ଭୁବନେଶ୍ବର: ପୂର୍ବାହ୍ନରୁ ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୩୦ ଡିଗ୍ରି ଡେଇଁଥିଲା। ତା’ସାଙ୍ଗକୁ ଗୁଳୁଗୁଳି ଆଜି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦିନ ଯେତିକି ବଢ଼ୁଥିଲା ତାପମାତ୍ରା ମଧ୍ୟ ସେହି ଅନୁଯାୟୀ ବୃଦ୍ଧି ପାଇବା ସହ ତାତି ଅନୁଭୂତ ହେଉଥିଲା। ଗତକାଲି ବୌଦ୍ଧ ଓ ବଲାଙ୍ଗୀର ସହରର ତାପମାତ୍ରା ୩୮ ଡିଗ୍ରି ଛୁଇଁଥିବା‌ ବେଳେ ଆଜି ୫ଟି ସହରର ତାପମାତ୍ରା ୩୮ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡି ଆଜି ରାଜ୍ୟର ଯୁଗ୍ମ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏହି ଦୁଇ ସହରର ତାପମାତ୍ରା ୩୮.୬ ଡିଗ୍ରି ଲେଖାଏ ରହିଥିଲା। 

Advertisment

ଏହାବ୍ୟତୀତ ବଲାଙ୍ଗୀରରେ ୩୮.୪, ଟିଟିଲାଗଡ଼ ଓ ବୌଦ୍ଧରେ ୩୮, ସମ୍ବଲପୁରରେ ୩୭.୮, ସୁନ୍ଦରଗଡରେ ୩୭.୩, ହୀରାକୁଦ ଓ ଅନୁଗୁଳରେ ୩୭.୧, ଭବାନୀପାଟଣାରେ ୩୭ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା‌ ଦୁଇ ଦିନ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅର୍ଥାତ୍‌ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକର ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ଅଧିକ ରହିଛି। ୬ ଓ ୭ ତାରିଖରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୁରୀ, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ‌ ଜିଲ୍ଲାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିବ। ଏହାପରେ ବିଶେଷ ପରିବର୍ତ୍ତନ ହେବନି। ବରଂ ଗୋଟିଏ ଦୁଇ ଡିଗ୍ରି କମିପାରେ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।