୫ ବାଇକ୍‌ ଲୁଟେରା ଗିରଫ

ଭଦ୍ରକ: ଭଦ୍ରକ ଟାଉନ୍ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୭ଚୋରା ବାଇକ୍‌କୁ ଉଦ୍ଧାର କରିଥିବା ବେଳେ ୫ ବାଇକ୍‌ ଲୁଟେରାଙ୍କୁ ଗିରଫ କରିଛି।
ଗତ କିଛି ଦିନ ଭିତରେ ଭଦ୍ରକ ସହରର ବିଭିନ୍ନ ସ୍ଥାନରୁ ବାଇକ ଚୋରି ହେବା ସହ ଲୁଟ୍‌ ହୋଇଥିଲା। ବାଇକ୍‌ ଲୁଟେରା ଓ ଡକାୟତ ଦଳଙ୍କ ଆତଙ୍କରାଜ୍‌ରେ ସହରବାସୀ ଅତିଷ୍ଠ ହୋଇପଡ଼ିଥିଲେ। ଭଦ୍ରକ ଏସ୍‌ପି ଚରଣ ସିଂ ମୀନାଙ୍କ ନିର୍ଦେଶ କ୍ରମେ ଭଦ୍ରକ ସହର ଓ ଗ୍ରାମାଂଚଳ ଥାନା ଅଂଚଳରେ ପୁଲିସ ଚଢଉ କରିଥିଲା। ଆଜି ଭଦ୍ରକ ଟାଉନ୍ ପୁଲିସ ବାଇକ୍ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୪ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଗିରଫ ହୋଇଥିବା ବାଇକ୍ ଲୁଟେରାଙ୍କ ଘର ଭଦ୍ରକର ବିଭିନ୍ନ ଅଞ୍ଚଳରେ ହୋଇଥିବା ବେଳେ ସେମାନେ ବିଶେଷ କରି ଭଦ୍ରକ ସହର ଓ ଏହାର  ଆଖପାଖ ଅଞ୍ଚଳ ବାଇକ ଚୋରି କରୁଥିଲେ। ଏହି ବାଇକ୍ ଚୋରି ରାକେଟ୍‌ରେ ଆହୁରି ୨୦ରୁ ଊର୍ଦ୍ଧ୍ବ ସାମିଲ୍ ରହିଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିବା ନେଇ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

ସୂଚନାଯୋଗ୍ୟ, ପୁଲିସ ଚଢଉ କରି ସହରର ଅପର୍ତ୍ତିବିନ୍ଧା ଷ୍ଟେଟ ବ୍ୟାଙ୍କ ଛକରୁ  ଆଗରପଡା ଅଞ୍ଚଳର ଶିକ୍ଷକଙ୍କଠାରୁ ୧୨ ଲକ୍ଷ ଲୁଟ୍‌ ଘଟଣାର ଅଭିଯୁକ୍ତକୁ ଗିରଫ କରିବା ସହ ୯ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା। ସେହିପରି ଗ୍ରାମାଞ୍ଚଳ ଥାନା ଅଂଚଳର ଦୁଇଟି ବଡ଼ ଡକାୟତ ଗ୍ୟାଙ୍ଗରୁ ଆରଡ଼ି ଛକରୁ ୪ଜଣ ଡକାୟତ ଗିରଫ ହେବା ସହ ୧୬ନମ୍ବର ଜାତୀୟ ରାଜପଥର ବାସୁଳୀ ଢ଼ାବା ଡକାୟତ ମାମଲାରେ ୩ ଡକାୟତଙ୍କୁ ପୁଲିସ ଗିରଫ କରିଥିଲା। ଭଦ୍ରକ ସହରରେ ଏବେ  ମଦ  ମାଫିଆମାନେ ଆତଙ୍କରାଜ ସୃଷ୍ଠି କରୁଥିବା ବେଳେ ବ୍ରାଉନସୁଗାର ବେପାରୀ ସକ୍ରିୟ ଅଛନ୍ତି। ଏମାନେ ବନ୍ତ ଛକରେ ସନ୍ଧ୍ୟା ହେଲେ ଆତଙ୍କରାଜ ସୃଷ୍ଟି କରୁଛନ୍ତି। ବନ୍ତ ଛକରେ ଏକ ଫାଣ୍ଡି ରହିଥିଲେ ମଧ୍ୟ ରାତିରେ ଏହି ଛକରେ ପୁଲିସ ପାଟ୍ରୋଲିଂ କରିବାକୁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର