ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ ‘ଅକ୍ଷୟଶୀଳା’, ୨ ବର୍ଷରେ ଗଲାଣି ୫ ଜୀବନ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ଅକ୍ଷୟଶୀଳା ପର୍ଯ୍ୟଟନସ୍ଥଳୀ ସୁନ୍ଦରଗଡ଼ର ଅନ୍ୟତମ ଆକର୍ଷଣ। ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନଥିଲେ ହେଁ ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ ଓ ଝରଣାର ମନୋରମ ଦୃଶ୍ୟ କେବଳ ସୁନ୍ଦରଗଡ଼ ନୁହେଁ ଝାଡ଼ଖଣ୍ଡର ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣୁଛି। ପର୍ଯ୍ୟଟନ ଋତୁ ଆରମ୍ଭ ହେଲେ ଶହ ଶହ ପର୍ଯ୍ୟଟଙ୍କ ଭିଡ଼ ଜମୁଛି। ଗାଧାଉଥିବାବେଳେ ଅସାବଧାନତାରୁ ଅନେକଙ୍କ ଜୀବନ ଯାଉଛି। ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ଓ ଝାଡ଼ଖଣ୍ଡର ୫ ପର୍ଯ୍ୟଟକଙ୍କର ଜୀବନ ଯାଇଛି। ଏହା ସତ୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଉ ଯାଉନି। ବରଂ ପର୍ଯ୍ୟଟନସ୍ଥଳୀକୁ ବୁଲିଯିବାକୁ ରାସ୍ତା ପାର୍ଶ୍ବରେ ବଡ ବଡ ନାମ ଫଳକ ଲଗାଇ ଦିଆଯାଇଛି। ବଣଭୋଜି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତିବର୍ଷ ନଭେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଛି।

ରାଉରକେଲାରୁ ୨୨ କି.ମି. ଓ ବିଶ୍ରା ବ୍ଲକ ଟାଉନ୍‌ରୁ ମାତ୍ର ୭ କି.ମି. ଦୂରରେ ଏହି ପର୍ଯ୍ୟଟନସ୍ଥଳୀ ଅବସ୍ଥିତ। ପର୍ଯ୍ୟଟକମାନେ ବିଶ୍ରା, ଜରେଇକେଲା, କୁଣ୍ଡାପୋଷ, ବାଙ୍ଗରୁକେଲା, ତେତେରକେଲା, ଝିରପାଣି, ଜବାଘାଟ କୋଏଲନଦୀ ପାର୍ଶ୍ବ ଦେଇ ଅକ୍ଷୟଶୀଳରେ ପହଞ୍ଚିଥାନ୍ତି। ଅକ୍ଷୟଶୀଳାର ଗଭୀର ପାଣି ପ୍ରତିବର୍ଷ ପ୍ରାୟ ୨ରୁ ଅଧିକ ପର୍ଯ୍ୟଟକଙ୍କ ଜୀବନ ନେଉଛି। ସୁରକ୍ଷା ବ୍ୟବସ୍ଥା କରାଯିବା ପର୍ଯ୍ୟନ୍ତ ଏହି ପର୍ଯ୍ୟଟନସ୍ଥଳୀକୁ ବନ୍ଦ ରଖିବାକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଛନ୍ତି। ଅନେକ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକ ପର୍ଯ୍ୟଟନସ୍ଥଳକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବାରଣ କରିଛନ୍ତି। ଏହା ସତ୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ‌ପର୍ଯ୍ୟଟନ ଋତୁରେ ସୁରକ୍ଷା ପାଇଁ ପୁଲିସ ମୁତୟନ କରାଯିବା ସହ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର