ନିୟନ୍ତ୍ରଣ ବାହାରେ ଚୌଦ୍ୱାର ଜେଲ୍‌ : ଭିଡିଓ କଲ୍‌ରେ ବଟି ଆଦାୟ କରୁଛନ୍ତି ଗ୍ୟାଙ୍ଗ୍‌ଷ୍ଟର୍‌, ବନ୍ଧାହେଲେ ଟାଇଗର‌୍‌ ରାଜା ସମେତ ୫

କଟକ : ଚୌଦ୍ବାର ସର୍କଲ୍‌ ଜେଲ୍‌ରେ ଗ୍ୟାଙ୍ଗଷ୍ଟର‌୍‌ ମହମ୍ମଦ ସକିଲ୍‌ର ଉତ୍ପାତ ଏବେ ନିୟନ୍ତ୍ରଣ ବାହାରେ। କଟକ ବକ୍ସିବଜାରସ୍ଥିତ ଆନନ୍ଦ ସ୍ପୋର୍ଟସ୍‌ ମାଲିକଙ୍କୁ ହ୍ବାଟସ୍‌ଆପ୍‌ ଭିଡିଓ କଲ୍‌ରେ ବଟି ମାଗିବା ଭଳି ସ˚ଗୀନ ଅଭିଯୋଗ ଏବେ ସାମ୍‌ନାକୁ ଆସିଛି।

ସକିଲ କଲେଜ ଛାତ୍ରଙ୍କ ମାଧ୍ୟମରେ ଜେଲ୍‌ ଭିତରୁ ଭିଡିଓ କଲ୍‌ କରି ବଟି ମାଗିଥିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତା’ ଗ୍ୟାଙ୍ଗ୍‌ରେ ୫୦ରୁ ଅଧିକ କଲେଜ ଛାତ୍ର ସାମିଲ ହୋଇଥିବା ସମ୍ପର୍କିତ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ବଟି ଆଦାୟ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଦରଘାବଜାର ଥାନା ପୁଲିସ ସକିଲ୍‌ର ସହଯୋଗୀ ଟାଇଗର‌୍‌ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଙ୍ଗଳାବାଗ ଗହ୍ମାଡିଆର ସେକ୍ ଅଫସର୍‌ ଓରଫ୍ ଜନ୍‌(୨୫), ସଦର ଥାନା ପୀରବଜାରର ମହମ୍ମଦ ଅକିଲ(୨୪), ମହମ୍ମଦ ୱାଜା(୬୫), ବାଦାମବାଡ଼ି ଝାଞ୍ଜିରୀମଙ୍ଗଳାର ମୁକେଶ ମହାରଣା(୨୨) ଓ ଦରଘାବଜାର ହାତୀପୋଖରୀର ସେକ୍‌ ରାଜା ଓରଫ ଟାଇଗର୍‌ ରାଜ୍‌(୨୦)। ଟାଇଗର୍‌ ରାଜା ‌ସକିଲ୍‌ର ଖାସ୍‌ ସହଯୋଗୀ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଓଡ଼ି-୦୧ଏଏ-୦୭୪୯ ନମ୍ବରର ନାଲି-କଳା ରଙ୍ଗ ସ୍କୁଟି, ଓଡି-୦୫ଏକ୍ସ-୨୭୩୨ ନମ୍ବରର କଳାରଙ୍ଗର ପଲସର୍‌ ଓ ଦୁଇଟି ମୋବାଇଲ୍‌ ଫୋନ୍ ଜବତ ହୋଇଥିବା ସୂଚନା ମିଳିଛି।

ଜେଲ୍‌ରେ ଥିବା ସକିଲ ଏବେ କଟକ ସହରର ନିର୍ଦ୍ଦିଷ୍ଟ ଏକ କଲେଜର ଛାତ୍ରଗୋଷ୍ଠୀଙ୍କୁ ନେଇ ଗ୍ୟାଙ୍ଗ୍‌ ମଜଭୁତ କରିବାକୁ କସରତ୍‌ ଜାରି ରଖିଛି। ଫୋନ୍‌ରେ ବଟି ନ ମାଗି ଜେଲ୍‌ ଭିତରୁ ‘ହ୍ବାଟସ୍‌ ଆପ୍‌’ରେ ଭିଡିଓ କଲ୍‌ କରୁଛି। ଏଥିରେ ଫୋନ୍‌ ଟ୍ରାକ୍‌ ହେବାର ସମ୍ଭାବନ ନ ଥିବାରୁ ସେ ଏଭଳି କରୁଛି। ଏବେ ଦେଵାନ୍‌ବଜାର, କଦମରସୁଲ, କେଶରପୁର ଏବ˚ ପୀରବଜାର ଅଞ୍ଚଳର କଲେଜ ଛାତ୍ର ସକିଲ୍‌ ଗ୍ୟାଙ୍ଗ୍‌ରେ ସାମିଲ ହୋଇଥିବା କୁହାଯାଉଛି। ବଟି ମାଗିବାରେ ଏମାନଙ୍କୁ ବ୍ୟବହାର କରାଯାଉଥିବାରୁ ଗତ ନଭେମ୍ବରରେ ସଦର ଥାନା ପୁଲିସ ସିଟି କଲେଜ୍‌ର ଜଣେ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ରକୁ ଗିରଫ କରିଥିଲା। ପୁଣି ସମାନ ଧରଣର ଘଟଣା ଏବେ ବକ୍ସିବଜାରରେ ଘଟିଛି। ଗତ ୧୨ ତାରିଖରେ ଅଭିଯୁକ୍ତମାନେ ବକ୍ସିବଜାର ଆନନ୍ଦ ‌ସ୍ପୋର୍ଟସ୍‌ ମାଲିକ ଯୋଗେଶ ଅଗ୍ରୱାଲ୍‌ଙ୍କୁ ତାଙ୍କ ଦୋକାନରେ ବନ୍ଧୁକ ଦେଖାଇ ସକିଲ ସହ ‘ହ୍ବାଟ୍ସ ଆପ୍‌ ଭିଡିଓ କଲ୍‌’ରେ କଥା କରାଇଥିଲେ। କଲ୍‌ରେ ଯୋଗେଶଙ୍କଠାରୁ ସକିଲ ୧୦ଲକ୍ଷ ଟଙ୍କା ବଟି ମାଗିଥିଲା ଯାହାକୁ ସେ ନିଜ ପରିବାର ଲୋକଙ୍କୁ ଦେବାପାଇଁ ଯୋଗେଶଙ୍କୁ କହିଥିଲା। କେଇଦିନ ତଳେ ଶ୍ରୀ ଅଗ୍ରୱାଲ କେଶରପୁରରେ ୨ କୋଟି ଟଙ୍କାର ଜମି କିଣିଥିବାରୁ ସକିଲ୍‌ ସେଥିପାଇଁ ତାଙ୍କଠାରୁ ବଟି ମାଗିଥିଲା। ଏ ସମ୍ପର୍କରେ ଯୋଗେଶଙ୍କ ପକ୍ଷରୁ ଦରଘାବଜାର ଥାନାରେ ଗତ ୧୪ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ସକିଲ୍‌ର ପ୍ରମୁଖ ସହଯୋଗୀ କେଶରପୁରର ଟାଇଗର‌୍‌ ରାଜା ସମେତ ଉପରୋକ୍ତ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଦଫା ୩୪୧, ୫୦୬, ୫୦୭, ୩୮୭, ୧୨୦(ବି), ୩୪ ଏବଂ ୨୫/୧୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ମାମଲା ରୁଜୁ କରାଯାଇଛି। ପଚରାଉଚରା ବେଳେ ସକିଲ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସକିଲ କଲେଜ ଛାତ୍ରଙ୍କୁ ମେଳି କରି ଗ୍ୟାଙ୍ଗ ଗଢ଼ିବାକୁ ଯୋଜନା ଚଳାଇଥିବା ନେଇ ପୁଲିସ ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର