ସମ୍ବଲପୁର: ସମ୍ବଲପୁର ବରେଇପାଲି ଏସ୍‌ବିଆଇ ଶାଖାରେ ଏସ୍‌ଡିଏର ନକଲି କୋଠା ପ୍ଲାନ୍‌ ମଞ୍ଜୁରୀପତ୍ର ପ୍ରଦାନ କରି ୨ ଜଣ ଋଣ ଆବେଦନ କରିଥିବା ଘଟଣାରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନକଲି ମଞ୍ଜୁରୀପତ୍ର ଜଣାପଡ଼ିବା ପରେ ଏସ୍‌ଡିଏର ପ୍ଲାନିଂ ସଭ୍ୟ ବନ୍ଦିତା ମହାପାତ୍ର କ୍ଷେତରାଜପୁର ଥାନାରେ ହରିକେଶ ବାହାଦୁରସିଂ ଓ ସବିତା ବଘାରଙ୍କ ନାଁରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଯାହା ଏବେ ଏସ୍‌ଡିଏ ପାଇଁ ବୁମେରାଂ ହୋଇଛି। ଏହି ମାମଲାରେ ଏସ୍‌ଡିଏର ୨ ଜଣ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଏହାସହିତ ୩ କୋଟି ୩୨ ଲକ୍ଷ ଟଙ୍କାର କାରବାର ହୋଇଥିବା ପୁଲିସ ପର୍ଦ୍ଦାଫାସ କରିଛି।

Advertisment

ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ବୁର୍ଲା ପୁରୁଣା ଏସ୍‌ବିଆଇ ପାର୍କ ଲାଇନ୍‌ର ଲକ୍ଷ୍ମୀନାରାୟଣ ସାମଲ ଓରଫ୍‌ ବୁଲୁ(୩୨)। ବୁଲୁ ଏସ୍‌ଡିଏରେ କିରାଣିଭାବେ କାର୍ଯ୍ୟରତ। ବୁଲୁ ସହିତ ପୁଲିସ ଅଇଁଠାପାଲି କାଇଁଶିରର ଅଜୟ ବେହେରା(୪୭), ମହାନଦୀ ବିହାରର ବିକାଶ ଜଗତ (୩୬), କୁଲୁଥକାନିର ଡମ୍ବରୁଧର ତ୍ରିପାଠୀ (୪୦) ଓ ଝାଡ଼ୁଆପଡ଼ାର ସୁଧାଂଶୁ ପତି (୫୯)କୁ ଗିରଫ କରିଛି। ସେମାନଙ୍କ ପାଖରୁ ୨୨ଟି ଷ୍ଟାମ୍ପ, ୫ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଡେକ୍ସଟପ୍‌, ଗୋଟିଏ ଲାପ୍‌ଟପ୍‌, ୨୨ଟି ଫାଇଲ୍‌ ସହ କାଗଜପତ୍ର, ୨ଟି କାର୍‌ ଓ ଗୋଟିଏ ବାଇକ୍‌ ପୁଲିସ ଜବତ କରିଥିବା ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ବୁଲୁ ଉକ୍ତ ହେରଫେର୍‌ ଟଙ୍କାରେ ବୁର୍ଲାରେ ଏକ କୋଠା ନିର୍ମାଣ କରୁଥିବା ମଧ୍ୟ କୁହାଯାଇଛି। ଏହି ଠକେଇ ଗ୍ୟାଙ୍ଗ୍‌ ବର୍ତ୍ତମାନ ସୁଦ୍ଧା ୫୪ରୁ ଅଧିକ ଲୋକଙ୍କୁ ତାଙ୍କ ଜାଲରେ ପକାଇଥିବା ଏସ୍‌ପି କହିଛନ୍ତି। ସୂଚନା ଅନୁସାରେ, ଘର ତିଆରି ପାଇଁ ଋଣ ଆବେଦନ ସମୟରେ ବ୍ୟାଙ୍କ୍‌ରେ ଲୋକଙ୍କୁ ପ୍ଲାନ୍‌ ମଞ୍ଜୁରିପତ୍ର ଦେବାକୁ ପଡ଼ିଥାଏ। ଏହି ମଞ୍ଜୁରୀପତ୍ର ପାଇଁ ଲୋକେ ଏସ୍‌ଡିଏ କାର୍ଯ୍ୟାଳୟକୁ ଯାଉଥିଲେ, ଯେଉଁଠାରେ ବୁଲୁ ସେମାନଙ୍କୁ କବ୍‌ଜା କରି ନେଉଥିଲା। ଏସ୍‌ଡିଏ ଅଫିସରେ ଏହି କଳାକାରନାମା ଚାଲିଥିବାରୁ ତାକୁ କେହି ସନ୍ଦେହ କରୁ ନଥିଲେ। ବୁଲୁ ନକଲି ଷ୍ଟାମ୍‌ ଓ ଦସ୍ତଖତ ମାଧ୍ୟମରେ ଏହି କାରବାର ଚଳାଇଥିଲା। ଏଥିରେ ଏସଡିଏର ଷ୍ଟେନୋ ସୁଧାଂଶୁ ପତି ମଧ୍ୟ ସାମିଲ ଥିଲେ। ତାଙ୍କର ସହଯୋଗୀ ନକଲି କାଗଜପତ୍ର ତିଆରି ଓ ଟଙ୍କା ନେଣଦେଣରେ ସାମିଲ ଥିଲେ। କୁଲୁଥକାନୀର ପୂଜକ ଡମ୍ବରୁଧର ତ୍ରିପାଠୀ ମାଧ୍ୟମରେ ସବୁଠାରୁ ଅଧିକ ନେଣଦେଣ ହୋଇଛି। ମଞ୍ଜୁରୀପତ୍ର ପାଇଁ ଏହି ଗ୍ୟାଙ୍ଗ୍‌ ଲୋକଙ୍କ ଠାରୁ ୧.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଥିଲେ। ଜଣଙ୍କ ଠାରୁ ୨୧ ଲକ୍ଷରୁ ଅଧିକ ଟଙ୍କା ନିଆଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଟଙ୍କା ନେଣଦେଣରେ ସାମିଲ ଥିବା ୩ଟି ବ୍ୟାଙ୍କ୍‌ ଆକାଉଣ୍ଟକୁ ପୁଲିସ ଫ୍ରିଜ୍‌ କରିଛି। ସେଥିରେ ୪ ଲକ୍ଷ, ୫୩ ଲକ୍ଷ ଓ ୧.୨୧ କୋଟି ଟଙ୍କା ରହିଛି।