ମାଡ଼ିବସିଛନ୍ତି ୫ କୋଟିର ଆର୍‌ସିଏମ୍‌ଏସ୍‌ ଜାଗା

ଗଢ଼ି ଉଠିଛି ବଡବଡ଼ିଆଙ୍କ ବହୁତଳ କୋଠା, ଇଓଡବ୍ଲ୍ୟୁର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଶୂନ୍‌

ରାଉରକେଲା: ସ୍ମାର୍ଟସିଟିରେ ସରକାରଙ୍କ ବହୁମୂଲ୍ୟ ଜାଗାକୁ ମାଡ଼ି ବସିଛନ୍ତି ବଡବଡିଆ। ଏତିକି ନୁହେଁ ବିଭିନ୍ନ ପ୍ରକଳ୍ପ ବାହାନାରେ ଜିଲ୍ଲା ପ୍ରଶାସନ ଶାଗମାଛ ଦରରେ ବ୍ୟବସାୟୀ ଓ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କାର ଜମିକୁ ମାତ୍ର କେଇ ଲକ୍ଷ ଟଙ୍କାରେ ଟେକି ଦେଉଛନ୍ତି। ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ ଦଳ ପ୍ରତିବାଦ କରୁଛନ୍ତି। ମାମଲା କୋର୍ଟକୁ ଯାଉଛି। ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାର୍ହି। ସହରର କେବଳ ସିଭିଲଟାଉନସିପ୍‌ ନୁହେଁ ଉଦିତନଗର, କଚେରୀରୋଡରେ ଏମିତି ଅନେକ ସରକାରଙ୍କ ମୂଲ୍ୟବାନ ଜମି ବଡ଼ବଡିଆଙ୍କ କବ୍‌ଜାକୁ ଚାଲିଯାଇଛି।

ଯେଉଁଠି ଗଢ଼ି ଉଠିଛି ବହୁ ତଳ କୋଠା ଓ ବ୍ୟବସାୟିକ ପ୍ରତିଷ୍ଠାନ। ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ଆର୍‌ସିଏମ୍‌ଏସ୍‌)ର ମୂଲ୍ୟବାନ ଜମି ଏହାର ଏକ ଜ୍ବଳନ୍ତ ଉଦାହରଣ। ଦୁଇ କି ତିନି ଡେସ୍‌ମିଲ୍‌  ଜାଗା ନୁହେଁ ପ୍ରାୟ ୩୦ ‌ଡେସ୍‌ମିଲ୍‌ ଜାଗାକୁ ବ୍ୟବସାୟୀ ସମେତ ଅନ୍ୟାନ୍ୟ ଲୋକଙ୍କ ଅକ୍ତିଆରରେ ରହିଛି। ଯାହାରେ ବଜାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟିରୁ ଅଧିକ। ଏମିତି ମୂଲ୍ୟବାନ ଜାଗା ରହିଛି ଉଦିତନଗର କଚେରୀ ରୋଡ ନିକଟ ମଙ୍ଗଳ ଭବନରେ। ଏଯାଏଁ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ।  ବ୍ୟବସାୟୀ, କିଛି କରିତକର୍ମା ଲୋକ ବିଲ୍‌ଡିଂ ନିର୍ମାଣ କରି ଭଡାରେ ଲଗାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ୫୬ ଡେସିମଲ୍‌ ଜାଗାରୁ ୨୮ ଡେସିମଲ୍‌ ଜାଗାକୁ ବୋର୍ଡ ବୈଠକ ସର୍ବସମ୍ମତିକ୍ରମେ ଶାଗମାଛ ଦରରେ ବିକ୍ରି କରି ଦିଆଯାଇଥିଲା।

