କୋରାପୁଟ ଜିଲ୍ଲାରେ ୫-ଟି ଅଧ୍ୟକ୍ଷ: ଅପପ୍ରଚାରର ଜବାବ ଦେବାକୁ ଆହ୍ବାନ

କୋରାପୁଟ/ଜୟପୁର: ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୪ଘଣ୍ଟା ପରିଶ୍ରମ କରୁଛନ୍ତି। କିନ୍ତୁ କିଛି ଲୋକ ଓଡ଼ିଶାକୁ ବଦନାମ କରିବା ପାଇଁ ଅପପ୍ରଚାର ଚଳାଇଛନ୍ତି। ସେମାନଙ୍କୁ ଜବାବ ଦେବାକୁ ହେବ ବୋଲି ଆହ୍ବାନ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। କୋରାପୁଟଗସ୍ତରେ ଆସି ଶ୍ରୀ ପାଣ୍ଡିଆନ କହିଛନ୍ତି, ଅବିଭକ୍ତ କୋରାପୁଟକୁ ମୁଖ୍ୟମନ୍ତ୍ରୀ ଅଧିକ ଭଲ ପାଉଛନ୍ତି। ତେଣୁ କୋରାପୁଟ ଜିଲ୍ଲାକୁ ଦୁଇଟି ଦୁଇଟି ବିଶ୍ୱବିଦ୍ୟାଳୟ ଦେଇଛନ୍ତି। ଟଙ୍କିକିଆ ଚାଉଳ, ଲକ୍ଷ୍ମୀ ବସ୍, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅବିଭକ୍ତ କୋରାପୁଟରୁ ହିଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି। ପ୍ରତି ଯୋଜନାରେ ମୁଖ୍ୟମନ୍ତ୍ରୀ କୋରାପୁଟକୁ ଯୋଡ଼ିଛନ୍ତି ଓ ଏ ଧାରା ଆଗକୁ ବି ଜାରି ରହିବ।

କୋରାପୁଟ ଏବଂ ଜୟପୁରରେ ୩ଟି କାର୍ଯ୍ୟକ୍ରମରେ ଆଜି ୫-ଟି ଅଧ୍ୟକ୍ଷ ଯୋଗ ଦେଇଥିଲେ। ପ୍ରଥମେ କୋରାପୁଟ ଲାଣ୍ଡିଗୁଡ଼ା ସ୍ଥିତ ମହାବିଦ୍ୟାଳୟରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ବହୁ ସଂଖ୍ୟାରେ ଯୁବବର୍ଗ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହାପରେ ଜୟପୁର ଦଶହରା ପଡ଼ିଆ କାର୍ଯ୍ୟକ୍ରମରେ ଯୋଗଦେଇ ଦରଖାସ୍ତ ଗ୍ରହଣ କରିଥିଲେ। ସେ କହିଥିଲେ, ମନ୍ଦିର, ମସଜିଦ, ଚର୍ଚ୍ଚର ରୂପାନ୍ତର ନିମନ୍ତେ ସପ୍ତାହକ ମଧ୍ୟରେ ଖୁସି ଖବର ମିଳିବ। ମୁଖ୍ୟମନ୍ତ୍ରୀ ଯେଉଁ ଅନୁଦାନ ଦେବେ ତାହାକୁ ନିଜର ଭାବି ସ୍ବଚ୍ଛତା ସହକାରେ କାମ କରିବାକୁ ହେବ। ଭଲ କାମ କଲେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଶ୍ରୀ ପାଣ୍ଡିଆନ।

ସେ କହିଥିଲେ, ପୂର୍ବରୁ ଉଚ୍ଚଶିକ୍ଷା ପାଇଁ କୋରାପୁଟବାସୀଙ୍କୁ ବ୍ରହ୍ମପୁରକୁ ଯିବାକୁ ପଡୁଥିଲା। ବିକ୍ରମଦେବ କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ ହେବାପରେ ସେହି ସମସ୍ୟାର ଅନ୍ତ ହୋଇଯାଇଛି। ଜଗନ୍ନାଥ ସାଗର ପାଇଁ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ଦେଇଥିଲେ। ଜୟପୁର ସରକାରୀ ଉଚ୍ଚବିଦ୍ୟାଳୟ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସରକାରଙ୍କ ଯୋଜନା ଘରେ ଘରେ ପହଞ୍ଚାଇବାକୁ ନିବେଦନ କରିଥିଲେ। ଜୟପୁରରେ ଆୟୋଜିତ ସାଧାରଣ ସଭାରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ସ୍ଥାନୀୟ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର