ଦୁର୍ଘଟଣାରେ ୫ ଜୀବନ ଚାଲିଗଲା : କେନ୍ଦୁଝରରେ ସୀମାରେ ୩, ଅଡଶପୁରରେ ୨

ବଡ଼ବିଲ : କେନ୍ଦୁଝର ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲା ନୂଆମୁଣ୍ଡି ଥାନା ଅନ୍ତର୍ଗତ କୁଟିଙ୍ଗତା ଗ୍ରାମ ଏବଂ କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଫାଣ୍ଡି ଅଧୀନ ଏରଞ୍ଚ-କୂଳଶ୍ରୀ ଦେବୀ ନଦୀବନ୍ଧର କୂଳଶ୍ରୀ ଗ୍ରାମ ନିକଟରେ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ପାଖ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। କେନ୍ଦୁଝର ସୀମାରେ ଘଟିଥିବା ଦୁର୍ଘଟଣାରେ ମୃତ ରବିନାରାୟଣ ମହାପାତ୍ର ବଡ଼ବିଲ ବିଦ୍ୟୁତ ବିଭାଗରେ ଚାକିରି କରୁଥିଲେ। ଆଜି ସେ ପରିବାର ସହିତ ନିଜ ଘର ଷଢେଇକଳାରୁ ବଡ଼ବିଲକୁ ଫେରୁଥିବାବେଳେ ସେମାନଙ୍କ କାର୍‌ ସହିତ ଏକ ହାଇଓ୍ଵା ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ, ବିନାରାୟଣ (୫୬ ବର୍ଷ), ପତ୍ନୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ର(୫୦ ବର୍ଷ) ଓ ଦେଢ ବର୍ଷର ନାତୁଣୀ ଫାଲ୍‌ଗୁନି ପଣ୍ଡାର ଘଟଣାସ୍ଥଳରେ ମୃୃତ୍ୟୁ ହୋଇଥିଲା। ତାଙ୍କ ଝିଅ ସୋନି ମହାପାତ୍ର, ଜ୍ୱାଇଁ ରାହୁଲ୍‌ ପଣ୍ଡା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସେହିଭଳି, କୁଳଶ୍ରୀ ଗ୍ରାମରେ ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ଗୋବିନ୍ଦପୁର ଥାନା ଉତ୍ତାରଣ ପଞ୍ଚାୟତ ଭୋଗେଶ୍ୱର ଗ୍ରାମର ପ୍ରକାଶ ଭୋଇଙ୍କ ଏକମାତ୍ର ପୁଅ ବିକାଶ(୧୭) ଓ ବିଚିତ୍ର ଭୋଇଙ୍କ ପୁଅ କାଳିଆ(୧୬) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଅଡ଼ଶପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର