ସୋନପୁର ଏନ୍‌ଏଚ୍‌ଏମ୍‌ ଆକାଉଣ୍ଟରୁ ୫କୋଟି ଗାଏବ, କ୍ରାଇମ୍‌ବ୍ରାଞ୍ଚର ଛାନ୍‌ଭିନ୍, ଜଣଙ୍କୁ ଜେରା

କଟକ/ସୋନପୁର : ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍‌ଏଚ୍‌ଏମ୍‌ ଆକାଉଣ୍ଟରୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ସରକାରୀ ଆକାଉଣ୍ଟରୁ ଗାଏବ ହୋଇଛି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାଇବର ସେଲ ଓ ଅର୍ଥନୈତିକ ଅାପରାଧିକ ଶାଖା ପକ୍ଷରୁ ମାମାଲାକୁ ଗୁରୁତ୍ବର ସହ ନିଆଯାଇଥିଲାବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସୂଚନା ଅନୁଯାୟୀ, ମାସକର ଆକାଉଣ୍ଟ ବିବରଣୀ ପାଇଁ ଏନ୍‌ଏଚ୍‌ଏମ୍‌ ବିଭାଗର ଆକାଉଣ୍ଟାଣ୍ଟ ଗୁରୁବାର ବ୍ୟାଙ୍କକୁ ଯାଇଥିଲେ। ହେଲେ ଉକ୍ତ ଆକାଉଣ୍ଟରୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ବିବରଣୀରୁ ଜଣାପଡ଼ିଥିଲା। ଗତ ୭ ତାରିଖରେ ରାଉରକେଲାସ୍ଥିତ ଏକ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଥିବା ଜଣାପଡ଼ିଛି। ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଏତେ ଟଙ୍କା ଗାଏବ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଏ ଦିଗରେ କ୍ରାଇମବ୍ରାଞ୍ଚ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର