୨ କୋଟି ମାଗିଥିଲେ, ତନାଘନା ଦେଖି ଛାଡ଼ିଦେଲେ
ପ୍ରଥମେ ପୁଅ ଆଲୋକଙ୍କୁ ଅପହରଣ ଯୋଜନା ଥିଲା
ଅପହରଣରେ ବ୍ୟବହୃତ କାର୍, ଆକ୍ଟିଭା, ବନ୍ଧୁକ ଜବତ
ସମସ୍ତ ଅଭିଯୁକ୍ତଙ୍କ ୨ ଦିନିଆ ରିମାଣ୍ଡ ମାଗିଲା ପୁଲିସ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଶାସନ ଥାନା ବାଏପାସ୍ ନିକଟରୁ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ଅପହରଣ କରାଯିବା ଘଟଣାର ୧୬ ଦିନ ପରେ ପୁଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ମୁଖ୍ୟ ଅଭିଯୁକ୍ତ ରାଜୀବ ଦୁଆ ସମେତ ୪ ଜଣଙ୍କୁ ଗିରଫ କରିଛି। ଉତ୍ତରାଖଣ୍ଡ ଡେରାଡୁନ୍ର ରାଜୀବ ବରେଇପାଲିରେ ବ୍ୟବସାୟୀ ଶ୍ରୀ ଅଗ୍ରୱାଲଙ୍କ ଘର ସମ୍ମୁଖରେ ଭଡ଼ା ନେଇ ରହୁଥିଲା। ଅନ୍ୟ ଅଭିଯୁକ୍ତମାନେ ହେଲେ ଧନୁପାଲି ଥାନା ଧନକଉଡ଼ା ଅଞ୍ଚଳର ଏମ୍ଡି ସୈଫୁଲ୍ଲା ତାରିକ୍(୨୪), ମାୟାବଗିଚାରେ ରହୁଥିବା କୋଲକାତାର ଏମ୍ଡି ଅଲ୍ଲୀ ଓରଫ୍ ରାଜା(୨୫) ଓ ମୋତିଝରନ୍ର ଏମ୍ଡି ଆସିଫ୍। ଅଭିଯୁକ୍ତଙ୍କ ନିକଟରୁ ଅପହରଣରେ ବ୍ୟବହାର କରାଯାଇଥିବା ସ୍ବିଫ୍ଟ ଡିଜାଏର କାର୍, ଆକ୍ଟିଭା ଓ ବନ୍ଧୁକକୁ ପୁଲିସ୍ ଜବତ କରିଛି। ସମ୍ବଲପୁରରୁ ଗିରଫ ହୋଇଥିବା ସମସ୍ତ ୩ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ସମୟରେ ଡେରାଡୁନ୍ସ୍ଥିତ ପଲ୍ଟନ୍ ବଜାରରୁ ଗିରଫ ହୋଇଥିବା ମାଷ୍ଟରମାଇଣ୍ଟ ରାଜୀବକୁ ମଧ୍ୟ ରବିବାର ସେଠାରେ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାରେ ସମ୍ବଲପୁର ପୁଲିସ୍ର ଏସ୍ଆଇଟି ଗତ ୧୫ ତାରିଖରେ ଜଣେ ଅଭିଯୁକ୍ତ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ସମାସିଂହା ଗ୍ରାମର ହିମାଂଶୁ ବନ୍ଛୋର୍(୨୫)କୁ ଗିରଫ କରିଥିଲା। ସମସ୍ତ ୫ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବା ପାଇଁ ସମ୍ବଲପୁର ପୁଲିସ୍ କୋର୍ଟରେ ପ୍ରାର୍ଥନା କରିଥିବା ଏସ୍ପି କନୱର ବିଶାଳ ସିଂହ ସୂଚନା ଦେଇଛନ୍ତି।
ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ସିଂହ ଦେଇଥିବା ସୂଚନା ଅନୁସାରେ, ଉତ୍ତରାଖଣ୍ଡ ଡେରାଡୁନ୍ସ୍ଥିତ ପଲଟନ୍ ବଜାରର ରାଜୀବ ଦୁଆ ୨୦୧୮ ମସିହାରେ ବରେଇପାଲି ଅଞ୍ଚଳରେ ରହୁଥିବା ମାମୁଁ ରମେଶ ଆହୁଜାଙ୍କ ନିକଟକୁ କପଡ଼ା ବ୍ୟବସାୟ କରିବାକୁ ଆସିଥିଲା। ଏହା ପରଠାରୁ ରାଜୀବ ବରେଇପାଲିରେ ଶ୍ରୀ ଅଗ୍ରୱାଲଙ୍କ ଘର ପାଖରେ ରହି ନିଜର ବ୍ୟବସାୟ ଚଳାଇଥିଲା। ମାତ୍ର ବ୍ୟବସାୟରେ କ୍ଷତି ଯୋଗୁଁ ରାଜୀବ ନିଜର ମୂଳଧନ ହରାଇବା ସହ କରଜରେ ବୁଡ଼ି ଯାଇଥିଲା। ଏହି ସମୟରେ ପେଣ୍ଟର ଭାବେ କାମ କରୁଥିବା ଆସିଫ୍ ସହ ରାଜୀବର ଦେଖା ହୋଇଥିଲା। ଆସିଫ ମଧ୍ୟ ଋଣରେ ବୁଡ଼ିଥିବାରୁ ଉଭୟେ ମିଶି କାହାକୁ ଅପହରଣ କରିବା ପରେ ଟଙ୍କା ଦାବି କରିବାକୁ ଯୋଜନା କରିଥିଲେ। ଏହି ଘଟଣାରେ ସେମାନଙ୍କ ସହ ସାମିଲ୍ ହୋଇଥିଲେ ଅନ୍ୟ ଜଣେ ବ୍ୟବସାୟୀ ସୈଫୁଲ୍ଲା ଓ ତାର ସହଯୋଗୀ ଏମ୍ଡି ଅଲ୍ଲୀ। ୪ ଜଣ ମିଶି ପ୍ରଥମେ ନରେଶ ଅଗ୍ରୱାଲଙ୍କ ସାନ ପୁଅ ଆଲୋକକୁ ଅପହରଣ କରିବାର ଯୋଜନା କରିଥିଲେ। ମାତ୍ର ଉକ୍ତ ଯୋଜନା ବିଫଳ ହୋଇଥିଲା। ଏହା ପରେ ସେମାନେ ଦୀର୍ଘ ୩-୪ ମାସ ଯାଏ ନରେଶ ଅଗ୍ରୱାଲଙ୍କ ଗତିବିଧି ଉପରେ ନଜର ରଖିଥିଲେ।
ଏହା ପରେ ଘଟଣା ଦିନ ଅର୍ଥାତ୍ ଜୁଲାଇ ୧୦ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସମସ୍ତ ୪ ଅଭିଯୁକ୍ତ ଅଇଁଠାପାଲି ଛକରେ ବନ୍ଧୁକ ଓ କଟୁରୀ ଏକତ୍ରିତ ହୋଇଥିଲେ। ଶାସନ ବାଏପାସ୍ ନିକଟସ୍ଥ ଜମିକୁ କାମ ଦେଖିବାକୁ ଯାଇଥିବା ଶ୍ରୀ ଅଗ୍ରୱାଲଙ୍କୁ କିଛି ସମୟ ରାସ୍ତା ଉପରେ ଅଭିଯୁକ୍ତମାନେ ଅପେକ୍ଷା କରିଥିଲେ। ଶ୍ରୀ ଅଗ୍ରଓ୍ବାଲ ଘରକୁ ଆସିବା ପାଇଁ ତାଙ୍କ କ୍ରେଟା ଗାଡ଼ିରେ ଚଢ଼ିବା ପରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ତାଙ୍କ ଗାଡ଼ିର ଚକକୁ କଟୁରୀରେ କାଟି ଦେଇଥିଲେ। ଏହାପରେ ଅନ୍ୟ ୨ ଜଣ ଶ୍ରୀ ଅଗ୍ରୱାଲଙ୍କ ମୁହଁରେ କ୍ଲୋରୋଫର୍ମ ଓ ପିପର୍ ଗ୍ୟାସ୍ ମାରିବା ପରେ ବନ୍ଧୁକ ମୁନରେ ସ୍ବିଫ୍ଟ କାର୍ରେ ନେଇ ଜମାଦାରପାଲିସ୍ଥିତ ଏକ ଭଡ଼ାଘରକୁ ଚାଲିଯାଇଥିଲେ। ଶ୍ରୀ ଅଗ୍ରୱାଲଙ୍କ ଡ୍ରାଇଭର ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ତାଙ୍କୁ ନେଇ ଚାଲି ଯାଇଥିଲେ। ଏହି ସମସ୍ତ ଘଟଣାକୁ ଦୂରରେ ଥାଇ ପରିଚାଳନା କରୁଥିଲା ଅଭିଯୁକ୍ତ ହିମାଂଶୁ। ଏନେଇ ଶାସନ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଏକ ଏସ୍ଆଇଟି ଗଠନ କରିଥିଲା। ଅଭିଯୁକ୍ତମାନେ ଶ୍ରୀ ଅଗ୍ରୱାଲଙ୍କୁ ଜମାଦାରପାଲିସ୍ଥିତ ଉକ୍ତ ଘରେ ଖାଇବାକୁ ଦେବା ସହ ତାଙ୍କୁ ନିର୍ଯାତନା ଦେଇ ତାଙ୍କ ନିକଟରେ ଥିବା ନଗଦ ୧୫ ହଜାର ଟଙ୍କା, ମୋବାଇଲ ଓ ସୁନା ଚେନ୍, ମୁଦି ଲୁଟ୍ କରିନେଇଥିଲେ। ଏହାପରେ ସେମାନେ ଶ୍ରୀ ଅଗ୍ରୱାଲଙ୍କ ପୁଅ ଆଲୋକକୁ ଫୋନ୍ କରି ୨ କୋଟି ଟଙ୍କା ଦାବି କରିଥିଲେ। ପୁଲିସ୍ ସବୁଆଡ଼େ ବ୍ଲକିଂ ଓ ଚେକିଂ ଚାଲିଥିବା ଦେଖି ରାତି ପ୍ରାୟ ସାଢ଼େ ୧୧ଟାରେ ଅଭିଯୁକ୍ତମାନେ ଏକ ଆକ୍ଟିଭାରେ ଆଣି ତାଙ୍କୁ ହୀରାକୁଦ ଆର୍ଏମ୍ସି ନିକଟରେ ଛାଡ଼ି ଦେଇଥିଲେ। ଏହି ଘଟଣାର ୫ ଦିନ ପରେ ଅର୍ଥାତ୍ ୧୫ ତାରିଖରେ ଅଭିଯୁକ୍ତ ହିମାଂଶକୁ ପୁଲିସ୍ ଗିରଫ କରିବା ପରେ ଘଟଣାର ଖିଅ ପାଇଥିଲା। ମାତ୍ର ୧୮ ତାରିଖରେ ରାଜୀବ କାର୍ ନେଇ ଡେରାଡୁନ୍ ଚାଲିଯାଇଥିଲା। ଏହାପରେ ଗୋଟିଏ ଟିମ୍ କୋଲକାତା ଓ ଅନ୍ୟ ଟିମ୍ ଉତ୍ତରାଖଣ୍ଡକୁ ଯାଇଥିଲେ। ଶନିବାର ରାତିରେ ପୁଲିସ୍ ଧନକଉଡ଼ାରୁ ସୈଫୁଲ୍ଲାକୁ, ବୁର୍ଲା ଅଞ୍ଚଳରୁ ଆସିଫ୍ ଓ ଏମ୍ଡି ଅଲ୍ଲୀକୁ ଗିରଫ କରିଥିଲା। ରବିବାର ସକାଳୁ ଡେରାଡୁନ୍ ପୁଲିସ୍ ସହାୟତାରେ ମୁଖ୍ୟ ଅଭିଯୁକ୍ତ ରାଜୀବକୁ ମଧ୍ୟ ତାର ନିଜ ଘରୁ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/sambalpur-3.jpg)