ଡକାୟତି ଘଟଣାର ପର୍ଦ୍ଦାଫାସ, ୫ ଗିରଫ

ସୋନପୁର : ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ସୋନପୁର ପୁଲିସ। ଏ ସମ୍ପର୍କରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅମରେଶ ପଣ୍ଡା ସବିଶେ‌ଷ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗତ ୧ ତାରିଖ ରାତି ପ୍ରାୟ ୯ ଟାରେ ସୋନପୁର ଥାନା ହରଡ଼ଖୋଲର ମନୋଜ ପୁରୋହିତଙ୍କୁ ୫ ଜଣ ବ୍ୟକ୍ତି ହରଡ଼ଖୋଲ ଛକରେ ଅଟକାଇ ତାଙ୍କ ତଣ୍ଟିକୁ ଧରି ବିଧା ଓ ଗୋଇଠା ମାରିଥିଲେ। ପରେ ଏହି ୫ ଜଣ ବ୍ୟକ୍ତି ମନୋଜଙ୍କୁ ବୈଦ୍ୟନାଥ ତେଲନଦୀ ବ୍ରିଜ ନିକଟକୁ ନେଇଥିଲେ। ସେଠାରେ ମଧ୍ୟ ମ‌ନୋଜଙ୍କୁ ସେମାନେ ମାଡ଼ ମାରିଥିଲେ। ଏପରିକି ମ‌ନୋଜଙ୍କ ନିକଟରୁ ଅଭିଯୁକ୍ତମାନେ ୩ ହଜାର ଟଙ୍କା ଛଡ଼ାଇ ନେବା ସହ ପୁଲିସରେ ଅଭିଯୋଗ କଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ। ଏସମ୍ପର୍କରେ ମନୋଜ ସୋନପୁର ଥାନାରେ ଅଭିଯୋଗ କଲାପରେ ସୋନପୁର ଥାନା କେସ ନମ୍ବର ୧୬୦/ତା୨/୮/୨୦୨୨ ଦଫା ୩୯୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ପୁଲିସ ଘଟଣାର ତଦନ୍ତ କରୁଥିଲା।

ଏହି ଘଟଣାରେ ପୁଲିସ ସୋନପୁର ପଟାଭାଡ଼ିର ଶଶାଙ୍କ ମିଶ୍ର( ୩୯), ସୋନପୁର ଥାନା ବାଲିଜୁରି ଗ୍ରାମର ପୁରୁଷୋତ୍ତମ ସୁନା(୨୯), ସୋନପୁର କଳିଙ୍ଗନଗରର ସୁନୀଲ ଓରଫ ଛୋଟୁ ଘଡିଆ( ୨୬), ସୋନପୁର ମଝିପଡ଼ାର ସୟଦ ନସିବ ଅଲ୍ଲି(୨୪), ସୋନପୁର ପଟାଭାଡ଼ିର ଇନ୍ଦ୍ରଜିତ ସାହୁ(୨୪)ଙ୍କୁ ଗରିଫ କରିବା ସହ ସେମାନଙ୍କ ନିକଟରୁ ୮ ହଜାର ୨ଶହ ଟଙ୍କା, ୫ଟି ମୋବାଇଲ, ଗୋଟିଏ କାର, ଗୋଟିଏ ହକି ଷ୍ଟିକ, ଗୋଟିଏ ପ୍ଲାଷ୍ଟିକ ପାଇପ, ଗୋଟିଏ ଷ୍ଟିଲ ରଡ୍‌ ଜବତ କରିଛି। ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଏସ୍‌ପି ସୂଚନା ଦେଇଛନ୍ତି। ଗୁରୁବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ଓ ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର