ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କଙ୍କଡ଼ାହାଡ଼ ତହସିଲ୍ ଅନ୍ତର୍ଗତ ଝିଲ୍ଲୀ ଗ୍ରାମ ନିକଟ ପଥରଖଣିରୁ ବେଆଇନ ପଥର ଉତ୍ତୋଳନ ନେଇ ଲିଜ୍ଧାରୀଙ୍କୁ ଶେଷରେ ଲାଗିଛି ଜୋର୍ଦାର୍ ଝଟ୍କା। ଏଥିସଂକ୍ରାନ୍ତ ଆଗତ ଆବେଦନର ବିଚାର କରି ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ୍) ଅଭିଯୁକ୍ତ ଖଣି ଲିଜ୍ଧାରୀଙ୍କୁ ବେଆଇନ ପଥର ଉତ୍ତୋଳନ ଅଭିଯୋଗରେ ପାଞ୍ଚ କୋଟି ଟଙ୍କାର ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଉକ୍ତ ଜରିମାନା ଅର୍ଥ ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଜରିମାନା ଅର୍ଥ ଅନାଦେୟ ଜିଲ୍ଲା ପ୍ରଶାସନ ଏହାକୁ ଆଦାୟ କରିବା ଲାଗି ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛନ୍ତି।
ବିବରଣୀରୁ ପ୍ରକାଶ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କଙ୍କଡ଼ାହାଡ଼ ତହସିଲ୍ ଅନ୍ତର୍ଗତ ଝିଲ୍ଲୀ ଗ୍ରାମ ନିକଟରେ ଚିନ୍ମୟ କୁମାର ନାୟକ ନାମକ ଜଣେ ବ୍ୟକ୍ତି ସରକାରଙ୍କ ଠାରୁ ଏକ ପଥର ଖଣି ଲିଜ୍ରେ ନେଇ ଏହାକୁ ପରିଚାଳନା କରୁଥିଲେ। ତେବେ ଉକ୍ତ ଖଣିରୁ ଲିଜ୍ ପରିମାଣ ଠାରୁ ବେଆଇନ ଭାବେ ଢେର ଅଧିକ ପରିମାଣର ପଥର ଉତ୍ତୋଳନ କରାଯାଇଥିଲା। ଏଥିସାଙ୍ଗକୁ ବେଆଇନ ଭାବେ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ ଯୋଗୁଁ ଆଖପାଖ ଅଂଚଳରେ ବ୍ୟାପକ ଶବ୍ଦ ଓ ବାୟୁ ପ୍ରଦୂଷଣ ସାଙ୍ଗକୁ ଏଥିଯୋଗୁଁ ଗ୍ରାମବାସୀଙ୍କ ଘରଦ୍ବାର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ପୁନଶ୍ଚ, ବେଆଇନ ଭାବେ ବ୍ୟାପକ ଗଛକଟା ଯୋଗୁଁ ପରିବେଶ ଗୁରୁତର ପ୍ରଭାବିତ ହୋଇଥିଲା। ପ୍ରଭାବିତ ଗ୍ରାମବାସୀମାନେ ଏହି ସମସ୍ୟା ନେଇ ମହାବୀରରୋଡ ରାଜସ୍ବ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ଢେଙ୍କାନାଳ ଜିଲ୍ଲାପାଳ ଓ ବନପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଅଭିଯୋଗ କରିଆସିଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇ ପାରିନଥିଲା । ବରଂ ଖଣି ମାଲିକ ପ୍ରଶାସନକୁ ହାତରେ ରଖି ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ସମୟରେ ଧମକଚମକ ଦେବା ସହ ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।
ଝିଲ୍ଲୀ ଗ୍ରାମବାସୀ ଏଥିନେଇ ଅତିଷ୍ଠ ହୋଇପଡ଼ିଥିବାବେଳେ ସାମାଜିକ କର୍ମୀ ଶାନ୍ତନୁ ଭୁକ୍ତା, ସୁକାନ୍ତୀ ପ୍ରଧାନ, ସିପ୍ରା ପ୍ରଧାନ, ପ୍ରେମାନନ୍ଦ ପ୍ରଧାନ, ଶୈଳ ପ୍ରଧାନ ଗତବର୍ଷ ଜୁଲାଇ ୧୦ ତାରିଖରେ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ଙ୍କ ଦ୍ବାରସ୍ଥ (ଆବେଦନ ସଂଖ୍ୟା-୮୩/୨୦୨୦) ହୋଇଥିଲେ। ଏ ନେଇ ଖଣି ମାଲିକ ଚିନ୍ମୟ ନାୟକଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରେ ସେ କହିଛନ୍ତି, ମାଇନିଂ ପ୍ଲାନ୍ ଅନୁଯାୟୀ ଆମେ ଖଣି ଲିଜ଼୍ ନେଇଥିଲୁ। ଦୁଇ ବର୍ଷରେ ରୟାଲିଟି ବାବଦରେ ଆମେ ୫ରୁ ୬କୋଟି ଟଙ୍କା ଜମା ଦେଇସାରିଛୁ l ତେବେ ପ୍ରଶାସନର ଅବହେଳା ପାଇଁ ଆମେ ଏବେ ଅସୁବିଧାରେ ପଡ଼ିଲୁ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/dhe.jpg)
