ପୁରୀ: ପ୍ରତି ଶନିବାର ଭଳି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦର୍ଶନ ସାରିବା ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ପରିକ୍ରମା ମାର୍ଗର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି। ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସଠାରୁ ଶ୍ରୀମନ୍ଦିର ଦୋଳବେଦି କୋଣକୁ ସଂଯୋଗ କରୁଥିବା ଶ୍ରୀଦାଣ୍ଡ ପାଇଁ ଜମି ଅଧିଗ୍ରହଣ ସମ୍ପର୍କରେ ଆଲୋଚନା କରିବା ସହ ଶ୍ରୀଦାଣ୍ଡର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ପରିକ୍ରମା ପ୍ରକଳ୍ପ ପରିସରରେ ରହିଥିବା ୧୮ଟି ମଠର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ବୁଲି ଦେଖିଛନ୍ତି।

Advertisment

ସେପଟେ ପରିକ୍ରମା ପ୍ରକଳ୍ପର ଚାରିପଟେ ଚାଲିଥିବା ଉଦ୍ୟାନ କାର୍ଯ୍ୟର ତଦାରଖ କରିଥିଲେ। ଗତ କିଛିଦିନ ତଳେ ପଶ୍ଚିମ ପାର୍ଶ୍ୱର ଗଛ ଲଗା ଅତି ନିମ୍ନମାନର ଥିବାରୁ ବିରକ୍ତ ପ୍ରକାଶ କରିଥିଲେ। ପରେ ଏହାକୁ ସଜଡ଼ାଯାଇଛି। ଶ୍ରୀ ପାଣ୍ଡିଆନ୍‌ ଆଜି ଏସବୁ ବୁଲି ଦେଖିଛନ୍ତି। ସେପଟେ ବଡଦାଣ୍ଡରେ ହେଉଥିବା ଏସି ସେଡ୍‌ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ ଭକ୍ତଙ୍କ ବିଶ୍ରାମ ପାଇଁ ଚାଲିଥିବା କାର୍ଯ୍ୟକୁ ମଧ୍ୟ ତଦାରଖ କରିଛନ୍ତି। ସଠିକ୍‌ ସମୟରେ ସାରିବା ପାଇଁ ତାଗିଦ କରିଛନ୍ତି। ପରିକ୍ରମା ପ୍ରକଳ୍ପର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ସେବାୟତଙ୍କ ଲାଗି ନିର୍ମାଣ ହେଉଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଥିବା ପେଜନଳା ନୂଆ କୋଠାକୁ ସ୍ଥାନାନ୍ତରିତ ହେବ। ଏଣୁ ପେଜନଳା ନୂଆ କୋଠା ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଧିକାରୀଙ୍କ ସହ ବୈଠକ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ. କେ ବିଶାଲ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସି ପ୍ରକଳ୍ପ ପରିଚାଳକ ସୁନ୍ଦର ମାଧବ ପାଢୀଙ୍କ ସମେତ ଟାଟା ଓ ଅନ୍ୟାନ୍ୟ ଠିକା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।