ଘର ଦେବାକୁ କହି ୫ କୋଟି ଠକେଇ: କେଶରୀ ଇଷ୍ଟେଟ୍‌ ନିର୍ଦ୍ଦେଶକ ଗିରଫ, ଏମ୍‌ଡି ଫେରାର

ଭୁବନେଶ୍ବର: ଏକ ଡୁପ୍ଲେକ୍ସ ଘର ଦେବାକୁ କହି ୧୮ ନିବେଶକଙ୍କଠୁ ୫ କୋଟି ୧୬ ଲକ୍ଷ ୬୭ ହଜାର ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡ୍ଲୁ) ଆଜି କେଶରୀ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଅକ୍ଷୟ ଚୌଧୁରୀଙ୍କୁ ଗିରଫ କରିଛି। ଫରେଷ୍ଟ ପାର୍କସ୍ଥିତ ପ୍ଲଟ୍‌ ନମ୍ବର ୨୬୧ରେ ଥିବା ତାଙ୍କ ‌ଘରେ ଚଢ଼ଉ କରି ଇଓଡବ୍ଲୁର ଅଧିକାରୀମାନେ ତାଙ୍କୁ ଗିରଫ କରିବା ପରେ କଟକସ୍ଥିତ ଓପିଆଇଡି କୋର୍ଟର ପ୍ରିଜାଇଡିଂ ଅଫିସର୍‌ଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଏହି ଠକେଇ ମାମଲା‌‌ରେ ସଂପୃକ୍ତ ଥିବା ଅକ୍ଷୟଙ୍କ ଭାଇ ତଥା ସଂସ୍ଥାର ଏମ୍‌ଡି ଅଜୟ ଚୌଧୁରୀ ଫେରାର୍‌ ଅଛନ୍ତି। ତାଙ୍କୁ ଧରିବା ପାଇଁ ଇଓଡବ୍ଲୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ କେବଳ ଅଜୟ ନୁହନ୍ତି, ଏହି ଠକେଇ ମାମଲାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଇଓଡବ୍ଲୁ ଆଶଙ୍କା କରୁଛି।

ସୂଚନା ମୁତାବକ, ବ୍ରହ୍ମପୁରର ବାସିନ୍ଦା ଅଜୟ ଦୀର୍ଘ ଦିନ ଧରି ଫରେଷ୍ଟପାର୍କ ଅଞ୍ଚଳରେ ରହି ଆସୁଛନ୍ତି। ୨୦୦୭ ମସିହାରୁ ସେ କେଶରୀ ଟକିଜ୍‌ ପରିସରରେ ‘କେଶରୀ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌’ ନମକ ସଂସ୍ଥା ଖୋଲି ଶସ୍ତାରେ ଫ୍ଲାଟ୍‌ ଓ ଡୁପ୍ଲେକ୍ସ ଯୋଗାଇ ଦେବାକୁ ବିଜ୍ଞାପନ କରି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ସଂଗ୍ରହ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ଭାଇ ଅକ୍ଷୟ ନିର୍ଦ୍ଦେଶକ ରହିଥିଲେ। ପୋଖରୀପୁଟରେ ୩୦ଟି ଡୁପ୍ଲେକ୍ସ ପାଇଁ ୧୮ଜଣ ୫ କୋଟି ୧୬ ଲକ୍ଷ ୬୭ ହଜାର ଟଙ୍କା ପୁଞ୍ଜିନିବେଶ କରିଥିଲେ। ହେଲେ ବିଡିଏ ଅନୁମତି ମିଳୁନାହିଁ ବୋଲି କହି ସଂସ୍ଥା କାହାକୁ ଡୁପ୍ଲେକ୍ସ ଦେଇନଥିଲା। ସମୟ ଗଡ଼ି ଚାଲିବାରୁ ନିବେଶକମାନେ ବିଡିଏ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏଭଳି କୌଣସି ସଂସ୍ଥା ଘର ଆପ୍ରୁଭାଲ୍ ପାଇଁ ଆବେଦନ କରି ନଥିବା ଜାଣିବାକୁ ପାଇବା ପରେ ସଂସ୍ଥା ଠକ ବୋଲି ଜାଣିବାକୁ ପାଇଥିଲେ। ତେଣୁ ଜମା ଅର୍ଥରାଶି ଫେରସ୍ତ ଦାବିରେ ନିବେଶକମାନେ ଅଫିସ୍‌ ଆଗରେ ହୋ-ହଲ୍ଲା କରିଥିଲେ। କିନ୍ତୁ ସେ ଟଙ୍କା ନ ଫେରାଇବା ବଦଳରେ ଯଦୁପୁରରେ ନୂଆ ପ୍ରୋଜେକ୍ଟ ‘କେଶରୀ ପ୍ଲାଜା’ ଆରମ୍ଭ ହେଉଛି, ସେଠାରେ ସମସ୍ତଙ୍କୁ ଡୁପ୍ଲେକ୍ସ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ନିବେଶକମାନେ ୨୦୧୩ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ କିଛି ମିଳିନଥିଲା। ତେଣୁ ନିବେଶକମାନେ ଗତ ମାସରେ ଏ ସଂପର୍କରେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର