ବ୍ରହ୍ମପୁର : ଦାଦନ, ଦାରିଦ୍ର୍ୟ, ଦୁଃଖୀ, ଦୁର୍ନୀତି ଓ ଦୁଷ୍କର୍ମ; ଏହି ୫-ଡି ମଧ୍ୟ ରାଜ୍ୟବାସୀଙ୍କୁ ବର୍ତ୍ତମାନର ନବୀନ ସରକାରଙ୍କ ଅବଦାନ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
ବୁଧବାର ଦିନ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ନେଇ ଏକାଧିକ ମାମଲାରେ କୋର୍ଟରେ ହାଜର ହେବାକୁ ସେ ବ୍ରହ୍ମପୁର ଆସିଥିଲେ। କୋର୍ଟ ହଲ୍ରୁ ବାହାରିବା ବେଳେ ରାଜ୍ୟର ବିକାଶ ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସେ ଏହି ମନ୍ତବ୍ୟ ଦେଇଥିଲେ। ଗଂଜାମ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାର ଦାଦନ ସମସ୍ୟା ସମ୍ପର୍କରେ ଉଦାହରଣ ଦେଇଥିଲେ।
ବେଗୁନିଆପଡ଼ାର ଜଣେ ବ୍ୟକ୍ତି ଝିଅ ବାହାଘର ପାଇଁ କରିଥିବା ଋଣ କିସ୍ତି ସୁଝିବା ପାଇଁ ଦୁବାଇ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ଗତ ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ୧୦ବର୍ଷର କୁନି ପୁଅଟି ବାପାଙ୍କ ଶବ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେଠାରୁ ଶବ ଆସିପାରିଲା ନାହିଁ ବୋଲି ପ୍ରଦୀପ ଅଭିଯୋଗ କରିଥିଲେ। ଏଥିସହ ଗୋପାଳପୁରର ଦାୟିତ୍ବ ନିଜେ ମୁଖ୍ୟମନ୍ତ୍ରୀ ନେଇଥିବା ସତ୍ତ୍ବେ କିଭଳି ଏହାର ବିକାଶରେ ବ୍ରେକ୍ ଲାଗିଛି ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ପ୍ରକଳ୍ପ ବିଶ୍ବସ୍ତରୀୟ କୁହା ଯାଉଥିବା ବେଳେ ରଂଗେଇଲୁଣ୍ଡାରେ କିଭଳି ତମ୍ବୁ ଟାଣି ଗୋଟିଏ ଦଶ ସିଟ୍ ବିଶିଷ୍ଟ ହେଲିକପଟର୍ ଚଳାଇଲେ ବୋଲି ପ୍ରଶ୍ନ କରିଥିଲେ।