ଆର୍‌ଏସ୍‌ପିରୁ ଲୁହା ଚୋରି ଘଟଣା : ୨ ଯବାନ ଓ ବ୍ୟବସାୟୀଙ୍କ ସମେତ ୫ ଗିରଫ

ବିନା ଏଣ୍ଟ୍ରି ପାସ୍‌ରେ କାରଖାନା ପଶିଥିଲା ଟ୍ରେଲର ଓ ଟ୍ରକ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରୁ ଲୁହା ଚୋରି ଘଟଣା ଉପରୁ ପର୍ଦ୍ଦା ହଟିଛି। ଏହି ମାମଲାରେ ଟାଙ୍ଗରପାଲି ପୁଲିସ ଦୁଇଜଣ ସିଆଇଏସ୍‌ଏଫ୍ ଯବାନ, ଦୁଇଜଣ ସ୍କ୍ରାପ୍‌ ମାଫିଆଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆର୍‌ଏସ୍‌ପି ନୂଆ ପ୍ଲେଟ୍‌ ମିଲ୍‌ର କ୍ରେନ୍‌ ଅପରେଟର୍‌ ବିନୋଦ ମହାନନ୍ଦ, ସିଆଇଏସ୍‌ଏଫ୍‌ର ଏଏସ୍‌ଆଇ ମାହି, କନେଷ୍ଟବଳ ଛୋଟରାୟ, ଦୁଇ ସ୍କ୍ରାପ୍‌ ମାଫିଆ ପ୍ରଭାକର ସିଂ ଓ କମଲ ଗୋଏଲ୍‌। ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସିଆଇଏସ୍‌ଏଫ୍‌ ଯବାନ୍‌ଙ୍କ ସଂକ୍ରାନ୍ତରେ ତଦନ୍ତ ଜାରି ରହିଛି। ଏହା ସହିତ ବିନା ଏଣ୍ଟ୍ରିପାସ୍‌ରେ କାରଖାନା ଭିତରକୁ ପଶିଥିବା (ଏନ୍‌ଏଲ୍‌୦୨କ୍ୟୁ-୧୩୩୬) ଟ୍ରକ ଓ ଛତିଶଗଡ଼ର ଟ୍ରଲର (ସିଜି୦୪ଜେଡି-୭୨୮୫)କୁ ଜବତ କରାଯାଇଛି।

ଆଜି ବିଶ୍ରାଛକ ସ୍ଥିତ ଡିଏସ୍‌ପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ପି.କେ. ମିଶ୍ର ଏହି ସୂଚନା ଦେଇ କହିଛନ୍ତି, ସ୍କ୍ରାପ୍‌ ମାଫିଆ କମଲ ନାଁରେ ପୂର୍ବରୁ ଅନେକ ଚୋରି ମାମଲା ରହିଛି। ଆର୍‌ଏସ୍‌ପିରୁ ତମ୍ବା ଓ ଲୁହା ଚୋରି ଘଟଣାରେ ମଧ୍ୟ ସେ ସମ୍ପୃକ୍ତ ଥିଲା। ରାକେଟ୍‌ରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଜାରି ରହିଛି। ଦୁଇ ସ୍କ୍ରାପ ମାଫିଆ ବେଦବ୍ୟାସରେ ରହୁଥିବା ସେମାନେ ଅନ୍ୟ ଜଣେ ସ୍କ୍ରାପ୍‌ ମାଫିଆଙ୍କୁ ଗୋଟିଏ ଟ୍ରକ ଓ ଟ୍ରଲର ଠିକ୍‌ କରିବାକୁ କହିଥିଲେ। ମାଫିଆ ଜଣକ ୩ ଲକ୍ଷ ଟଙ୍କାରେ ଟ୍ରକ, ଟ୍ରଲରକୁ ଠିକ୍‌ କରି ଦେଇଥିଲେ। ଯୋଜନା ମୁତାବକ ଗତ ଡିସେମ୍ବର ୨୫ ତାରିଖରେ ସିଆଇଏସ୍‌ଏଫ୍‌ ଯବାନଙ୍କ ସହ ଭିତିରି ସଲାସୁତରା କରି ଟ୍ରକ ଓ ଟ୍ରଲରକୁ ନୂଆ ପ୍ଲେଟ ମିଲ୍‌କୁ ପଠାଇଥିଲେ। ଟ୍ରଲର ଓ ଟ୍ରକ ପ୍ଲେଟ ମିଲ୍‌ ନିକଟସ୍ଥ ୱେ ବ୍ରିଜ୍‌ ନିକଟରେ ଛିଡ଼‌ା ହୋଇଥିବା ଦେଖି ଜଣେ ମହାପ୍ରବନ୍ଧଙ୍କର ସନ୍ଦେହ ହୋଇଥିଲା। ଏ ନେଇ ସେ ଗାଡ଼ିରେ ବସିଥିବା ଚାଳକ ଓ ଖଲାସୀଙ୍କୁ ପଚାରିବାକୁ ଯିବାରୁ ସେମାନେ ଭୟଭୀତ ହୋଇ ଦୌଡ଼ି ପଳାଇଥିଲେ। ଏଣୁ ବଡ଼ଧରଣର ଚୋରି ଉଦ୍ୟମ ହେଉଥିବା ସନ୍ଦେହ କରି ସେ ଆର୍‌ଏସ୍‌ପି ଭିଜିଲାନ୍ସ ଦଳକୁ ଅବଗତ କରିଥିଲେ। ଏହାପରେ ଭିଜିଲାନ୍ସ ଦଳ ଓ ସିଆଇଏସ୍‌ଏଫ୍‌ଙ୍କ ମିଳିତ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତବେଳେ ଜଣାପଡ଼ିଥିଲା ଯେ ଉଭୟ ଭାରୀଯାନ ଟ୍ରାଫିକ୍‌ ଗେଟ୍‌ ଦେଇ ବିନା ଏଣ୍ଟ୍ରି ପାସ୍‌ରେ ଭିତରକୁ ପଶିଥିଲା। ଗାଡ଼ିର କାଗଜପତ୍ର ମଧ୍ୟ ନ ଥିଲା। ଏଣୁ ଯୋଜନାବଦ୍ଧ ଭାବେ କାରଖାନା ଭିତରୁ ଲୁହା ଚୋରି କରିବା ଲକ୍ଷ୍ୟରେ ହିଁ ଗାଡ଼ି ପଶିଥିବା ତଦନ୍ତକାରୀ ଦଳ ସ୍ପଷ୍ଟ ହୋଇଥିଲେ। ଗତ ଜାନୁଆରି ୨ରେ ସିଆଇଏସ୍‌ଏଫ୍‌ (କ୍ରାଇମ୍‌) ଇନ୍ସପେକ୍ଟର ବଲବନ୍ତ କୁମାର ଏ ନେଇ ଟାଙ୍ଗରପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର