କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡ: ଶର୍ମିଷ୍ଠାଙ୍କ ସହ ୪ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ପୁଲିସ

ଭଦ୍ରକ/ଚାନ୍ଦବାଲି: ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ୱେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେବ। ଶର୍ମିଷ୍ଠାଙ୍କ ସହତ ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଂଜନ ମଧ୍ୟ ୫ ଦିନିଆ ରିମାଣ୍ଡରେ ଯିବେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫସି ଏନେଇ ଆଜି ସନ୍ଧ୍ୟାରେ ଅନୁମତି ପ୍ରଦାନ କରିଛନ୍ତି। ମାନସ ହତ୍ୟାକାଣ୍ଡ ଅଭିଯୋଗରେ ଏହି ୪ ଜଣଙ୍କୁ ପୁଲିସ ମାର୍ଚ୍ଚ ୨୯ ତାରିଖ ଠାରୁ ରିମାଣ୍ଡରେ ନେବ। ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କୁ ମାରାଥନ ଜେରା କରି ପୁଲିସ ଅଧିକ ତଥ୍ୟ ପଦାକୁ ଆଣିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପୁଲିସ ମାନସ ହତ୍ୟାକାଣ୍ଡ ମାମଲାରେ ଏହି୪ ଜଣଙ୍କୁ ଗିରଫ କରିଛି।

ଗିରଫ ପୂର୍ବରୁ ଶର୍ମିଷ୍ଠା ଆଉ ଲୁଚକାଳି ଖେଳି ପୁଲିସକୁ ଚକମା‌ ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା। ମାତ୍ର କ୍ରାଇମ୍ ବ୍ରାଞ୍ଚ ଟିମ୍ ଜାଲରୁ ଶର୍ମିଷ୍ଠା ଖସି ଯିବାରେ ସକ୍ଷମ ହୋଇ ପାରିଲା ନାହିଁ। ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇକୁ ଧରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ଟିମ ର ଦୁଇଟି ସ୍ବତନ୍ତ୍ର ଟିମ୍ ଓ ଭଦ୍ରକ ପୁଲିସ ର ସହାୟତାରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଶର୍ମିଷ୍ଠାକୁ ଧରିବାକୁ ଜାଲ ବିଛାଇ ଥିଲା। ଆଜି ଏଇ ଜାଲରେ ଧରାପଡିଛନ୍ତି ହତ୍ୟା‌କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା। ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ଥାନା ନିଆଯିବା ପରେ କୋର୍ଟରେ ମଧ୍ୟ ହଜାର କରାଯାଇଥିଲା।

ଘଟଣାରୁ ପ୍ରକାଶ ଯେ, ଆଜି ଦିନ ପ୍ରାୟ ବାରଟା ବେଳେ କ୍ରାଇମ ବ୍ରାଞ୍ଚ ଟିମ ଚାନ୍ଦବାଲି ପୁଲିସର ଏକ ମିଳିତ ଟିମ୍ ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଠାରୁ ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇକୁ ଏକ ଘରୁ ଧରିବାରେ ସଫଳ ହୋଇଥିଲା। ‌ ଶର୍ମିଷ୍ଠାଙ୍କର ସଂପର୍କୀୟଙ୍କ ଫୋନ୍ ଟ୍ରାକିଂ କରି ତଦନ୍ତକାରୀ ଟିମ୍ ଆଜି ଶର୍ମିଷ୍ଠାଙ୍କୁ ଧରିବାରେ ସଫଳ ହୋଇଛି। ଶର୍ମିଷ୍ଠା ଓ ଝୁନାଙ୍କୁ କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିବା ପରେ ତାଙ୍କୁ ଚାନ୍ଦବାଲି ଥାନା ଅଭିମୁଖେ ନେଇଥିଲେ। ଅପରାହ୍ନ ୪ଟା ବେଳେ ଅଭିଯୁକ୍ତଙ୍କୁ ଚାନ୍ଦବାଲି ଥାନା ପରିସରକୁ ନିଆଯାଇଥିଲା। ମାନସ ସ୍ବାଇଁ ଅପହରଣ ଓ ହତ୍ୟା‌ ଘଟଣାରେ ସଂପୃକ୍ତ ରହିଥିବା ଶର୍ମିଷ୍ଠା ଓ ଝୁନାକୁ ପୁଲିସ ଓ କ୍ରାଇମ ବ୍ରାଞ୍ଚ ଟିମ୍ ପଚରାଉଚରା କରିବା ପରେ ଅପରାହ୍ନ ସାଢେ ୫ଟାରେ ଦୁଇ ଅଭିଯୁକ୍ତଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟ ଚାଲାଣ କରାଯାଇଥିଲା।

ହତ୍ୟାକାଣ୍ଡ ସଂପର୍କରେ ଅଧିକ ତଦନ୍ତର ଆବଶ୍ୟକତା ଥିବା ବେଳେ କ୍ରାଇମ ବ୍ରାଞ୍ଚ ଟିମ୍ ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପାରନ୍ତି ବୋଲି ଜଣାପଡିଛି। କ୍ରାଇମ ବ୍ରାଞ୍ଚ ଟିମ୍ ହାତରେ ଧରାପଡି ଗିରଫ ହେବା ପରେ ଏବେ ଶର୍ମିଷ୍ଠାଙ୍କର ସବୁ ଚାଲ ଧରାପଡିଯାଇଛି। ଏହା ପୂର୍ବରୁ ଏଇ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଇ ସବୁ ଅଭିଯୁକ୍ତମାନେ ଏବେ ଜେ ଲ ଭିତରେ ରହିଥିବା ବେଳେ ଶର୍ମିଷ୍ଠାଙ୍କ ସହ ସାମିଲ ଥିବା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିରଂଜନ ସେଠୀ ଏବେ ଭଦ୍ରକ ଜେଲରେ ଦିନ କାଟୁଛନ୍ତି।

 

ସମ୍ବନ୍ଧିତ ଖବର