ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ୍ ପ୍ରତି ଅପରାଧୀଙ୍କର ଯେ ତିଳେମାତ୍ର ଖାତିର୍ ନାହିଁ, ବୁଧବାର ଦିନ ଘଟିଥିବା ଏକ ଘଟଣାରୁ ଜଣାପଡ଼ିଛି। ସେମାନଙ୍କୁ ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ବୋମା ଫିଙ୍ଗିବାକୁ ପଛାଇ ନାହାନ୍ତି। ଯଦିଓ ଏଥିରେ କାହାର କିଛି କ୍ଷତି ଘଟିନାହିଁ, ବୋମା ନିଷ୍କ୍ରିୟ ସମୟରେ ଜଣେ ପୁଲିସ ଆହତ ହୋଇଥିବା ଜଣାପଡ଼ିଛି।
ଘଟଣା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତି ପ୍ରାୟ ୩ଟାରେ ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ ସୁରେଶ ବେହେରାଙ୍କ ଘର ଉପରକୁ ଦୁଇଟି ବୋମାମାଡ଼ ହୋଇଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଆଜି ଶ୍ରୀକ୍ଷେତ୍ରବିହାରରେ ପହଞ୍ଚି ଚଢ଼ାଉ କରିବା ସହିତ ଆତ୍ମସମର୍ପଣ କରିବା ପାଇଁ ଡାକବାଜି ଯନ୍ତ୍ରରେ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୧୫ମିନିଟ୍ ପର୍ଯ୍ୟନ୍ତ କେହି ବାହାରକୁ ନଆସିବାରୁ ସେହି ଘରର ମୁଖ୍ୟ ଫାଟକ ଭାଙ୍ଗି ପୁଲିସ ଭିତରେ ପଶିବାକୁ ଉଦ୍ୟମ କରିଥିଲା। ସେତିକି ବେଳେ ଭିତରପଟୁ ପୁଲିସକୁ ଲକ୍ଷ୍ୟ କରି ଦୁଇଟି ବୋମା ପିଙ୍ଗିଥିଲେ ଦୁର୍ବୃତ୍ତ। ତେବେ କବାଟରେ ବାଜି ଏହା ଫୁଟିଥିଲେ ମଧ୍ୟ ପୁଲିସ କର୍ମୀଙ୍କ କିଛି କ୍ଷତି ଘଟି ନଥିଲା।
ଶେଷରେ, ବ୍ରହ୍ମପୁର ଏସ୍.ପି. ଡା.ଶରବଣା ବିବେକ୍ ଏମ୍.ଙ୍କ ନେତୃତ୍ବରେ ପୁଲିସ ଟିମ୍ ୨ମହିଳାଙ୍କ ସମେତ ୫ଜଣଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ସେଠାରୁ ୨ଟି ବିଦେଶୀ କୁକୁର ଛୁଆ ମଧ୍ୟ ପୁଲିସ ଉଦ୍ଧାର କରିବା ସହ ୫ରୁ ଅଧିକ ବୋମା, ୪ଟି ଖଣ୍ଡା ସହ କେତେକ ମଦ ବୋତଲ ଜବତ କରିଛି। ସେମାନଙ୍କ ଠାରୁ ଜବତ ବୋମା ନିଷ୍କ୍ରିୟ କରିବାକୁ ଯାଇଥିବା ଜଣେ ପୁଲିସ ଅଧିକାରୀ ଅଶୋକ ପ୍ରଧାନଙ୍କ ହାତରେ ବୋମା ଫୁଟିଯିବାରୁ ସେ ଗୁରୁତର ହୋଇଥିବା ଓ ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରା ଯାଇଥିବା ଜଣାପଡ଼ିଛି।