‘ସମ୍ବାଦ’ ପକ୍ଷରୁ ଭୁବନେଶ୍ୱରରେ ସାଇକ୍ଲୋଥନ୍‌ : ପ୍ରତିକୂଳ ପାଗ ସତ୍ତ୍ବେ ବହୁ ସଂଖ୍ୟାରେ ସାମିଲ ହେଲେ ସାଇକେଲ୍ ପ୍ରେମୀ

ଭୁବନେଶ୍ୱର: ଶନିବାର ସକାଳୁ ଭୁବନେଶ୍ୱରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ୪ର୍ଥ ସାଇକ୍ଲୋଥନ୍‌ ଅନୁଷ୍ଠିତ ହୋଇଯାଇଛି। ଝିପିଝିପି ବର୍ଷା ଯୋଗୁଁ ପାଗ କୋହଲା ହୋଇଥିଲେ ବି ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ଉତ୍ସାହର ସହ ଶିଖରଚଣ୍ଡିରୁ ସାଇକେଲ୍‌ ଚଳାଇ କଳିଙ୍ଗ ଷ୍ଟାଡିୟମ୍‌ ଯାଏଁ ଆସିଥିଲେ।

‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ସମାରୋହରେ  ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୁଲିସ ଡିଜି ଡା. ଆର୍‌.ପି.ଶର୍ମା, ଜାତୀୟ କୀର୍ତିମାନଧାରୀ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ପ୍ରଥମ ଓଡ଼ିଆ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ, ଅଭିନେତା ସବ୍ୟସାଚୀ ମିଶ୍ର, ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା ସାହୁ ଓ ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ପ୍ରମୁଖ ପତାକା ଦେଖାଇ ସାଇକ୍ଲୋଥନର ଶୁଭାରମ୍ଭ କରିଥିଲେ।

ଶରୀରକୁ ସକ୍ରିୟ ରଖିବାକୁ ସାଇକେଲ୍‌ ଚାଳନା ଅପରିହାର୍ଯ୍ୟ ବୋଲି ଏଥିରେ ଯୋଗ ଦେଇ ଥିବା ଅତିଥି ମତ ଦେଇଥିଲେ। ସାଇକେଲ୍‌ ଚଳାଇଲେ ଜଣେ ସୁସ୍ଥ ରହିବା ସହ ପରିବେଶ ମଧ୍ୟ ସୁସ୍ଥ ରହିବ- ସାଇକ୍ଲୋଥନ୍‌ ଜରିଆରେ ‘ସମ୍ବାଦ’ ପକ୍ଷରୁ ଏହି ସଚେତନା ବାର୍ତ୍ତା ଦିଆଯାଇଛି।

ସୁସ୍ଥ ରହିବା ପାଇଁ ସାଇକେଲ୍ ଚଲାଇବା ଏବଂ ସାଇକେଲ୍ ଚାଳନାର ଉପକାରକୁ ଉପଲବ୍ଧି କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସାଇକ୍ଲୋଥୋନ୍ ଚଳିତ ବର୍ଷ ଚତୁର୍ଥ ବର୍ଷରେ ପଦାର୍ପଣ କରିଛି। ପୂର୍ବ ବର୍ଷ ଭଳି ଆଜି ମଧ୍ୟ ବହୁ ସଂଖ୍ୟାରେ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ ସାମିଲ୍ ହୋଇ ପ୍ରତିଯୋଗିତାମୂଳକ ମନୋଭାବ ସହ ସାଇକେଲ୍ ଚାଳନା କରିଛନ୍ତି। ‘ସମ୍ବାଦ’ର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

ସମ୍ବନ୍ଧିତ ଖବର