ବିନା ମୁଖିଆରେ ଚାଲିଛି ରାଜ୍ୟର ୫ ସର୍କଲ ଜେଲ୍‌

୮୯ଟି ଜେଲ୍‌ରେ ସ୍ଥାୟୀ ମେଡିକାଲ ଅଫିସର୍‌ ନାହାନ୍ତି
୧୨ଟି ଜେଲ୍‌ ପଦବି ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି ଖାଲି
କିଭଳି କାର୍ଯ୍ୟକାରୀ ହେବ ଇ-ପ୍ରିଜନ୍ସ ପ୍ରକଳ୍ପ?

କଟକ : ରାଜ୍ୟର ୫ଟି ସର୍କଲ୍‌ ଜେଲ୍‌ରେ ଖାଲି ପଡ଼ିଛି ବରିଷ୍ଠ ଅଧୀକ୍ଷକ ପଦ। ଅର୍ଥାତ ବିନା ମୁଖିଆରେ ଚାଲିଛି ରାଜ୍ୟର ୫ଟି ସର୍କଲ ଜେଲ୍। ଗୋଟିଏ ସର୍କଲ୍‌ ଅଧୀନରେ ପାଖାପାଖି ୧୦ରୁ ୧୨ ଜେଲ୍‌ ପରିଚାଳିତ ହେଉଥିବା ବେଳେ ସେହି ଜେଲ୍‌ ଗୁଡ଼ିକର ପ୍ରଶାସନିକ ପରିଚାଳନା କିଭଳି ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।