ଏଥିସହ ୫ ଡେସିମିଲ୍‌ ଜାଗାକୁ ତତ୍କାଳୀନ ଆର୍‌ସିଏମ୍‌ଏସ୍‌ର ସମ୍ପାଦକ ମଧ୍ୟ ବିକ୍ରି କରି ଦେଇଥିଲେ। ଆର୍‌ସିଏମ୍‌ଏସ୍‌ର ଏଭଳି ବେଆଇନ କାର୍ଯ୍ୟ ପ୍ରତିବାଦରେ କିଛି ଲୋକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଓଡବ୍ଲ୍ୟୁ)ଙ୍କ ନିକଟରେ ତଦନ୍ତ ପାଇଁ ଦାବି କରିଥିଲେ। ଦାବି ମୁତାବକ ଇଓଡବ୍ଲ୍ୟୁ ଦୁର୍ନୀତି ଘଟଣାର ତଦନ୍ତ କରିଥିଲେ। ବିଡମ୍ବନା, ଏଯାଏଁ  ସେମାନଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି।  ଜବରଦଖଲକୁ ରୋକିବା ପରିବର୍ତ୍ତେ ବିଭାଗର କିଛି ଅଧିକାରୀ ପ୍ରୋତ୍ସାହନ ଦେଇଥିବାରୁ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଅସନ୍ତୋଷ  ବ୍ୟକ୍ତ କରିଥିଲେ। ଏବେ ଦୁର୍ନୀତିକୁ ନେଇ ବିଭାଗୀୟ ସ୍ତରରେ ଖୋଳତାଡ ହେବା ପରେ ଆର୍‌ସିଏମ୍‌ଏସ୍‌ ବିଭାଗୀୟ ଅଧିକାରୀ ତତ୍ପର ହୋଇଛନ୍ତି। ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ଜାଗାକୁ ଖାଲି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

ଯେଉଁମାନେ ଆର୍‌ସିଏମ୍‌ଏସ୍‌ ଜାଗାକୁ ଅକ୍ତିଆରରେ ରଖିଛନ୍ତି ସେମାନଙ୍କୁ ବିଭାଗ କେବଳ ନୋଟିସ୍‌  ଜାରି କରାଯାଇଥିବା ଜଣାପଡିଛି। ଆଶ୍ଚର୍ଯ୍ୟର କଥା, ଦଖଲରେ ଥିବା କୋଠା ମାଲିକମାନେ ଜାଗାକୁ ନିଜ ଅଧିନକୁ ଆଣିବାକୁ ସର୍ବକ୍ଷମ ଯୋଜନାରେ ଆବେଦନ କରିଥିଲେ। ମାତ୍ର ସେମାନଙ୍କୁ ଏଯାଏଁ ଅନୁମତି ମିଳି ନଥିବା ଜଣାପଡିଛି। ସରକାରଙ୍କ ମୂଲ୍ୟବାନ ଜମିକୁ ସରକାରୀ ଖାତାକୁ ଅବା ଆରସିଏମ୍‌ଏସ୍‌ ଅଧୀନକୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସହରର କେନ୍ଦ୍ରସ୍ଥଳ ରହିଥିବା ଏହି ଜାଗାକୁ ଖାଲି କରି, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲେ, ଅନେକ ଛୋଟ ବେପାରୀ ଉପକୃତ ହୋଇପାରନ୍ତେ।

ଏସବୁ ଭିତରେ ଏହି ମୂଲ୍ୟବାନ ଜାଗାକୁ ଆର୍‌ସିଏମ୍‌ଏସ୍‌ ନିଜ ଅଧିନକୁ ଆଣିବାରେ କେତେଦୂର ସକ୍ଷମ ହେଉଛି, ତା’ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ଚାଷୀଙ୍କୁ ସରକାରୀ ମୂଲ୍ୟରେ ସାର ଏବଂ ବ୍ୟବସାୟୀଙ୍କୁ ସୁବିଧା ଦେବାକୁ  ଗତ ୧୯୫୭ରେ ଜିଲ୍ଲାରେ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ପଞ୍ଜିକୃ୍ତ ହୋଇଥିଲା। ୧୯୯୨ରେ ଏସ୍‌ଟିଆଇ ଯୋଡାପାଣି ଟାଙ୍କି ନିକଟରେ ଆର୍‌ସିଏମ୍‌ଏସ୍‌ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା। ଦୁଇ ମହଲା ମାର୍କେଟ  କମ୍ପ୍ଲେକ୍ସରେ ମୋଟ  ୧୫୧ଟି ଦୋକାନ ଓ ଏହା ପଛରେ ୩୬ଟି ଗୋଦାମ ଘର ରହିଛି।

ସମ୍ବନ୍ଧିତ ଖବର