ରାଉରକେଲା: ପାଣ୍ଠି ଖର୍ଚ୍ଚ ହୋଇପାରୁନି। ଯେଉଁ ପ୍ରକଳ୍ପ ବାବଦରେ ପାଣ୍ଠି ବିନିଯୋଗ ହେଉଛି, ତା’ ଲୋକଙ୍କ କାମରେ ଆସୁନି। ଏମିତି ସ୍ଥିତି ଉପୁଜିଛି ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା)’ ଯୋଜନାରେ। ହକି ବିଶ୍ବକପ୍ ପୂର୍ବରୁ ରାସ୍ତା ପାର୍ଶ୍ବ, ପାର୍କ, ଜନଗହଳିପୂର୍ଣ୍ଣ ସ୍ଥାନରେ ପରିଶ୍ରାଗାର (ଲୁ) ନିର୍ମାଣ କରିବାକୁ ମୁକ୍ତା ଯୋଜନାରେ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)କୁ ମିଳିଥିଲା ପ୍ରାୟ ସାଢ଼େ ୫ କୋଟି ଟଙ୍କା। ପ୍ରତ୍ୟେକ ‘ଲୁ’କୁ ୨ ଲକ୍ଷ ୭୫ ହଜାର କରି ମୋଟ ୨୦୦ ଟି ନିର୍ମାଣ କରିବାକୁ ଲକ୍ଷ୍ୟ ରହିଥିଲା। ନିର୍ମାଣ କାମ ନେଇଥିବା ଏସ୍ଏଚ୍ଜିମାନଙ୍କୁ ଗତ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ରହିଥିଲା। ହେଲେ ୨୦୦ ଟି ‘ଲୁ’ ମଧ୍ୟରୁ ମାତ୍ର ୬୦ଟି ନିର୍ମାଣ କରାଯାଇଛି। ଏଥି ମଧ୍ୟରୁ କିଛି ସ୍ଥାନରେ ଅଧପନ୍ତରିଆ ହୋଇ ପଡ଼ିଛି।
ଅନ୍ୟ କିଛି ସ୍ଥାନରେ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ପଥଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ କାମରେ ଆସୁନି। କାରଣ କେଉଁଠି କବାଟ ଭାଙ୍ଗି ଗଲାଣି ତ ଅନ୍ୟ କେଉଁଠି ପାଣି ଆସୁନି। ବାସନ୍ତୀ କଲୋନି ଡଙ୍ଗା ଛକରେ ନିର୍ମାଣ ହୋଇଥିବା ‘ଲୁ’ ଏହାର ଉଦାହରଣ। ବାହାରକୁ ଚକାଚକ୍ ଦିଶୁଛି। ଭିତର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଠିକ୍ ଭାବେ ପାଣି ଆସୁ ନଥିବାରୁ ଉଭୟ ପୁରୁଷ ଓ ମହିଳା ଦୁଇଟି ପରିସ୍ରାଗାରର ପଥଚାରୀଙ୍କ କାମରେ ଆସୁନି। ସେମିତି ଡଙ୍ଗା ଛକରୁ ଠାରୁ ମାତ୍ର ୧୦୦ ମିଟର ଦୂର (ଜେଲରୋଡ)ରେ ନିର୍ମାଣଧୀନ ‘ ଲୁ’ ମାସ ମାସ ଧରି ଅଧପନ୍ତରିଆ ହୋଇ ପଡ଼ିଛି। କେବେ ସରିବ, କାମ ନେଇଥିବା ଏସ୍ଏଚ୍ଜି ନା ବିଭାଗୀୟ ଅଧିକାରୀଙ୍କ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଅନୁରୂପ ଭାବେ ପାନପୋଷ ସ୍ବୟଂ ଶାସିତ କଲେଜ ପରିସର, ସିଭିଲଟାଉନସିପ୍ (ବାଇପାସ୍ ରୋଡ ପାର୍ଶ୍ବ) ପାର୍କରେ ନିର୍ମାଣଧୀନ ‘ଲୁ’ ବ୍ୟବହାର ଉପଯୋଗୀ ନୁହେଁ। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି, କେବଳ ଚାରିଟି ସ୍ଥାନରେ ଅଧିକାଂଶ ସ୍ଥାନରେ ସ୍ଥାପନ ହୋଇଥିବା ‘ଲୁ’ର ସେହି ସମାନ ଅବସ୍ଥା। ଆର୍ଏମ୍ସିର ବିଭାଗୀୟ ଅଧିକାରୀ କହିଛନ୍ତି, ନିର୍ମାଣ କାମ ଓ ରକ୍ଷଣାବେକ୍ଷଣ କାମ ଏସ୍ଏଚ୍ଜି ଗ୍ରୁପମାନଙ୍କୁ ଦିଆଯାଇଛି।
କାହିଁକି ଏଭଳି ସମସ୍ୟା ଉପୁଜିଛି, ଯାଞ୍ଚ ପରେ ଜଣାପଡିବ। ଅନ୍ୟପଟେ ଜାଗା ଅଭାବରୁ ଅବଶିଷ୍ଟ ୧୪୦ ଟି ‘ଲୁ’ ନିର୍ମାଣ ହୋଇପାରୁନି। ଆସନ୍ତା ଦିନରେ ନିର୍ମାଣ ହେବ କି ଜଣାନାହିଁ। ତେବେ ଏ ବାବଦରେ ଖର୍ଚ୍ଚ ହେବାକୁ ଥିବା ୩ କୋଟି ୮୫ ଲକ୍ଷ ଟଙ୍କା ଆର୍ଏମ୍ସିରେ ପଡ଼ିଛି। ଏହି ଅର୍ଥକୁ ଆର୍ଏମ୍ସି ଜାଣିଶୁଣି ଅନ୍ୟ ପ୍ରକଳ୍ପରେ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇ ନାହିଁ ତ ? ଏମିତି ପ୍ରଶ୍ନ ଉଠିବା ସ୍ବାଭାବିକ। ମୁକ୍ତା ଯୋଜନାରେ କେବଳ ‘ ଲୁ’ ନିର୍ମାଣ ନୁହେଁ ବରଂ ବିଗତ ଦିନରେ ପୋଖରୀ ପୁନରୁଦ୍ଧାର କାମରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ହେଲେ କିଛି ପୋଖରୀ ସେମିତି ଅଧପନ୍ତରିଆ ହୋଇ ପଡିଛି। ଆହୁରି ସାଂଘାତିକ ଅଭିଯୋଗ ଆସିଛି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପରେ। ବାସନ୍ତୀକଲୋନି, ରାଉରକେଲା ଶିଳ୍ପାଞ୍ଚଳ, ଇସ୍ପାତ ସହରାଞ୍ଚଳରେ ଯେତେଗୁଡ଼ିକ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହୋଇଛି, ପ୍ରାୟ ସବୁଠି ନିମ୍ନମାନର। ତେବେ ମୁକ୍ତା ଯୋଜନା ପାଣ୍ଠିରେ ଯେଉଁ ସବୁ ପ୍ରକଳ୍ପ କରାଯାଇଛି, ତା’ର ବିଧିବଦ୍ଧ ତଦନ୍ତ ହେଲେ ବଡଧରଣ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା।