ନବ ଦାସ ହତ୍ୟା ମାମଲା: ପୁଣି ୫ଦିନିଆ ରିମାଣ୍ଡରେ ଯିବା ସହ ଗୋପାଳର ହେବ ନାର୍କୋ ଟେଷ୍ଟ

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ଡରେ ଯିବ | ତୃତୀୟ ଦଫାରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି | ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଅନୁମତି ଦେଇଛନ୍ତି | ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି | ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତ ଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଛି | ଉଲ୍ଲେଖ ଥାଉ କି ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହେବାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା |

ଆଉ ପୁଣି ରିମାଣ୍ଡରେ ନେଇ କିଛି ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ନିବେଦନ କରିଥିଲା | ଯାହାକୁ କୋର୍ଟ ଅନୁମତି ଦେଇଥିଲେ | ଉଲ୍ଲେଖଥାଉକି, କ୍ରାଇମବ୍ରାଞ୍ଚ ଗୋପାଳକୁ ଗିରଫ କରିବା ପରେ ପ୍ରଥମେ ୪ ଦିନ ରିମାଣ୍ଡରେ ନେଇଥିଲା। ଏହାର ପରେ ପୁଣି ୪ ଦିନ ରିମାଣ୍ଡ‌ ବୃଦ୍ଧି କରାଯାଇଥିଲା ଓ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି କୋର୍ଟରେ ହାଜର କରିଥିଲା । ଅନ୍ୟପଟେ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ କାରଣ ଏବେ ବି ରହସ୍ୟ ଘେରରେ ରହିଛି । ସେହିପରି ଗତ ୨୯ ତାରିଖ ଦିନ ଗାନ୍ଧୀଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ କିଭଳି ଗୁଳି କରି ହତ୍ୟା କଲା, ସେସବୁ ବଖାଣିବା ସହିତ ଗତକାଲି ଆଉଥରେ (ସିନ୍‌ ରିକ୍ରିଏସନ୍‌) କରି ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଦେଖାଇଥିଲା।

ସମ୍ବନ୍ଧିତ ଖବର