ୩ଲକ୍ଷ ୭୫ହଜାର ଟଙ୍କା ଓ ୮କୋଟି ଟଙ୍କା ଏମଏମଟିସି ହାତଇେ ନେଇଛି। ଏମଏମଟିସ ହାତେଇ ନେଇଥିବା ୩୯କୋଟିରୁ ଟଙ୍କାଟିଏ ମଧ୍ୟ ନୀଳାଚଳ କାରଖାନାର ଭୋକିଲା କର୍ମଚାରୀଙ୍କୁ ଦରମା ପାଇଁ ଦିଆଯାଇ ନାହିଁ। ଏହି କାରବାର ଧରାପଡ଼ିଯିବା ଫଳରେ ନୀଳଚଳ ତତ୍କାଳୀନ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀ ରଶ୍ମି ମେଟାଲିକ ଓ ଜୟଦେବ ଟ୍ରେଡ଼ିଂ କମ୍ପାନିକୁ କାରଖାନା ପରିସରରୁ ସାମଗ୍ରୀ ଦେଇନଥିଲେ। ଫଳରେ କମ୍ପାନି ଦ୍ବୟ କୋଲକାତା ଉଚ୍ଚ ନ୍ୟାୟଳୟରେ ଦ୍ବାରସ୍ଥ ହୋଇ ସାମଗ୍ରୀ ଅବା ପୈଠ ଅର୍ଥ ଫେରସ୍ତ କରିବାକୁ ଦାବି କରିଥିଲେ। ତତ୍କାଳନୀ ନୀଳାଚଳ କର୍ତ୍ତୃପକ୍ଷ ନିଜର ପକ୍ଷ ରଖି ସାମଗ୍ରୀ ବିକ୍ରୟ ପଇସା ପାଇନଥିବାରୁ କମ୍ପାନିର ସାମଗ୍ରୀ କିମ୍ବା ଅର୍ଥ ଫେରାଇବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ ଜଣାଇଦେଲେ। ଫଳରେ ନୀଳାଚଳ ସାମଗ୍ରୀ ବିକ୍ରି କରିବାକୁ ୩୯କୋଟି ଟଙ୍କା ନେଇଥିବା ଏମ୍‌ଏମ୍‌ଟିସି ହରଡ଼ଘଣାରେ ପଡ଼ିଛି।

ସମ୍ବନ୍ଧିତ ଖବର