୫ଟି ଜେଲର ବରିଷ୍ଠ ଅଧୀକ୍ଷକ ପଦବି ସହିତ ଦୁଇଟି ସର୍କଲ୍‌ର ଡିଆଜି ପଦବି ବି ଖାଲିପଡ଼ିଛି। ଡିଆଇଜି ଏବ˚ ବରିଷ୍ଠ ଅଧୀକ୍ଷକ ନଥିବାରୁ ଜେଲ୍‌ରେ କଏଦୀଙ୍କ ଖାଦ୍ୟଦ୍ରବ୍ୟର ଯାଞ୍ଚ, ଭିତ୍ତିଭୂମି ଏବ˚ ଜେଲ୍‌ର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କିଭଳି ଢ˚ଗରେ କରାଯିବ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜେଲ୍‌ ମେଡିକାଲ୍‌ କଥା ଯଦି ଦେଖାଯାଏ, ତେବେ ପାଖାପାଖି ୮୯ଟି ଜେଲ୍‌ ମେଡିକାଲ୍‌ରେ କଏଦୀଙ୍କ ଚିକିତ୍ସା ପାଇଁ ସ୍ଥାୟୀ ମେଡିକାଲ୍‌ ଅଫିସର ନାହାନ୍ତି। ଚିକିତ୍ସା ବ୍ୟବସ୍ଥା ବି ସା˚ଘାତିକ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ ସରକାର ୫-ଟି କାର୍ଯ୍ୟକ୍ରମକୁ ସମସ୍ତ ବିଭାଗରେ କାର୍ଯ୍ୟକାରୀ କରିବା କଥା କହୁଥିବା ବେଳେ ଜେଲ୍ ବିଭାଗରେ ଏଭଳି ପରିସ୍ଥିତି ଜାରି ରହିଥିବାରୁ ଜେଲ୍‌ର ସ˚ସ୍କାର କିଭଳି ହେବ, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୯୧ଟି ଜେଲ୍‌ରେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ସମସ୍ୟା ଚରମ ସୀମାରେ ପହଞ୍ଚିଛି। ଜେଲ୍‌ର ପ୍ରଶାସନିକ କାର୍ଯ୍ୟ ଏବ˚ କଏଦୀଙ୍କ ରକ୍ଷଣାବେକ୍ଷଣରେ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ବାରିପଦା, କୋରାପୁଟ ଏବ˚ ସମ୍ବଲପୁର ସର୍କଲ୍‌ ଜେଲ୍‌ରେ ଡିଆଇଜି ଥିବାବେଳେ ଅନ୍ୟ ଦୁଇ ସର୍କଲ୍‌ ବ୍ରହ୍ମପୁର ଓ ଚୌଦ୍ବାରରେ ୨ଟି ଡିଆଜି ପଦବି ଗଲା ଏକ ବର୍ଷ ହେବ ଖାଲି ପଡ଼ିଛି। ସେହିପରି ୫ଟି ସର୍କଲ୍‌ ଏବ˚ ବ୍ରହ୍ମପୁରରେ ଥିବା ଓଡ଼ିଶା ଜେଲ୍‌ ଟ୍ରେନି˚ ସ୍କୁଲ୍‌ର ମୋଟ ୬ ଜଣ ସିନିଅର‌୍‌ ସୁପରିଟେଣ୍ତେଣ୍ଟ ନାହାନ୍ତି। ଦୁଇ ବର୍ଷ ହେବ ପଦବି ଖାଲି ପଡ଼ିଛି। ତାଙ୍କ ବଦଳରେ ସର୍କଲ୍‌ ଜେଲ୍‌ରେ ତଳ ପାହ୍ୟାର ଅଫିସର ସର୍କଲ୍‌ ଦାୟିତ୍ବ ତୁଲାଉଛନ୍ତି। ସେହିଭଳି ପ୍ରାୟ ୧୨ଟି ଜେଲର ପଦବି ବର୍ଷେରୁ ଅଧିକ କାଳ ହେବ ଖାଲି ପଡ଼ିଥିବା ବେଳେ ଆସିଷ୍ଟାଣ୍ଟ ଜେଲର‌୍‌ ୧୨ଟି, ସବ୍‌ ଆସିଷ୍ଟାଣ୍ଟ ଜେଲର‌୍‌ ପଦବି ପ୍ରାୟ ୧୩୫ଟି ଗଲା ୧୦ ବର୍ଷ ହେବ ଖାଲି ପଡ଼ିଛି। ଵାର୍ଡର‌୍‌ ପଦବି ୨୦୧୮ରୁ ୧୦୦ଟି ଖାଲି ପଡ଼ିଛି। ପ୍ରତି ଜେଲ୍‌ରେ ଜଣେ ଲେଖାଏ ମେଡିକାଲ୍‌ ଅଫିସର ରହିବାର ବ୍ୟବସ୍ଥା ଥିବାବେଳେ ଭୁବନେଶ୍ବର ଓ କଟକ ଚୌଦ୍ବାର ଜେଲ୍‌କୁ ବାଦ୍‌ ଦେଲେ ଅନ୍ୟ ଜେଲ୍‌ଗୁଡ଼ିକରେ ପ୍ରାୟତଃ ମେଡିକାଲ୍‌ ଅଫିସର‌୍‌ ନାହାନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରଙ୍କୁ ଡେପୁଟେସନ୍‌ରେ ଅଣାଯାଉଛି। ସିଏ ବି ନିୟମିତ ଡ୍ୟୁଟି କରୁନାହାନ୍ତି। ସପ୍ତାହରେ ଦୁଇରୁ ତିନି ଦିନ ଡ୍ୟୁଟି କରୁଛନ୍ତି। ସାଇକ୍ରିଆଟିକ୍‌ ଡାକ୍ତରଙ୍କ କଥା ଯଦି ଦେଖାଯାଏ ତେବେ ୫ଟି ସର୍କଲ୍‌ ପାଇଁ ୫ ଜଣ ସାଇକ୍ରିଆଟିକ୍‌ ଡାକ୍ତର ପଦବି ସୃଷ୍ଟି କରାଯାଇଛି। କିନ୍ତୁ ଏବେ ମାତ୍ର ଜଣେ ସାଇକ୍ରିଆଟିକ୍‌ ଡାକ୍ତର ଚୌଦ୍ବାର ସର୍କଲ୍‌ ଜେଲ୍‌ରେ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତ ହୋଇଛନ୍ତି। ଅନ୍ୟ ଚାରି ସର୍କଲ୍‌ ଜେଲ୍‌ରେ ସାଇକ୍ରିଆଟିକ୍‌ ଡାକ୍ତର ନାହାନ୍ତି। ଏଭଳି ପରିସ୍ଥିତି ଦେଇ ଗତି କରୁଥିବା ଜେଲ ବିଭାଗର ସୁଧାର ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ରାଜ୍ୟର ଏବେ ପାଖାପାଖି ୮୦ ଜଣ ମାନସିକ ରୋଗୀ ଚୌଦ୍ବାର ଜେଲ୍‌ରେ ଜଣେ ଡାକ୍ତରଙ୍କ ଅଧୀନରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଆଚାର ବ୍ୟବହାର ସାଧାରଣ କଏଦୀଙ୍କ ପରି ହୋଇନଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ବଡ଼ ଧରଣର ସମସ୍ୟା ହେଉଛି। ମାନସିକ ରୋଗୀ କେବଳ ଯେ ସମସ୍ୟା ଭୋଗୁଛନ୍ତି ତାହା ନୁହେଁ, ଅଧିକା˚ଶ ଜେଲ୍‌ରେ ସିସିଟିଭି ଅଚଳ ହୋଇପଡ଼ିଛି। ଵାର୍ଡର‌୍‌ ପଦବି ଯେଭଳି ଢ˚ଗରେ ଖାଲି ପଡ଼ିଛି, ଜେଲ୍‌ରେ କଏଦୀଙ୍କୁ ସୁରକ୍ଷା ଯୋଗାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏବେ ଜେଲ ବିଭାଗ ଜେଲ୍‌ ମାନୁଆଲ୍‌ରେ ସ˚ଶୋଧନ, ଗଲା ୧୦ ବର୍ଷ ଭିତରେ ଜେଲ୍‌ ଯାଇଥିବା ପାଖାପାଖି ୮ ଲକ୍ଷ କଏଦୀଙ୍କ ତଥ୍ୟ ଇ-ପ୍ରିଜନସ ପ୍ରକଳ୍ପ ମାଧ୍ୟମରେ ସ˚ରକ୍ଷିତ ରଖିବା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରୁଛି। କିନ୍ତୁ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଜେଲ୍‌ ବିଭାଗର କିଭଳି ସ˚ସ୍କାର ଆସିପାରିବ, ସେ ନେଇ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର