ବଲାଙ୍ଗୀର: ଆମର ଭାଷା ମହାନ। ଆମର କଳା ସଂସ୍କୃତି ମହାନ। ଏହାର ବିକାଶ ନିହାତି ଦରକାର। ଆମର ଭାଷାକୁ ସରକାରୀ ସ୍ତରରେ ମାନ୍ୟତା ଦିଆଯିବା ଦରକାର। ବିଭିନ୍ନ ଭାଷା ସରକାରୀ ସ୍ତରରେ ମାନ୍ୟତା ଯେଭଳି ପାଇଛି, ଠିକ ସେହିଭଳି ଆମର ଭାଷାକୁ ମାନ୍ୟତା ଦିଆଯାଉ। ନଚେତ ଓଡ଼ିଶାକୁ ଦୁଇଭାଗ କରିବାକୁ ଚାଲିଥିବା ଆନ୍ଦୋଳନ ଆହୁରି ମୁଣ୍ଡ ଟେକିପାରେ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକଉତ୍ସବର ଚତୁର୍ଥ ସଂଧ୍ୟାରେ ନିଜ ବକ୍ତବ୍ୟରେ କହିଛନ୍ତି। ଏହାସହ କଳାମଣ୍ଡଳକୁ ଧ୍ୱଂସ କରିବାକୁ କିଛିଲୋକ ଚାହୁଛନ୍ତି। ଏହା ସମ୍ଭବ ହେବ ନାହିଁ। କଳାମଣ୍ଡଳର ବିକାଶ ସହ ଏହାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଯତ୍ନବାନ ହେଉ ବୋଲି ସେ କହିଥିଲେ।

Advertisment

ବଲାଙ୍ଗୀର ଲୋକଉତ୍ସବ ସମିତି ପକ୍ଷରୁ ଆୟୋଜିତ ଲୋକଉତ୍ସବର ଚତୁର୍ଥ ସଂଧ୍ୟାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂହ ସଭାପତିତ୍ୱ କରିଥିଲେ। ଷ୍ଟେଜ କମିଟି ସହଅଧ୍ୟକ୍ଷା ସଂଗୀତା ଦାସ ସ୍ୱାଗତ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର ଯୋଗଦେଇ କହିଥିଲେ, କଳାମଣ୍ଡଳ ମଂଚ ବହୁ ପୁରୁଣା। ଏହି ମଂଚରେ ଅନେକ କଳାକାର ନିଜ କଳା ପ୍ରଦର୍ଶନ କରିଛନ୍ତି। ଏହାର ସୁରକ୍ଷା ପାଇଁ ବିଗତ ଦିନରେ ଅନେକ ବ୍ୟକ୍ତିବିଶେଷ ନେଇଥିବା ପଦକ୍ଷେପ ସଂପର୍କରେ ସେ ବକ୍ତବ୍ୟ ରଖିଥିଲେ।

ସିଆର୍‌ପିଏଫ୍ କମାଣ୍ଡାଣ୍ଟ ପବନ ତିୱାରୀ ଯୋଗଦେଇ ଲୋକକଳା ଓ ଏଭଳି ଉତ୍ସବ ସମସ୍ତଙ୍କୁ ଏକଜୁଟ କରୁଛି। ଏଭଳି ଉତ୍ସବ ଏକତାର ପରିଚୟ ବୋଲି ସେ କହିଥିଲେ। ଅତିଥି କଳାକାର ଭାବେ ଗୀତିକାର ତଥା ଅଭିନେତା ଭିକାରି ଚରଣ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ଦଳମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ସର୍ବଭାରତୀୟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦୁଲଦୁଲି କଳାପରିଷଦକୁ ସମ୍ବର୍ଦ୍ଧିତ କରାଯାଇଥିଲା।

କଣ୍ଠଶିଳ୍ପୀ ଅଜୟ ଅମର ସିଂହଦେଓଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀଙ୍କ ଲୋକନୃତ୍ୟ ପ୍ରତିଯୋଗିତାରେ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ଅଏଁଲାଚୁଆ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କଳାକାର ରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାକାର୍ଯ୍ୟକୁ ଅଭ୍ୟର୍ଥନା କମିଟି ସହଅଧ୍ୟକ୍ଷ ଚିତ୍ତରଂଜନ ଦାସ ସଂଯୋଜନା କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଦେଇଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରାଜସ୍ଥାନର କାଲବେଲିୟା, ମଧ୍ୟପ୍ରଦେଶ ବଧେଇ, ପଂଚମ ବଲାଙ୍ଗୀର, ତୁଲସୀ ସଂଗୀତ ନାଟକ କଳାପରିଷଦ ବଲାଙ୍ଗୀର, ଆସାମର ବିହୁ, ଖୁସି ଡ୍ୟାନ୍ସ ଏକାଡେମୀ, ଦୁର୍ଗାପୂଜା ଟ୍ରଷ୍ଟ ବଲାଙ୍ଗୀର, ହରିୟାନାର ଘୁମର, ଜିଲ୍ଲା ସଂସ୍କୃତି ପରିଷଦ ବରଗଡ଼, ପଞ୍ଜାବର ଭାଙ୍ଗଡ଼ା, ଢୋଲମହୁରୀ ବରଗଡ଼ର କଳାକାରମାନେ କଳା ପ୍ରଦର୍ଶନ କରିଥିଲେ।