କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୫ ମୃତ, ୬ ଗୁରୁତର

କେନ୍ଦୁଝର/ଆନନ୍ଦପୁର/ତେଲକୋଇ/ପର୍ଜଙ୍ଗ/ଦେଓଗାଁ : କେନ୍ଦୁଝର ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୫ ଜଣ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ଅଞ୍ଚଳରେ ଦୁଇଜଣ, ଝୁମ୍ପୁରା ବ୍ଲକରେ ଜଣେ, ତେଲକୋଇ ବ୍ଲକରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେହିଭଳି, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତର ବତାସିଂହା ଗ୍ରାମରେ ଆଜି ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଘଟଣା ସୂତ୍ରରୁ ପ୍ରକାଶ ଯେ, କେନ୍ଦୁଝରର ଆନନ୍ଦପୁର ଅଞ୍ଚଳରେ ଆଜି ଅପରାହ୍‌ଣରେ ପ୍ରବଳ ବଜ୍ରପାତ ହୋଇଥିଲା। ଫଳରେ ଆନନ୍ଦପୁର ଥାନା ବାଉଁଶଗଡ଼ ଗ୍ରାମର ଦୁଃଶାସନ ନାଏକ(୫୪) ଓ ଭଗବାନ ନାଏକ(୫୫)ଙ୍କ ମୃତ୍ୟୁ ହୋଇଥିଲା। ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ପଦ୍ମପୁର ଗ୍ରାମର ଲିପୁନ୍ ସାହୁ(୨୨), ଶରତ ନାହାକ(୧୯) ଓ ଗୟଳମୁଣ୍ତା ପଞ୍ଚାୟତ ବଡ଼ପୁରୁଣାପାଣି ଗ୍ରାମର ରାଉତ ଦରାଇ(୫୨)। ଆଜି ପଦ୍ମପୁରକୁ ବିଲାତି କୋଡ଼ିବାକୁ ଯାଇଥିଲେ ଭଗବାନ ଓ ଦୁଃଶାସନ। ଦିନ ଗୋଟାଏବେଳେ ବଜ୍ରପାତ ହେବାରୁ ନିକଟସ୍ଥ ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ସେଠାରେ ଲିପୁନ୍ ଓ ଶରତ ମଧ୍ୟ ଆଶ୍ରୟ ନେଇଥିଲେ। ବଜ୍ରପାତ ହେବାରୁ ସମସ୍ତେ ପଡ଼ିଯାଇଥିଲେ। ସେମାନଙ୍କୁ ସଙ୍ଗେସଙ୍ଗେ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଦୁଃଶାସନ ଓ ଭଗବାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଲିପୁନ ଓ ଶରତଙ୍କୁ ଚିକିତ୍ସା କରାଯାଇଛି।

ସେହିପରି ବଡପୁରୁଣାପାଣିର ରାଉତ ଦରାଇ ଗାଈ ଚରାଇବାକୁ ଯାଇଥଲାବେଳେ ବଜ୍ରପାତର ଶିକାର ହୋଇଥିଲେ। ତାଙ୍କୁ ମଧ୍ୟ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଡାକ୍ତରଖାନାରେ ପହ‌ଞ୍ଚି ଆହତଙ୍କୁ ଭେଟି ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି। ସେହିପରି ଝୁମ୍ପୁରା ବ୍ଲକ ସାନଯୋଡ଼ା ଗ୍ରାମର ଯୋଗେଶ୍ବର ନାଏକ (୨୫)ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ସେହି ଗ୍ରାମର ଅନ୍ୟ ଦୁଇ ଯୁବକ ରଂଜନ ନାଏକ (୨୬) ଓ ନିର୍ମଳ ନାଏକ (୨୫) ଗୁରୁତର ହୋଇଛନ୍ତି। ଏହି ୩ଜଣ ଏକ ବାଇକରେ ଗତ ରାତିରେ ଘରକୁ ଫେରୁଥିଲେ। ଅଧାବାଟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ସେମାନେ ଜାମଦା ନିକଟରେ ରାସ୍ତା କଡ଼ରେ ଥିବା ଏକ ଘର ବାରଣ୍ଡାରେ ଆଶ୍ରୟ ନେଇଥିଲେ। ସେଠାରେ ବଜ୍ରପାତ ହେବାରୁ ସମସ୍ତେ ବେହୋସ ‌ହୋଇ ପଡ଼ିଯାଇଥିଲେ। ଖବର ପାଇ ପରିବାର ଲୋକ ଆସି ସେମାନଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଯୋଗେଶ୍ବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ଚିକିତ୍ସାଧୀନ ଅଛନ୍ତି।

ସେହିପରି, ଆଜି ଅପରାହ୍‌ଣ ପ୍ରାୟ ୩ଟାରେ ବଜ୍ରପାତରେ ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଗୀତାଞ୍ଜଳି ପଧାନ(୨୮)। ବାଖୁଲୁମୁଣ୍ଡା ଚାଷଜମିରୁ ସ୍ବାମୀ ଜଳିଆ ପଧାନଙ୍କ ସହ ସେ ଘରକୁ ଫେରୁଥିଲାବେଳେ ବଜ୍ରପାତ ହୋଇଥିଲା। ଗୀତାଞ୍ଜଳି ସେହିଠାରେ ଟଳି ପଡ଼ିଥିଲେ। ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ତେଲକୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ, ଢେଙ୍କାନାଳର ବତାସିଂହା ଗ୍ରାମରେ ଆଜି ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ପ୍ରାୟ ୩ଟା ବେଳେ ବତାସିଂହା ଗ୍ରାମର ଅଖୁଜା ସାହୁ (୫୮) ଓ ଜୟ ବେହେରା (୬୦) ନଦୀକୂଳରେ କରିଥିବା ପୋଟଳ ଚାଷ ଦେଖିବାକୁ ଯାଇଥିଲେ। ଏହି ସମୟରେ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଅଖୁଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜୟ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ଜୟଙ୍କୁ ଉଦ୍ଧାର କରି ପର୍ଜଙ୍ଗ ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସେହିଭଳି, ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଜାମଝରଣ ଗାଁରେ ଗୌରାଙ୍ଗ ସାହୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର