ଛତ୍ରପୁର: ଆନ୍ଧ୍ରପ୍ରଦେଶ ମାଛ ମାଫିଆଙ୍କ ଦ୍ବାରା ଅପହୃତ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ସାନଆର୍ଯ୍ୟପଲ୍ଲୀ ଗ୍ରାମର ୫ ଜଣ ମତ୍ସ୍ୟଜୀବୀଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଭାବନିପୋଡ଼ୁ ସାମୁଦ୍ରିକ ଇଲାକାରୁ ୫ ଜଣ ମତ୍ସ୍ୟଜୀବୀ କେ. ବାବାଜୀ, ଏନ୍‌. କାମେୟା, ବି. ମୋହନ, ଜି. ଏରେୟା ଓ ଜି. ଜାଙ୍ଗାଲିଙ୍କୁ ପୁଲିସ ଉଦ୍ଧାର କରିଛି। ସେମାନଙ୍କୁ ସେଠାରୁ ପୁଲିସ ସୁରକ୍ଷାରେ ଅଣାଯାଇଥିବା ଗଞ୍ଜାମ ଅତିରିକ୍ତ ଏସ୍‌.ପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।

Advertisment

ଗତକାଲି ଆନ୍ଧ୍ର ମାଛ ମାଫିଆମାନେ ଏମାନଙ୍କୁ ଉଠାଇ ନେଇଥିଲେ। ଏନେଇ ସେମାନଙ୍କ ପରିବାରବର୍ଗ ଓ ମତ୍ସ୍ୟଜୀବୀ ନେତା ଏନ୍‌. ଦୀନବନ୍ଧୁ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଏତଲା ଦେଇଥିଲେ। ଫଳରେ ସେମାନଙ୍କୁ ଉଦ୍ଧାର କରିବା ଲାଗି ଗଞ୍ଜାମ ପୁଲିସର ପ୍ରୟାସ ଆରମ୍ଭ ହୋଇଥିଲା। ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ବରେ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ ହୋଇଥିଲା। ଶେଷ‌ରେ ଚାଳକଙ୍କ ସହ ଯୋଗାଯୋଗ ବେଳେ ଟ୍ରଲର୍‌କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଭାବନିପୋଡ଼ୁ ସାମୁଦ୍ରିକ ଇଲାକାରେ ଠାବ କରାଯାଇଥିଲା। କିନ୍ତୁ ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ସେଠାରେ ଓହ୍ଲାଇ ପାରି ନଥିଲେ। ପରେ ସେଠାକାର ସାମୁଦ୍ରିକ ଥାନା ନିକଟରେ ଓହ୍ଲାଇ ଅପହୃତ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ଆନ୍ଧ୍ରପ୍ରଦେଶ ମାଛ ମାଫିଆ ସେମାନଙ୍କୁ ନିର୍ଯାତନା ଦେଇଥିବା ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। ଛତ୍ରପୁର ଏସ୍‌ଡିପିଓ, ଥାନାଧିକାରୀ ଓ ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ଆନ୍ଧ୍ର ପୁଲିସ ସହ ସମସ୍ତ ରାଜିନାମା ଦସ୍ତାବିଜ୍ ଲେଖା କାର୍ଯ୍ୟ ପରେ ସେଠାରୁ ସେମାନଙ୍କୁ ମୁକୁଳା ଯାଇଥିବା ସୂଚନା ମିଳିଛି।