ବ୍ରହ୍ମପୁର: ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପଟୁଆରରେ କିଛି ବିବାଦୀୟ ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଧରି ନୃତ୍ୟ କରିବା ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶିବ ମହାରଣା, ଅନୁପମ ରାଉତ, ଶଙ୍କର ଜେନା, ଭଗବାନ ନାୟକ ଓ ବାବୁ ନାୟକ ବୋଲି ପୁଲିସ କହିଛି। ମା’ଙ୍କ ଯାତ୍ରାରେ କିଛି ବ୍ୟକ୍ତି ଗଂଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡନାଚ ପଟୁଆର ବାହାର କରି ଦଣ୍ଡକାଳୀଙ୍କ ସ୍ଥାନରେ କିଛି ବିବାଦୀୟ ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ରଖି ନୃତ୍ୟ କରିଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

Advertisment

କଳା ଓ ସଂସ୍କୃତିର ସହର ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ଏଭଳି ନୃତ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଭଳି ନୃତ୍ୟ କରିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଞ୍ଜାମ ଲୋକକଳା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଏସ୍‌.ପି.ଙ୍କୁ ନିବେଦନ କରାଯାଇଥିଲା। ଏଭଳି ନୃତ୍ୟର ଭିଡ଼ିଓ ଭାଇରାଲ୍‌ ହେବା ପରେ ବଡ଼ବଜାର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। କେସ୍ ନମ୍ବର ୧୩୫/୨୩ରେ ମାମଲା ରୁଜୁ କରି ଏ ସଂକ୍ରାନ୍ତରେ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଅଭିନେତ୍ରୀଙ୍କ ଫଟୋ ରହିଥିବା ପୋଷ୍ଟର୍‌ ଓ ବ୍ୟାନର୍‌ ଜବତ ହୋଇଛି।