କେରଳୀ ଯୁବକଙ୍କୁ ହତ୍ୟା ଘଟଣାରେ ୫ ଗିରଫ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅଞ୍ଚଳରେ ଗତ ୩୦ ତାରିଖରେ ଜଣେ କେରଳୀ ଯୁବକ ଓ ତାଙ୍କ ସାଥୀଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ ଓ ଲୁଟ୍‌ ଘଟଣାରେ ପୁଲିସ ଦୁଇ ନାବାଳକ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଚାନ୍ଦିପୁର ଥାନା ତୁଳସୀପଦା ପୁରୁଣା ବାଲେଶ୍ୱର ଅଞ୍ଚଳର ସୁଧୀରଞ୍ଜନ ମାଝୀ ଓରଫ ସିକୁନ (୩୫), ଟାଉନ ଥାନା ଅଧୀନ ପୁରୁଣା ବାଲେଶ୍ବରର ନିରଞ୍ଜନ ସିଂ ପୁଅ ବାଙ୍କୁ ଓରଫ୍ ଅଭିଜିତ ସିଂ (୩୫)କୁ ଗତକାଲି ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।

ଆଜି ଆଉ ୩ ଜଣ ଅଭିଯୁକ୍ତ ଚାନ୍ଦିପୁର ଥାନା ରଣସାହି ଅଞ୍ଚଳର ରଞ୍ଜନ ମଲ୍ଲିକ ଓରଫ୍‌ ଚମଚମ୍‌ (୧୬), ରୁପ୍ସା ଥାନା କସିପଦା ଗ୍ରାମର ସଦାଶିବ ବଢ଼େଇ ଓରଫ ସଦା(୨୭) ଓ ଚାନ୍ଦିପୁର ଥାନା ରଣସାହି ଗ୍ରାମର ମଣିଶଙ୍କର ବେହେରା ଓରଫ ଭାଲୁ(୧୭)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଆସନ୍ତା ଦିନରେ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ହିମାଂଶୁ କୁମାର ଲାଲ ଓ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ମେ ୩୦ ତାରିଖ ସକାଳେ ସେମିତ୍‌ ଦେବାସୀ ଓ ତାଙ୍କ ସହ ଥିବା ବନ୍ଧୁ ପ୍ରବୀଣଙ୍କୁ ଅଭିଯୁକ୍ତ ସିକୁନ, ବାଙ୍କୁ, ଚମଚମ୍‌, ସଦା, ଭାଲୁ ଓ ତାଙ୍କ ସହଯୋଗୀମାନେ ପୁରୁଣା ବାଲେଶ୍ବରର ତୁଳସୀପଦାଠାରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ପ୍ରାଣାନ୍ତକ ଆକ୍ରମଣ ସହ ୧୫ ହଜାର ଟଙ୍କା ଲୁଟିନେଇଥିଲେ। ଏଥିରେ ସେମିତ୍‌ ଦେବସୀ ଗୁରୁତର ଆହତ ହୋଇ ବାଲେଶ୍ବର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଚାନ୍ଦିପୁର ଥାନାରେ ୫୫/୨୨ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର