ଉଦ୍ଧାର ହେଲେ ୫ ବାଂଲାଦେଶୀ ମତ୍ସ୍ୟଜୀବୀ, ୪ ଜଣଙ୍କ ପତ୍ତା ମିଳୁନି

ଧାମରା: ସାମୁଦ୍ରିକ ଝଡରେ ଶିକାର ହୋଇ ଗଭୀର ସମୁଦ୍ରରେ ଭାସୁଥିବା ବେଳେ ଧାମରା ଜେଟିର ‘ଯମୁନା’ ମାଛଧରା ବୋଟ ୫ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ଗତକାଲି ସନ୍ଧ୍ୟାରେ ୨ ଜଣ ମତ୍ସ୍ୟଜୀବୀ ଏକ ଗ୍ୟାସ ଟାଙ୍କି ଉପରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ରାତି ଗୋଟାଏ ବେଳେ ସେହି ମାଲିକର ଅନ୍ୟ ଏକ ବୋଟ ‘ଯମୁନା ୪୪’ (ଆଇଏନଡି୦୧ଏମଏମ-୧୦୭୧)କେନ୍ଦ୍ରାପଡା ଜିଲ୍ଲାର ସାତଭାୟା ନିକଟରୁ ଆଉ ୩ ଜଣ ମତ୍ସ୍ୟଜୀବୀଙ୍କୁ ଏକ କାଠବହ୍ଲା ଉପରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ଧାମରା ଜେଟିରେ ଆଜି ଭୋରରେ ପହଞ୍ଚିଥିଲେ। ତେବେ ଏହି ୨ଟି ଗ୍ରୁପରେ ମୋଟ ୯ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୫ ଜଣ ଉଦ୍ଧାର ହୋଇଥିବା ବେ‌େଳ ୪ ଜଣଙ୍କର ଖବର ମିଳିନାହିଁ।

ଗତ ୨୪ ତାରିଖରେ ୨ଟି ବୋଟରେ ମୋଟ ୪୧ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ମାଛ ମାରୁଥିବା ବେଳେ ସାମୁଦ୍ରିକ ଝଡରେ ଶିକାର ହୋଇ ଏଣେ‌େତଣେ ଆଶ୍ରୟ ନେଇଥିବା ବେଳେ ଗତକାଲି ଏପିଜେ ଅବଦୁଲ କଲାମ ଦ୍ବୀପ ନିକଟରେ କଶିଆ ଅଂଚଳର ଏକ ମାଛଧରା ବୋଟ ୧୦ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ଧାମରା ଅଂଚଳର ୨ଟି ବୋଟ ୨ଟି ସ୍ଥାନରୁ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ମୋଟ ୪୧ ଜଣ ମତ୍ସ୍ୟଜୀବୀ ମଧ୍ୟରୁ ୧୫ ଜଣ ଉଦ୍ଧାର ହୋଇଥିବା ସ୍ଥଳେ ୨୬ ଜଣ ମତ୍ସ୍ୟଜୀବୀଙ୍କର ପତ୍ତା ମିଳି ନ ଥିବା ଜଣାଯାଇଛି। ଉଦ୍ଧାର ହୋଇ ଧାମରା ସାମୁଦ୍ରିକ ଥାନା ହେପାଜତରେ ଥିବା ବାଂଲାଦେଶୀ ମତ୍ସ୍ୟଜୀବୀମାନେ ହେଲେ ମହମ୍ମଦ ୟୁସୁଫ (୩୨), ମହମ୍ମଦ ମୁନିର (୨୬), ମହମ୍ମଦ ଇମାମ ହୁସେନ (୨୫), ମହମ୍ମଦ ଗୟାସୁଦ୍ଦିନ (୨୬) ଓ ମହମ୍ମଦ ହକିୟୁ (୪୫)। ଏହି ମତ୍ସ୍ୟଜୀବୀଙ୍କୁ ପ୍ରଥମେ ଧାମରା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଧାମରା ସାମୁଦ୍ରିକ ଥାନାରେ ରଖାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଠିକ ଥିବା ଡାକ୍ତର ସୂଚନା ଦେଇଥିବା ବେଳେ ଏହି ୫ ଜଣ ମତ୍ସ୍ୟଜୀବୀ ବାଂଲାଦେଶ ଭୋଲା ଜିଲ୍ଲାର ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର