ସଡ଼କ ଦୁର୍ଘଟଣାରେ ୫ ମୃତ ଓ ୧୦ ଗୁରୁତର, ମା’ ଆଗରେ ଶିଶୁପୁତ୍ର ଉପରେ ଚଢ଼ିଗଲା ‌ବୋଲେରୋ

ପୁରୁଣାକଟକ/ବୋରିଗୁମ୍ମା/ସୋରଡା: ବୌଦ୍ଧ, କୋରାପୁଟ ଓ ଗଂଜାମ ଜିଲ୍ଲାର ୪ଟି ସ୍ଥାନରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଆଜି ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ସବୁଠାରୁ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା ଘଟିଛି ଗଂଜାମ ଜିଲ୍ଲାର ସୋରଡା ଅଞ୍ଚଳରେ। ଏଠାରେ ମା’ ଆଗରେ ୪ ବର୍ଷର ଶିଶୁ ଉପରେ ଏକ ଦ୍ରୁତଗାମୀ ବୋଲେରୋ ଚଢ଼ିଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ରାଣୀପଥର ଘାଟି ନିକଟସ୍ଥ ପାଣିସାଲ ଠାରେ ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଏକ ଅଟୋ ଦୁର୍ଘଟଣା ଘଟି ୨ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୮ଜଣ ସହଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଏହି ଅଟୋରେ ବସି ଯାତ୍ରୀମାନେ ଫୁଲବାଣୀ ପଟରୁ ଚାରିଛକ ଆଡ଼କୁ ଆସୁଥିବା ବେଳେ ପାଣିସାଲ ଠାରେ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣା ଗସ୍ତ ହୋଇଥିଲା। ଫଳରେ ଏଥିରେ ଥିବା କରଞ୍ଜକଟା ପଞ୍ଚାୟତ ଲୁକାପଡ଼ା ଗ୍ରାମର କୁମାରୀ କହଁର (୫୦) ଏବଂ ଗୁରମାଝୀ (୫୦) ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ୮ଜଣ ଆହତ ହୋଇଥିଲେ। ସୂଚନା ପାଇ ୧୦୮ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗ ପୁରୁଣା ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଦୁଇଟି ସ୍ଥାନରେ ବାଇକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଂଚଳଗୁମ୍ମାର ଶ୍ରୀଛନ୍ଦା ଚରଣ ବିଶୋଇ ନିଜ ବାଇକ ଯୋଗେ ନିଜ ଗ୍ରାମକୁ ଯାଉଥିବା ବେଳେ ଆଉଁଳି ଛକ ନିକଟରେ ଅନ୍ୟ ଏକ ବାଇକକୁ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଓ ପରେ ବିଶାଖାପାଟଣାସ୍ଥିତ ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛନ୍ତି। ଏନେଇ ବୋରିଗୁମ୍ମା ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଲିଖିତ ଦେବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟ ଏକ ବାଇକ ଦୁର୍ଘଟଣା ଟିକବାଲିଗୁଡା ଓ ହରଦଳି ହୋଇଥିଲା। ବୋଡିଗାଁ ପଞ୍ଚାୟତର ଭିତରବଡୀ ଗ୍ରାମର ପର୍ଶୁ ପରଜା ନିଜ ବାଇକ ଯୋଗେ ବୋରିଗୁମ୍ମା ଆସୁଥିବା ବେଳେ ଟିକବାଲିଗୁଡା ଓ ହରଦଳି ଗ୍ରାମ ମଧ୍ୟରେ ନିୟନ୍ତ୍ରଣ ହରାଇ ତଳେ ପଡି ଯାଇଥିଲେ। ତାଙ୍କୁ ଗୁରୁତର ଭାବେ ପ୍ରଥମେ ବୋରିଗୁମ୍ମା ସିଏଚ୍‌ସି ପରେ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପର୍ଶୁଙ୍କ ମୃତୁ ହୋଇଥିବା ପୁଲିସ ସୂଚନା ଦେଇଛନ୍ତି।

ସେହିପରି ଗଂଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତଲିଙ୍ଗି ଗାଁ ନିକଟରେ ବୋଲେରୋ ଧକ୍କାରେ ଜଣେ ୪ ବର୍ଷର ଶିଶୁ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମା’- ଝିଅ ଗୁରୁତର ଆହତ ହୋଇଛନ୍ତି। ମା ନିଜର ଦୁଇ ଝିଅ ପୁଅଙ୍କ ସହିତ ପାର୍ଥନା କରିବା ପାଇଁ ଚର୍ଚ୍ଚକୁ ଯିବା ସମୟରେ ଆମ୍ବ ତୋଟା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବୋଲର ମା’-ଝିଅ ସହ ଶିଶୁ ପୁତ୍ରକୁ ଧକ୍କା ଦେଇଥିଲା। ଫଳରେ ଶିଶୁ ପୁତ୍ରଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଗୁରୁତର ମା’ ଏବଂ ଝିଅଙ୍କୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗୁରୁତର ହେତୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଛି। ଅନ୍ୟପଟେ ବୋଲେରୋ ଚାଳକକୁ ଅଟକ ରଖି ସୋରଡ଼ା ଥାନାଧିକାରୀ ରମେଶ କୁମାର ପ୍ରଧାନ ତଦନ୍ତ  ଜାରି ରଖିଛନ୍ତି।

 

ସମ୍ବନ୍ଧିତ ଖବର