ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ , ଓଡ଼ିଶାରେ ମୋଟ ୨୯ ସୁସ୍ଥ ହେଲେଣି

ଭୁବନେଶ୍ୱର : ଗତ କାଲିଠାରୁ ଆଜି ମଧ୍ୟରେ ରାଜ୍ୟରେ ମୋଟ ୧୮ଟି ନୂଆ ସଂକ୍ରମଣ ମାମଲା ଆସିବା ପରେ ସରକାରଙ୍କ ମୁଣ୍ଡବ୍ୟଥା ବଢିଯାଇଛି । ତେବେ ଆଜି ଏକ ସକାରାତ୍ମକ ଖବର ମିଳିଛି । ରାଜ୍ୟର ଆଉ ୫ ଜଣ କରୋନା ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୯ ଜଣ ଆରୋଗ୍ୟଲାଭ କରିସାରିଲେଣି ।

ଆଜି ଆରୋଗ୍ୟଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି ।

ଆଜି ସକାଳେ ରାଜ୍ୟରେ ୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନେ ସମସ୍ତେ ବାଲେଶ୍ୱରର ବୋଲି ଜଣାପଡ଼ିଛି । ଗତକାଲି ରାଜ୍ୟରେ ମୋଟ ୧୩ ଜଣ ସଂକ୍ରମିତ ଜଣାପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଭଦ୍ରକର ୫ ଜଣ, ଯାଜପୁରର ୫ ଜଣ, ବାଲେଶ୍ୱରର ୨ ଜଣ ଓ ସୁନ୍ଦରଗଡ଼ର ଜଣେ ଲେଖାଏଁ ଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି । ଏହା ଜଣାପଡ଼ିବା ପରେ ସରକାର ଅଧିକ ସତର୍କ ହୋଇଉଠିଛନ୍ତି ।

ସମ୍ବନ୍ଧିତ ଖବର