ଜଗତପୁର : ପାନ ବ୍ୟବସାୟୀଙ୍କୁ ହତ୍ୟା, ୫ ଅଟକ

ସାଲେପୁର/କଟକ-ଜଗତପୁର : ଜଗତପୁର ଥାନା ତଥା ସାଲେପୁର ବ୍ଲକ୍‌ ଅନ୍ତର୍ଗତ ଗୋପୀନାଥପୁର-ଲକ୍ଷ୍ମୀନାରାୟଣପୁର ମୁଖ୍ୟଛକ (ସତ୍ୟଭାମାପୁର ପାଇପାସ୍‌)ରେ ଜଣେ ପାନ ବ୍ୟବସାୟୀଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଛି। ମୃତକଜଣକ ହେଲେ ଲକ୍ଷ୍ମୀନାରାୟଣପୁର ହରିଜନ ସାହିର କ୍ଷୀର ଓରଫ୍ କ୍ଷୀରୋଦ ଭୋଇ(୫୯)। ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ତାଙ୍କ ମୁଣ୍ଡ ଓ ମୁହଁରେ ବାରମ୍ବାର ଆକ୍ରମଣ କରିଥିବା ଦେଖାଯାଇଛି। ଏହି ଘଟଣା ପରେ ଲକ୍ଷ୍ମୀନାରାୟଣପୁର ଓ ଆଖପାଖ ଅଞ୍ଚଳରେ ବ୍ୟବସାୟୀଙ୍କ ଭିତରେ ଭୟ ଖେଳିଯାଇଛି।

ଖବର ମୁତାବକ, କ୍ଷୀରୋଦ ଦୀର୍ଘବର୍ଷ ଧରି ଲକ୍ଷ୍ମୀନାରାୟଣପୁର ଛକରେ ଗୋଟାପାନ ବ୍ୟବସାୟ କରି ଆସୁଥିଲେ। ଏଥିସହିତ ସେ ଟଙ୍କା ମଧ୍ୟ ସୁଧିଆ ଲଗାଉଥିଲେ। ଛକରେ ଥିବା ଏକ ଚାଳଘର ଓ ତତ୍‌ସଂଲଗ୍ନ ତମ୍ବୁରେ ସେ ବ୍ୟବସାୟ କରୁଥିଲେ। ସବୁଦିନ ଭଳି ଗତକାଲି ରାତିରେ କ୍ଷୀରୋଦ ଖାଇପିଇ ଉକ୍ତ ତମ୍ବୁରେ ଖଟିଆ ପକାଇ ଶୋଇଥିଲେ। ଆଜି ସକାଳ ପ୍ରାୟ ୭ଟା ବେ‌ଳେ ସ୍ଥାନୀୟ ଲୋକେ ଉକ୍ତ ଦୋକାନକୁ ଯିବାରେ କ୍ଷୀରୋଦଙ୍କ କ୍ଷତବିକ୍ଷକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଖବର ପାଇ କ୍ଷୀରୋଦଙ୍କ ପୁଅ ଶଙ୍କର୍ଷଣ ସେଠାରେ ପହଞ୍ଚିଥିଲେ ଓ ପୁଲିସକୁ ଖବର ଦେଇଥିଲେ। ପାଗା ଫାଣ୍ଡି ଓ ଜଗତପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ଡାକ୍ତରଖାନାକୁ ପଠାଇଥିଲା। ହତ୍ୟାର କାରଣ ସ୍ପଷ୍ଟଭାବେ ଜଣାପଡ଼ି ନଥିଲେ ବି ସୁଧିଆ କାରବାର ଅଥବା ପୂର୍ବ ଶତ୍ରୁତାରୁ ଏଭଳି ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଜଗତପୁର ଥାନା ପୁଲିସ ଏକ ମାମଲା (ନଂ- ୭୧/୨୦) ରୁଜୁ କରି ୬ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିବା ଆଇଆଇସି ପି.କେ. ନାୟକଙ୍କଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର