ଚତୁର୍ଥ ରାଜ୍ୟ ପର୍ଯ୍ୟଟନ ସମ୍ମେଳନ : ୫୧ ଐତିହ୍ୟ ସମ୍ପତ୍ତିରୁ ୧୯ଟି ହୋ‌ମ୍‌ ଷ୍ଟେରେ ରୂପାନ୍ତର ହେବ

ପୁରୀ, ହୀରାକୁଦରେ ଜଳକ୍ରୀଡ଼ା ଆରମ୍ଭ ହେବ

ଭୁବନେଶ୍ବର : ଓଡ଼ିଶାରେ ଥିବା ୫୧ଟି ଐତିହ୍ୟ ସମ୍ପତ୍ତି ମଧ୍ୟରୁ ୧୯ଟିକୁ ହୋ‌ମ୍‌ ଷ୍ଟେରେ ରୂପାନ୍ତର କରାଯିବ। ସେଥିମଧ୍ୟରୁ ସଂପ୍ରତି ୬ଟିର କାମ ଚାଲିଥିବା ବେଳେ ଆଉ ୩ଟିର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ ହେବ। ବାକି ୧୦ଟିକୁ ୨୦୨୧ ମସିହା ସୁଦ୍ଧା ଶେଷ କରାଯିବ। ଦୀର୍ଘଦିନର ଶାମୁକା ବିଚ୍‌ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମାଷ୍ଟରପ୍ଲାନ୍‌ ପୁନଃ ପ୍ରସ୍ତୁତ କରାଯାଉଛି। ଏହାଛଡ଼ା ପୁରୀ ଓ ହୀରାକୁଦରେ ଖୁବ୍‌ଶୀଘ୍ର ଜଳକ୍ରୀଡ଼ାର ସୁବିଧା ମିଳିବ। ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍ ଓଡ଼ିଶା ପକ୍ଷରୁ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ୪ର୍ଥ ଓଡ଼ିଶା ପର୍ଯ୍ୟଟନ ସମ୍ମେଳନରେ ଏପରି ମତ ପ୍ରକାଶ ପାଇଛି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ପର୍ଯ୍ୟଟନ ସମ୍ମେଳନକୁ ଉଦ୍‌ଘାଟନ କରି କହିଲେ, ଓଡ଼ିଶାବାସୀ ଭଗବାନଙ୍କ ଅଂଶବିଶେଷ। ଐକ୍ୟପଣ ଓଡ଼ିଶାର ସମ୍ପତ୍ତି। ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଦେବଦୂତ। ଭାରତରେ ପୂରା ବିଶ୍ବ ରହିଛି। ତେଣୁ ଭାରତୀୟମାନେ ଭାରତ ବାହାରକୁ ଯାଇ ଖର୍ଚ କରିବା ପରିବର୍ତେ ନିଜ ଦେଶରେ ଖର୍ଚ କରି ଭ୍ରମଣ କରିପାରିବେ। ବିଦେଶୀ ପର୍ଯ୍ୟଟକଙ୍କ କଥା ବିଚାରକୁ ନେଇ କହିଲେ, ଆମକୁ ଆମର ଧାରଣାରେ ପରିବର୍ତନ ଆଣିବାକୁ ପଡ଼ିବ। ତାରକା ହୋଟେଲ୍‌ ପରିବର୍ତେ ଜଙ୍ଗଲରେ ନିର୍ମିତ କୁଡ଼ିଆ ସେମାନଙ୍କୁ ଅଧିକ ‌ଖୁସି ଦେଇପାରିବ ବୋଲି ସେ କହିଥିଲେ।

ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାକୁ ପର୍ଯ୍ୟଟନ ରାଜଧାନୀରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। କେରଳର ଜଟାୟୁ ପ୍ରକଳ୍ପକୁ ଉଦାହରଣ ଭାବେ ନେଇ କହିଲେ, ଆମ ପାଖରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନାକୁ ଆଗେଇ ନେବା ଆବଶ୍ୟକ। ସେହିଭଳି କେବଳ ରାଜ୍ୟ ମଧ୍ୟରେ ପର୍ଯ୍ୟଟନ ସର୍କିଟ୍‌ ଅପେକ୍ଷା ରାଜ୍ୟ-ରାଜ୍ୟ ମଧ୍ୟରେ ପର୍ଯ୍ୟଟନ ସର୍କିଟ୍‌କୁ ଯୋଡ଼ାଯିବା ଉପରେ‌ ସେ ଗୁରୁତ୍ବାରୋପ କରିଥିଲେ।

ପର୍ଯ୍ୟଟନ ମନ୍ତ୍ରାଳୟର ଅତିରିକ୍ତ ମହା ପ୍ରବନ୍ଧକ ରୁପିନ୍ଦର ବ୍ରାର୍‌ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜିଏସ୍‌ଟି ହ୍ରାସ କରାଯିବା ଦିଗରେ ଜିଏସ୍‌ଟି ପରିଷଦକୁ ପ୍ରସ୍ତାବ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ପର୍ଯଟନ ସଚିବ ବିଶାଳ ଦେବ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମତ ରଖିଥିଲେ। ହାରୋର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଲେ, ଉନ୍ନତ ଭିତ୍ତିଭୂମି, ଅନ୍ତର୍ଜାତୀୟ ବିମାନ ସେବା ସଂଯୋଗ, ହୋଟେଲ୍‌, ଆଡ୍‌ଭେଞ୍ଚର ଟୁରିଜ୍‌ମ, ଅନୁଭବାତ୍ମକ ପର୍ଯ୍ୟଟନ ଓ ମାଇସ୍‌ ଟୁରିଜ୍‌ମର ସୁବିଧା ନଥିବାରୁ ବହୁ ଦେଶୀୟ ପର୍ଯ୍ୟଟକ ବିଦେଶକୁ ଛୁଟି କଟାଇବାକୁ ଚାଲି ଯାଉଛନ୍ତି। ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ରରେ ବିଦେଶୀ ବଜାର ଅପେକ୍ଷା ଦେଶୀୟ ବଜାରକୁ ଗୁରୁତ୍ବାରୋପ କରିଥିବାରୁ ପର୍ଯ୍ୟଟନ ଶିଳ୍ପକୁ ‌ଆଗେଇ ନେବା ସହ ଭିତ୍ତିଭୂମି ସଜାଡ଼ିବା ପାଇଁ ସମସ୍ତ ସରକାରୀ ବିଭାଗ ଅନୁଦାନ ଦେବାକୁ ଆଗେଇ ଆସିବା ଦରକାର। ଏଥିସହ ସେ ହୋଟେଲ୍‌ ରହଣିରେ ୨୮ ପ୍ରତିଶତ ଜିଏସ୍‌ଟିକୁ ହ୍ରାସ କରିବା, କୋରାପୁଟ ଜୟପୁରକୁ ଉଡ଼ାଣ ଯୋଜନାରେ ବିମାନ ସଂଯୋଗ କରିବା, କୋଣାର୍କ ଓ ବୁଦ୍ଧିଷ୍ଟ ସର୍କିଟ୍‌ ସମେତ ୪୮୦ କିଲୋମିଟର ସମୁଦ୍ରପଥ ଓ ଚିଲିକା ପାର୍ଶ୍ବରେ ରିଂ ରୋଡ୍‌ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟ ପର୍ଯ୍ୟଟନ ନିର୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର ବକ୍ତବ୍ୟ ରଖିଥିଲେ। ହାରୋର ସେକ୍ରେଟାରି ଜେନେରାଲ୍‌ ଶ୍ରୀନିବାସ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଏ ତାଲୁକଦାର, ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ, ପିଏନ୍‌ଭି ଗ୍ରୁପ୍‌ର ସାନୁ ରଥ, ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୫ଟି ଅଧିବେଶନରେ ରାଜ୍ୟ ପର୍ଯ୍ୟଟନର ବ୍ରାଣ୍ଡିଂ, ହସ୍ପିଟାଲ୍‌ ପର୍ଯ୍ୟଟନ, ଡିଜିଟାଲ୍‌ ମିଡିଆ ପ୍ରସାର, ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ଖାଦ୍ୟ ମାଧ୍ୟମରେ ବିଶ୍ବକୁ ଆକର୍ଷିତ କରିବା ଏବଂ ଓଡ଼ିଶାକୁ ଅନ୍ତର୍ଜାତୀୟ ବିମାନ ଓ ଅନ୍ୟ ସଂଯୋଗ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର