୫ କୋଟିର ସଂଗ୍ରହାଳୟ କାହାପାଇଁ? ନଦୀରେ ଭାସୁଛି ପ୍ରାଚୀନ କୀର୍ତ୍ତିରାଜି

ଯାଜପୁରସଦର: ନଦୀରେ ଭାସୁଛି ଯାଜପୁରର ପ୍ରାଚୀନ କୀର୍ତ୍ତିରାଜି। ମୂର୍ତ୍ତି ପଡ଼ିଥିବା ସ୍ଥାନର ଅପରପାର୍ଶ୍ବରେ ୫ କୋଟି ବ୍ୟୟରେ ଅତି ଆକର୍ଷଣୀୟ ଜିଲ୍ଲା ସଂଗ୍ରହାଳୟ ନିର୍ମାଣ ହୋଇଛି। ପ୍ରାୟ ୫ ବର୍ଷ ହେଲା ଏହା ଭୂତକୋଠି ପାଲଟିଛି। ପଞ୍ଚ ‘ବ’ କାର(ବରାହ, ବିରଜା, ବେଦ, ବୈତରଣୀ, ବିପ୍ର) କ୍ଷେତ୍ର ଯାଜପୁର ଓଡ଼ିଶାର ପୂର୍ବତନ ରାଜଧାନୀର ମାନ୍ୟତା ପାଇଥିବା ବେଳେ ରାଜା ଯଯାତୀ କେଶରୀଙ୍କ  ଶାସନ ସମୟର ଐତିହ୍ୟ ଓ କୀର୍ତ୍ତି ଏବେ କ୍ଷୟ ହେବାକୁ ବସିଛି। ପ୍ରାଚୀନ ଦୁର୍ଲଭ କୀର୍ତ୍ତିରାଜି ନଦୀ ପଠା ଓ ଗଛମୂଳରେ ପଡ଼ିଥିବା ଦେଖିବାକୁ ମିଳୁଛି। ପ୍ରାୟ ୭୦, ୮୦ କୁଇଣ୍ଟାଲ ଓଜନର ଖଣ୍ଡିଏଖଣ୍ଡିଏ ଗ୍ରାନାଇଟ୍‌ ଓ ଖଣ୍ଡୋଲାଇଟ ପଥର ନିର୍ମିତ ମୂର୍ତ୍ତି ଏବେ ଯାଜପୁର ସହର ନିକଟସ୍ଥ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଠାରୁ କିଛିଦୂରରେ ପଡ଼ିଥିବା ଦେଖିବାକୁ ମିଳୁଛି। ଏହାର ନିକଟରେ ସହରୀ ସୌନ୍ଦର୍ଯ୍ୟୀକରଣ ପାଇଁ ବ୍ୟାରେଜ ନିର୍ମାଣ ହେଉଥିବା ବେଳେ ଅନ୍ୟପଟେ ୧୨୩ ଫୁଟ୍‌ର ଶିବ ମୂର୍ତ୍ତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନିର୍ମାଣ ଚାଲିଛି।

ହେଲେ, ଏହା ନିକଟରେ ପ୍ରକୃତ ଐତିହ୍ୟ ଯାହା ଯାଜପୁରକୁ ସ୍ବତନ୍ତ୍ର ପରିଚୟ ଦେଇଛି ତାହା ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଯେଉଁଥି‌ରେ ଅଷ୍ଟମ ଓ ନବମ ଶତାବ୍ଦୀର ବାମନ ଅବତାର, ନାରାୟଣୀ, ବୁଦ୍ଧ ମୂର୍ତ୍ତି ରହିଥିବା ସ୍ଥାନୀୟ ଗବେଷକ କହିଛନ୍ତି। ଅନ୍ୟପକ୍ଷରେ ନଦୀରୁ ବାଲି ଚୋରି ଓ ଡ୍ୟାମ ନିର୍ମାଣ ହେଉଥିବାରୁ ପୋତି ହୋଇଥିବା ଏହି ମୂର୍ତ୍ତିଗୁଡ଼ିକ ଏବେ ଉପରକୁ ଉଠିଆସିଛି। ଏପରି ମୂର୍ତ୍ତି ବର୍ତ୍ତମାନର କାରିଗରଙ୍କ ପକ୍ଷେ ନିର୍ମାଣ କରିବା କଷ୍ଟକର ହୋଇଥିବା ବେଳେ ଏହାର ସୁରକ୍ଷା କରିବାକୁ ପ୍ରଶାସନ ଉଦ୍ୟମ କରୁନାହିଁ। ଏସମ୍ପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକଙ୍କୁ ପଚାରିବାରୁ, ଗଣମାଧ୍ୟମରୁ ଏନେଇ ଖବର ପାଇଛନ୍ତି ବୋଲି କହିଛନ୍ତି। ତୁରନ୍ତ ଏହି ମୂର୍ତ୍ତିକୁ ସଂଗ୍ରହାଳୟକୁ ସ୍ଥାନାନ୍ତର ଉଦ୍ୟମ କରାଯିବ ବୋଲି ଶ୍ରୀ ମଲ୍ଲିକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର