ରାୟଗଡ଼ା: ରାୟଗଡ଼ା ବ୍ୟାଙ୍କ କଲୋନି ପ୍ରଥମ ଲାଇନରେ ହୋଇଥିବା ବଡ଼ ଧରଣର ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି। ଚୋରିରେ ସମ୍ପୃକ୍ତ ୫ ଜଣ ରବି ଶଙ୍କର ମହନନ୍ଦିଆ, ପି. ଶ୍ରୀକାନ୍ତ, କେ. ଅନୀଲ କୁମାର, କେ. ପ୍ରସାଦ ଓ କେ. ସୁନୀଲ କୁମାରଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଚୋରି ପରେ ସୁନାକୁ ତରଳାଇ ବିକ୍ରି କରାଯାଇଥିବାରୁ ଉଦ୍ଧାର ସୁନା ସମ୍ପର୍କରେ ପୁଲିସ ସଠିକ ତଥ୍ୟ ପ୍ରଦାନ କରିନାହିଁ। ମାମଲାରେ ଜଣେ ନାବାଳକ ସମ୍ପୃକ୍ତ ଥିବା ବେଳେ ଚୋରି ଅଭିଯୋଗରେ ୩ ଜଣ ଏବଂ ଚୋରି ସୁନା କିଣିବା ଅଭିଯୋଗରେ ୨ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା।
ସୂଚନାଯୋଗ୍ୟ, ଜାନୁଆରି ୧୭ ତାରିଖ ରାତିରେ କେ. ସାଇ ଶ୍ରୀନିବାସଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତ ୭୮୦ ଗ୍ରାମ ସୁନା, ୫ ଲକ୍ଷ ଟଙ୍କାର ରୂପା ସହ ନଗଦ ୯ ଲକ୍ଷ ଟଙ୍କା ଚୋରି କରିଥିଲେ। ପୋଙ୍ଗଲ ଅବସରରେ ଗତ ୧୫ ତାରିଖରେ ସାଇ ଶ୍ରୀନିବାସଙ୍କ ପରିବାର ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ସହରରେ ରହୁଥିବା ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ୧୮ ତାରିଖ ସଂଧ୍ୟାରେ ସଭିଁଏ ରାୟଗଡ଼ା ଫେରିଥିଲେ। ଘରେ ପହଞ୍ଚିବା ପରେ ପ୍ରଥମ ଗେଟର ଇଣ୍ଟରଲକ୍ ତାଲା ଭାଙ୍ଗିଥିବା ସାଇ ଶ୍ରୀନିବାସ ଦେଖିଥିଲେ। ସନ୍ଦେହରେ କବାଟ ଖୋଲି ଘରେ ପଶିବା ପରେ ଅନ୍ୟ ଦୁଇଟି ରୁମର କବାଟ ସହ ୬ଟି ଆଲମିରା ଭଙ୍ଗା ଯାଇଥିବା ଦେଖିଥିଲେ। ଘରେ ଥିବା ଟଙ୍କା, ସୁନାରୁପା ଅଳଙ୍କାର ଚୋରି ହେବା ଜାଣି ସଙ୍ଗେସଙ୍ଗେ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଡଗ୍ ସ୍କ୍ବାଡ, ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।