ଭୁବନେଶ୍ବର: ୫ଟି ବ୍ୟାକ୍ଟେରିଆ ଦେଶରେ ୭ଲକ୍ଷରୁ ଅଧିକ ଜୀବନ ନେଇଛି। ୨୦୧୯ ମସିହାରେ ଇ.କୋଲାଇ, ଏସ୍. ନିମୋନିଆ କେ.ନିମୋନିଆ, ଏସ୍.ଅରେଅସ୍ ଓ ଏ.ବୌମାନି ଯୋଗୁଁ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଥିବା ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ଲାନ୍ସେଟ୍ରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଇ.କୋଲାଇ ସାଧାରଣଭାବେ ଡାଇରିଆ ଓ ମୂତ୍ରାଶୟ ସଂକ୍ରମଣ ସହିତ ଜଡ଼ିତ ଥିବା ବେଳେ ଏଥିରେ ୧୬.୧ଲକ୍ଷ, ଏସ୍.ନିମୋନିଆ, କେ.ନିମୋନିଆ, ଏସ୍.ଅରେଅସ୍ ଓ ଏ.ବୌମାନିଙ୍କରେ ଯଥାକ୍ରମେ ୧୪.୪ଲକ୍ଷ, ୧୩.୨ଲକ୍ଷ, ୧୨.୮ଲକ୍ଷ ଓ ୧୧ଲକ୍ଷ ଜୀବନ ଯାଇଛି। ଲାନ୍ସେଟ୍ର ରିପୋର୍ଟ ଅନୁସାରେ, ୩୩ଟି ବ୍ୟାକ୍ଟେରିଆ ପ୍ରଜାତି ଉପରେ ଅନୁଧ୍ୟାନ କରାଯାଇଥିଲା। ସମୁଦାୟ ୧୩.୬୭ଲକ୍ଷ ଲୋକ ବ୍ୟାକ୍ଟେରିଆର ଶିକାର ହୋଇଥିବା ବେଳେ କେବଳ ୫ଟି ବ୍ୟାକ୍ଟେରିଆରେ ୭ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।.
ଏହାସହ ସଲମୋନେଲା ଟାଇଫି, ନନ୍-ଟାଇଫୋଡାଲ ସଲମୋନେଲା ଓ ସ୍ୟୁଡୋମୋନାସ ଅରୁୢଗିନୋସା ଭଳି ବ୍ୟାକ୍ଟେରିଆରେ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇଛି। କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ଦେଶରେ ମଧ୍ୟ ଏସବୁ ବ୍ୟାକ୍ଟେରିଆ କାରଣରୁ ସଂକ୍ରମଣରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ବିଶ୍ବରେ ୧.୩ କୋଟି ଲୋକ କେବଳ ସଂକ୍ରମଣଜନିତ ମୃତ୍ୟୁର ଶିକାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ୩୩ଟି ବ୍ୟାକ୍ଟେରିଆ ପାଥୋଜେନ୍ରେ ୭୭ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ୭୭ଲକ୍ଷ ମୃତକଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକ ମୃତ୍ୟୁ ଲୋୟର ରେସ୍ପିରେଟୋରି ସଂକ୍ରମଣ(ଏଲଆରଆଇ), ବ୍ଲଡଷ୍ଟେମ୍ ସଂକ୍ରମଣ(ବିଏସ୍ଆଇ), ପେରିଟୋନାଲ ଓ ଇଣ୍ଟ୍ରା ଆବଡୋମିନାଲ ସଂକ୍ରମଣ(ଆଇଏଏ)ରେ ହୋଇଥିବା କୁହାଯାଇଛି।
ୱାଶିଂଟନ ସ୍କୁଲ ଅଫ୍ ମେଡିସିନ୍ର ଇନଷ୍ଟିଚ୍ୟୁଟ୍ ଫର ହେଲ୍ଥ ମେଟ୍ରିକ୍ସ ଓ ଇଭାଲ୍ୟୁସନ୍(ଆଇଏଚ୍ଏମ୍ଇ)ର ନିର୍ଦେଶକ ଡା.ଖ୍ରୀଷ୍ଟଫର ମୁରେ କହିଛନ୍ତି, ପ୍ରଥମଥର ଲାଗି ଏହି ରିପୋର୍ଟରେ ବିଶ୍ବରେ ବ୍ୟାକ୍ଟେରିଆ କାରଣରୁ ହେଉଥିବା ସମସ୍ୟା/ମୃତ୍ୟୁ ସଂପର୍କିତ ତଥ୍ୟର ଅବଲୋକନ କରାଯାଇଛି। ଏହି ରିପୋର୍ଟ ଆଗାମୀ ଦିନରେ ବ୍ୟାକ୍ଟେରିଆ ଜନିତ ମୃତ୍ୟୁ ଉପରେ ଅଧିକ ଗବେଷଣା ଓ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବାରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ବ୍ୟାକ୍ଟେରିଆ ଜନିତ ମୃତ୍ୟୁ ସହିତ ବୟସର କୌଣସି ନିର୍ଦ୍ଦିଷ୍ଟ ସଂପର୍କ ନାହିଁ। ବିଶ୍ବରେ ୯.୪ଲକ୍ଷ ମୃତ୍ୟୁ କେବଳ ଏସ୍.ଅରେଅସ୍ ଯୋଗୁଁ ହେଉଛି। ସଲମୋନେଲା ଏଣ୍ଟରିକା ସେରୋଭର ଟାଇଫି ଯୋଗୁଁ ୫-୧୪ବର୍ଷର ୪୯ହଜାରରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି। ସେହିପରି ନବଜାତକ ଓ ୫ବର୍ଷରୁ କମ୍ ଶିଶୁଙ୍କ କ୍ଷେତ୍ରରେ ଏସ୍.ନିମୋନିଆ କାରଣରୁ ୨ଲକ୍ଷ ୨୫ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।