ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଏନଏଚ ୪୯ ବେଲପାହାଡ଼ ନିକଟ ପିପିଲିପାଲିଠାରେ ଏକ କୋଇଲା ଟ୍ରେଲର୍ (ଓଡି ୨୩ଜି ୭୦୪୯)ଧକ୍କାରେ ବୁଧବାର ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଲଖନପୁର ବ୍ଲକ କୁଡ଼ାଲୋଇ ଗ୍ରାମର ବିଶିକେସନ କାଲୋ(୬୬), ତାଙ୍କ ପତ୍ନୀ ତପସ୍ବିନୀ କାଲୋ (୫୦) ଓ ପୁତ୍ର ସତ୍ୟନାରାୟଣ କାଲୋ (୨୫)। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ଲୋକ ବହୁ ସମୟ ଧରି ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା। ବେଲପାହାଡ଼ ପୁଲିସ ଟ୍ରେଲରକୁ ଜବତ କରିବା ସହ ଡ୍ରାଇଭର ବିହାରର ଛାପ୍ରା ଜିଲ୍ଲାର ବୈଜୁ କୁମାର (୨୨) ଙ୍କୁ ଗିରଫ କରିଛି। ମୃତକ ମାନେ ବନ୍ଧବାହାଲରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ପୁଅ ସତ୍ୟନାରାୟଣଙ୍କ ଆସନ୍ତା ଜୁନ ମାସ ୨୭ ତାରିଖ ବିବାହ ଥିବାରୁ ସେମାନେ ଜିନିଷପତ୍ର କିଣାକିଣି କରିବା ପାଇଁ ବନ୍ଧବାହାଲରୁ ବେଲପାହାଡ଼ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଟ୍ରେଲର ସେମାନଙ୍କୁ ଧକ୍କା ଦେଇଥିଲା।
ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ବୋଲେରୋ: ୨ ମୃତ, ୭ ଗୁରୁତର
ବାଲେଶ୍ବର : ବୈଶିଙ୍ଗା ଥାନା ଅଧୀନ ବଡକ୍ଷୀରପଦା ନିକଟରେ ଆଜି ଏକ ବୋଲେରୋ(ଓଆର୍-୨୨ଏ-୩୬୪୧) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି।
ମିଳିଥିବା ଖବରରୁ ପ୍ରକାଶ, ଏହି େବାଲେରୋରେ ବୈଶିଙ୍ଗା ଥାନା ମହୁଲପାଟଣା ଓ ରୁପସା ଥାନା ଆଙ୍କ ଅଞ୍ଚଳର କିଛି ଲୋକ ଆଜି ପୂର୍ବାହ୍ନରେ ମାନଗୋବିନ୍ଦପୁରକୁ ଏକ ବାହାଘରର ନିର୍ବନ୍ଧ ପାଇଁ ଯାଉଥିଲେ। ତେବେ ବଡ଼କ୍ଷୀରପଦା ନିକଟରେ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ବୋଲେରୋ ସମ୍ମୁଖରେ ବସିଥିବା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣାର ରାମଚନ୍ଦ୍ର ଦାସ (୬୧) ଓ ରୁପ୍ସା ଥାନା ଅଧୀନ ଆଙ୍କ ଗ୍ରାମର ଡ୍ରାଇଭର ଜ୍ଞାନରଞ୍ଜନ ବେହେରା(୨୫)ଙ୍କ ମୃତ୍ୟୁ ଘଟିଛି। ତେବେ ବୋଲେରୋରେ ଥିବା ପ୍ରଭାକର ବାରିକ(୫୫), ମନୋରଞ୍ଜନ ବାରିକ, ଗୁଣାକର ନାୟକ(୫୦), ତପନ ପରିଡ଼ା(୩୨) ଗୁରୁତର ଆହତ ହୋଇଥିବା ବେଳେ ସନ୍ତୋଷ ଦାସ(୩୨), ରୁକ୍ମିଣୀ ଜେନା(୫୩) ଓ ମନିଷା ଦାସ(୮) ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ହୋଇଥିବା ଲୋକଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ବାଲେଶ୍ବର ଓ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/acc-5.jpg)