ଗାଁରେ ଗୁଣ୍ଡାଗିରି : ହୋମଗାର୍ଡ ସହ ୫ ଗିରଫ

ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା, ହୋମଗାର୍ଡଙ୍କୁ ଚାକିରିରୁ ବହିଷ୍କାର ଦାବି

ଝାରବନ୍ଧ : ଝାରବନ୍ଧ ଥାନାରେ କାର୍ଯ୍ୟରତ ହୋମଗାର୍ଡ ସଞ୍ଜୟ ପ୍ରଧାନଙ୍କୁ ଦାଦାଗିରି ଭାରି ପଡ଼ିଛି। ଏପରିକି ତାଙ୍କୁ ଚାକିରିରୁ ହଟିବାକୁ ବି ପଡ଼ିପାରେ। ଝାରବନ୍ଧ ଥାନା ଅଧିନସ୍ଥ ପ୍ରତାପପୁରଠାରେ ମାଡପିଟ ଘଟଣା ସାମନାକୁ ଆସିଛି। ସୁଦାମ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସାଙ୍ଗ ଜତିନ ମନୋଦରା ସହ ଗତକାଲି ସନ୍ଧ୍ୟାରେ ଗାଁ ଦାଣ୍ଡରେ ବୁଲୁଥିବା ସମୟରେ ହୋମଗାର୍ଡ ସଞ୍ଜୟ ପ୍ରଧାନ, ବିଜୟ ପ୍ରଧାନ, ଅଜୟ ପ୍ରଧାନ, ଅଶୋକ ପ୍ରଧାନ ଓ କୁଳମଣୀ ପ୍ରଧାନ ଲୁହାରଡ୍‌ ଓ ବାଡ଼ିରେ ଆକ୍ରମଣ କରିଥିଲେ। ସୁଦାମଙ୍କ ବାପା ସେଠାକୁ ପହଂଚିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପୂର୍ବରୁ କୌଣସି ଶତ୍ରୁତା ନଥିଲେ ମଧ୍ୟ ଆକ୍ରମଣକାରୀ ଗାଁରେ ଆତଙ୍କରାଜ ସୃଷ୍ଟି କରୁଥିଲେ ବୋଲି ଗ୍ରାମବାସୀ କହୁଛନ୍ତି। ପ୍ରାୟ ପ୍ରତିଦିନ ବିନା କାରଣରେ ଲୋକଙ୍କୁ ମାଡପିଟ କରି ଭୟଭୀତ କରାଯାଉଥିଲା। ଲୋକେ କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଥିଲେ। ପ୍ରତିବାଦ କଲେ ତାଙ୍କୁ ଆକ୍ରମଣ ହେଉଥିଲା।

ତେବେ ଗତକାଲିର ଆକ୍ରମଣ ଅସହ୍ୟ ହୋଇଯାଇଥିଲା। ସୁଦାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପଦ୍ମପୁରକୁ ପଠାଯାଇଛି । ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଥାନାରେ ଅଭିଯୋଗ ପରେ ଝାରବନ୍ଧ ପୁଲିସ ଦଫା କୋହଳ କରିଥିବା ଅଭିଯୋଗ ଆଣି ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ ସାହୁ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବାପରେ ଧାରଣାରୁ ହଟିଥିଲା। ହୋମଗାର୍ଡଙ୍କ ସମେତ ପାଞ୍ଚଜଣଙ୍କ ବିରୋଧରେ କେସ ନମ୍ବର ୨୦/୨୧, ଦଫା୧୪୭,୧୪୮,୩୪୧,୩୨୩,୩୨୫,୩୫୪,୫୦୬,୧୪୯ ଓ ୩୦୭ ଅନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଝାରବନ୍ଧ ଥାନା ଅଧିକାରୀ ଠାକୁର ପ୍ରସାଦ ମୁର୍ମୁଙ୍କ ଠାରେ ଗ୍ରାମବାସୀ ହୋମଗାର୍ଡଙ୍କୁ ଚାକିରିରୁ ବହିଷ୍କାର ଦାବି କରାଯାଇଛି। ଶ୍ରୀ ମୁର୍ମୁ ଏହି ପ୍ରସଂଗରେ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର