ଝାରସୁଗୁଡ଼ା: ଦିନକୁ ଦିନ ଝାରସୁଗୁଡ଼ାରେ ପାରଦ ଖସୁବାରେ ଲାଗିଛି। ସାରା ଜିଲ୍ଲାକୁ  ଶୀତ ଲହାରୀ ତାର କବ୍‌ଜାକୁ ନେଇ ଯାଇଛି। ରବିବାରଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ ରାଜ୍ୟର ମାଳଅଞ୍ଚଳ ଦାରିଙ୍ଗବାଡ଼ି ପରେ ଝାରସୁଗୁଡ଼ା ଦ୍ବିତୀୟ ଥଣ୍ଡା ଅଞ୍ଚଳ ଭାବରେ ରହିଛି। ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରିକୁ ଖସି ଆସିଛି।

Advertisment

ଆସନ୍ତା ଦୁଇ ଦିନ ଧରି ଏହା ଜାରି ରହିବା ସହିତ ପାରଦ ଆହୁରି ତଳକୁ ଖସିବା ସମ୍ଭବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦାରିଙ୍ଗବାଡ଼ିର ତାପମାତ୍ରା ୪ ଡିଗ୍ରି ଥିବା ବେଳେ ଫୁଲବାଣୀରେ ୬.୫ ଓ ସୋନପୁରରେ ୬.୯ ରହିଛି। ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଆଗାମୀ ୨/୩ ଦିନ ଧରି ଏହାର ପ୍ରଭାବରେ ଶୀତ ଲହାରି ଜାରି ରହିବ। ପ୍ରବଳ ଶୀତ ଲହରକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଝାରସୁଗୁଡ଼ା ସମେତ ସୁନ୍ଦରଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ୨୧ ତାରିଖ ସକାଳ ସାଢ଼େ ୮ ଟା ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲେ। ମଙ୍ଗଳବାରଠାରୁ ୨୨ ତାରିଖ ସକାଳ ସାଢ଼େ ୮ ଟା ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଉପରୋକ୍ତ ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳ ଶୀଳ ଲହରି ପ୍ରବାହିତ ହେବାକୁ ଥିବାରୁ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି। ରାତି ଓ ପାହାନ୍ତିଆ ସମୟରେ ଯଥା ସମ୍ଭବ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ସହ ଏକାଧିକ ପୋଷାକ ପରିଧାନ କରିବାକୁ କୁହାଯାଇଛି।  ଗୃହପାଳିତ ପଶୁମାନଙ୍କ ଯତ୍ନ ନେବା  ସହିତ ଏମାନଙ୍କୁ ଖୋଲ ସ୍ଥାନରେ ନରଖି ଆବାଶ୍ୟକୀୟ ଘରର ବ୍ୟବସ୍ଥା କରିବା ଏମାନଙ୍କୁ ପୁଷ୍ଟିସାର ଓ ମିଶ୍ରିତ ଖଣିଜ ଲବଣର ମାତ୍ରା ଖାଦ୍ୟରେ ବଢ଼ାଇବାକୁ କୁହାଯାଇଛି। ଯାହା ଫଳରେ ପଶୁମାନଙ୍କ ଶରୀରରେ ଶୀତ ଜନିତ ଚାପ ନିୟନ୍ତ୍ରଣ କରିବା କ୍ଷମତା ବୃଦ୍ଧି ପାଇବ। ପ୍ରବଳ ଶୀତ ଯୋଗୁଁ  ସକାଳେ ଓ ସନ୍ଧ୍ୟାରେ ବଜାର, ରାସ୍ତା ଘାଟରେ ଭିଡ଼ ହ୍ରାସ ପାଉଛି। ଆଜି ଦିନ ତମାମ ଥଣ୍ଡା ଅନୁଭୂତ ହୋଇଥିଲା। ଏଭଳି ଶୀତ ଲହାରି ବେଳେ ନିରାଶ୍ରୟମାନଙ୍କ ଦୁଃଖ ବଳି ଯାଇଛି। ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟସ୍ଥଳୀ ନଥିବାରୁ  ପ୍ରବଳ ଶୀତ କାକରରେ ଏମାନେ ଖୋଲା ଆକାଶ ତଳେ ରାତି କଟାଉଥିବା ଦେଖିବାକୁ ମିଳୁଛି।