ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ବିକାଶଧାରାକୁ ବିରୋଧ କରୁଥିବା ବିରୋଧୀଙ୍କୁ ଜବାବ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନ। ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, କିଛି ଲୋକଙ୍କୁ ବିକାଶ ଦେଖା ଯାଉନାହିଁ। ରୂପାନ୍ତରକୁ ଗ୍ରହଣ କରିପାରୁ ନାହାନ୍ତି। ରୂପାନ୍ତର କଥା ଆସିଲା ବେଳକୁ ସେମାନେ ଅନ୍ଧ ହୋଇ ଯାଉଛନ୍ତି। ଆଖି ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତର ଜଳଜଳ ହୋଇ ଦେଖାଯିବ। ଶିକ୍ଷାରୁ ସ୍ବାସ୍ଥ୍ୟସେବା, ଗମନାଗମନରୁ ଐତିହ୍ୟସ୍ଥଳୀର ସୌନ୍ଦର୍ଯ୍ୟୀକରଣ କାମ ହାତକୁ ନିଆଯାଉଛି। ବିକାଶର ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା। ଐତିହାସିକ ରୂପାନ୍ତର ଦେଖି ବି କିଛି ଲୋକ ବାରମ୍ବାର ଅପପ୍ରଚାର କରୁଛନ୍ତି ବୋଲି ୫-ଟି ଅଧ୍ୟକ୍ଷ ଶ୍ରୀ ପଣ୍ଡିଆନ କହିଛନ୍ତି।
ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ଦିନ ଗସ୍ତରେ ଗ୍ରାଉଣ୍ଡ୍ ଜିରୋ ସମୀକ୍ଷା କରିବା ବେଳେ ବିରୋଧୀଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ୫-ଟି ଅଧ୍ୟକ୍ଷ। ସେ କହିଛନ୍ତି, ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରି ସାଙ୍ଗକୁ ବିଭିନ୍ନ ସୁବିଧା ସହ ସ୍କୁଲ ରୂପାନ୍ତର ହୋଇଛି। ବଡ଼ ସ୍ବପ୍ନ ଦେଖିବାକୁ ଗରିବଙ୍କୁ ଆଜି ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ବଡ଼ ଡାକ୍ତରଖାନାରେ ଗରିବଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ମିଳି ପାରୁଛି। ଲକ୍ଷ୍ମୀବସ୍ ଯୋଜନା, ରାସ୍ତା ଓ ସେତୁ ନିର୍ମାଣ ଦ୍ବାରା ଗମନାଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏସବୁ ରୂପାନ୍ତର କିଛି ଲୋକଙ୍କୁ ଦିଶୁନି, ତେବେ ସେମାନେ ଆଖି ଖୋଲିବା ଦରକାର ବୋଲି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ତିଆନ ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା ବେଳେ କହିଛନ୍ତି। ଆଜି ଭୋର୍ରୁ ଶ୍ରୀ ପାଣ୍ତିଆନ ପ୍ରଥମେ ଏମକେସିଜି ମେଡିକାଲ କଲେଜ ଯାଇ ସେଠାରେ ଡାକ୍ତରୀ ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ରବିବାର ଦିନ ଭୋର୍ ୫ଟା ୪୫ରେ ପହଞ୍ଚି ଥିବାରୁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଡାକ୍ତରୀ ଛାତ୍ରଛାତ୍ରୀ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ମେଡିକାଲ କଲେଜ ରୂପାନ୍ତରର ମାଷ୍ଟର୍ପ୍ଲାନ ଅନୁଧ୍ୟାନ କରିଥିଲେ। ୭୬କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଥିବା କ୍ୟାନସର୍ କେୟାର୍ ସେଣ୍ଟରର ସମୀକ୍ଷା କରିଥିଲେ। ଏହି ଅବସରରେ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ତ୍ ମାସିକ ୨୮ହଜାର ଟଙ୍କାରୁ ୪୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଡାକ୍ତରୀ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ପାଣ୍ତିଆନଙ୍କୁ ଧନ୍ୟବାଦ ଦେଇଥିଲେ।
କ୍ୟାନସର୍ କେୟାର୍ ୟୁନିଟ୍ କାର୍ଯ୍ୟ ସମୀକ୍ଷା
୨୦୨୫ ସୁଦ୍ଧା ବ୍ରହ୍ମପୁର ରିଂ-ରୋଡ଼ କାମ ଶେଷ
ଫେବ୍ରୁଆରି ସୁଦ୍ଧା ସରିବ କଲେଜ ରୂପାନ୍ତର
ବିଭିନ୍ନ ମନ୍ଦିର ପାଇଁ ଅନୁଦାନ ମଂଜୁର
ପରେ କୁକୁଡ଼ାଖଣ୍ତିର କୁସୁମୀ ଠାରେ ତିଆରି ହେଉଥିବା ରିଂ-ରୋଡ଼ ପରିଦର୍ଶନରେ ଯାଇ ସେଠାରେ ମଧ୍ୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ୨୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ରିଂ-ରୋଡ଼ କାମ ୨୦୨୫ ଡିସେମ୍ବର ସୁଦ୍ଧା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି। ଜିଲ୍ଲାର ସମସ୍ତ ୫-ଟି କଲେଜର ରୂପାନ୍ତର ଫେବ୍ରୁଆରି ଶେଷ ସପ୍ତାହ ସୁଦ୍ଧା ସାରିବା ପାଇଁ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଥିଲେ। ଗୋପାଳପୁର ମାର୍କଣ୍ତି ଠାରେ ୯୩ କୋଟି ଓ ହରିପୁର ଠାରେ ୮୪କୋଟି ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ। ଛତ୍ରପୁର ନିକଟ ଋଷିକୁଲ୍ୟା ନଦୀର କଂସାରୀଗଣ୍ତ ଠାରେ ନିର୍ମାଣାଧୀନ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ ଦ୍ବାରା ପ୍ରବାହିତ ଜଳ ସଂରକ୍ଷଣ ପ୍ରକଳ୍ପ, ଖଲ୍ଲିକୋଟରେ ୧୧୪କୋଟି ଟଙ୍କା ବ୍ୟୟରେ ସାଳିଆଡ୍ୟାମରୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପ, ୧୫୭୨କୋଟି ଟଙ୍କା ବ୍ୟୟରେ ପୋଲସରା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ନିର୍ମାଣାଧୀନ ପାଇପ ଯୋଗେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ। ୫୦କୋଟି ଟଙ୍କା ବ୍ୟୟରେ ଆସିକା ଉପଖଣ୍ତ ହସ୍ପିଟାଲ ଉନ୍ନତୀକରଣ ପ୍ରସ୍ତାବ ଉପରେ ସେ ଆଲୋଚନା କରିଥିଲେ। ଭଞ୍ଜନଗର ଠାରେ ୧୯୧୩କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୨୦କୋଟି ବ୍ୟୟରେ ନୂଆଗାଁ ଠାରେ ଋଷିକୁଲ୍ୟା ନଦୀର ଜଳସେଚନ ଯୋଜନା, ୩୦କୋଟି ୬୨ଲକ୍ଷ ବ୍ୟୟରେ ଢୋଲପିଟା ବଡ଼ନଦୀରେ ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର୍ ନିର୍ମାଣ ସଂପର୍କରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରିଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ମନ୍ଦିରର ରୂପାନ୍ତର କାର୍ଯ୍ୟ ସମୀକ୍ଷା କରିଥିଲେ। କେବଳ ମନ୍ଦିର ରୂପାନ୍ତରଣ ପାଇଁ ୧୧କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଥିବା ସେ ଘୋଷଣା କରିଥିଲେ। ରଙ୍ଗେଇଲୁଣ୍ତା ବ୍ଲକର ଧବଳେଶ୍ବର ମନ୍ଦିର ପାଇଁ ୧କୋଟି ୨୦ଲକ୍ଷ, ଛତ୍ରପୁର ବ୍ଲକର ସୁନ୍ଦରେଶ୍ବର ମନ୍ଦିର ପାଇଁ ଦେଢ କୋଟି, ରାମଚଣ୍ତୀ ମନ୍ଦିର ପାଇଁ ୨କୋଟି ୨୦ଲକ୍ଷ, ବଟେଶ୍ବର ମନ୍ଦିର ପାଇଁ ୧କୋଟି ୫୦ଲକ୍ଷ ମଂଜୁର ହୋଇଛି। ସେହିପରି ପୁରୁଷୋତ୍ତମପୁର ତୁମ୍ବେଶ୍ବର ମନ୍ଦିର ଉନ୍ନତୀକରଣ ପାଇଁ ୧କୋଟି ୨୦ଲକ୍ଷ ମଞ୍ଜୁର କରାଯାଇଛି। ପୋଲସରା ବ୍ଲକର ମାରଦା ମନ୍ଦିର ଉନ୍ନତି ପାଇଁ ୨କୋଟି ଟଙ୍କା ମଂଜୁର ହୋଇଛି। ଆଠଗଡ଼ ଜଗନ୍ନାଥ ମନ୍ଦିର ଉନ୍ନତୀକରଣ ପାଇଁ ୨କୋଟି, ଖଲ୍ଲିକୋଟ ନାରାୟଣୀ ମନ୍ଦିର ପାଇଁ ୨ କୋଟି ଟଙ୍କା, ଆସିକା ଖମ୍ବେଶ୍ବରୀ ମନ୍ଦିର ପାଇଁ ୧କୋଟି ୮ଲକ୍ଷ ଟଙ୍କା ମଂଜୁର ହୋଇଛି। କୁଲାଡ ବ୍ୟାଘ୍ର ଦେବୀ ମନ୍ଦିର ପାଇଁ ୧କୋଟି ୮୮ଲକ୍ଷ ମଂଜୁର ହୋଇଛି। ସେହିଭଳି ପଞ୍ଚମା ସିଦ୍ଧ ବିନାୟକ ମନ୍ଦିର ଉନ୍ନତି ପାଇଁ ୧କୋଟି ୨୦ଲକ୍ଷ, ଖଲ୍ଲିକୋଟ କଲେଜ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା, କେଶପୁର କଲେଜର ବିକାଶ ପାଇଁ ୧କୋଟି ଟଙ୍କା ମଂଜୁର ହୋଇଛି। କବିସୂର୍ଯ୍ୟନଗର ମାତା ସରସ୍ବତୀ ମନ୍ଦିର ପାଇଁ ୧କୋଟି, କୋଦଳା ଦଣ୍ଡେଶ୍ବର ମନ୍ଦିର ପାଇଁ ୫୦ଲକ୍ଷ ମଂଜୁର ହୋଇଛି। କବିସୂର୍ଯ୍ୟନଗରର ସମସ୍ତ କଲେଜ ପାଇଁ ୧କୋଟି ଲେଖାଏଁ ମଂଜୁର ହୋଇଥିବା ୫-ଟି ଅଧ୍ୟକ୍ଷ ପାଣ୍ତିଆନ ଘୋଷଣା କରିଛନ୍ତି। ଏହି ଗସ୍ତ ସମୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ଓ ବିଭିନ୍ନ ନିର୍ବାଚନ ମଣ୍ତଳୀର ବିଧାୟକ, ସାଂସଦ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।