ପିକ୍‌ନିକ୍‌ ନେଲା ୫ ଜୀବନ

ଦୁର୍ଘଟଣାରେ ୪, ଭାସିଗଲେ ଜଣେ; ଭୁବନେଶ୍ବରର ୧୭ ଯାତ୍ରୀ ଆହତ, ୪ ଗୁରୁତର

କଟକ/ଢେଙ୍କିକୋଟ/ଘଟଗାଁ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣା ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି, ସେଲ୍‌ଫି ନେଉଥିବା ସମୟରେ ଭୀମକୁଣ୍ଡରେ ଭାସି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି।

କଟକ ଜିଲ୍ଲା କିଶନନଗର ଥାନା କମରପଦା ନିକଟରେ ଘଟିଥିବା ଦୁର୍ଘଟଣାରେ ପିକ୍‌ନିକ୍‌ ବସ୍‌ ସହିତ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ଭୁବନେଶ୍ବର ନିଳାଦ୍ରୀବିହାର ଅଞ୍ଚଳରେ ରହୁଥିବା ୧୫ଟି ପରିବାରର ୬୫ଜଣ ସଦସ୍ୟ ଥିଲେ। ସେମାନେ ପାରାଦୀପ, ଗୋରଖନାଥ ମନ୍ଦିର ଏବଂ ସାରଳା ପୀଠ ବୁଲିବାକୁ ଯାଉଥିବାବେଳେ ଏକ ହାଇୱା ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟ୍ରକ୍‌ର ଚୌଦ୍ୱାର କେଦାରେଶ୍ୱର ଗ୍ରାମର ମଳୟ ବେହେରା(୩୨) ଓ ହେଲପର୍‌ ନୟାଗଡ଼ ମାଳିସାହିର ଜ୍ଞାନ ସାହୁ ( ୨୮)ଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ, ସୋମନାଥ ବେହେରା(୨୦), ସଂଯୁକ୍ତା ସାହୁ(୫୪), ମୁନା ନାୟକ(୧୮), ଶିଶିର ଦେହୁରୀ(୧୮), ମନୋରମା ଦେହୁରୀ(୪୫), ବାସନ୍ତୀ ବେହେରା(୩୯), ଲିଲି ବେହେରା(୧୨), ରୁବିନା ବେହେରା(୧୪), ମଞ୍ଜୁ ନାୟକ(୫୦), ସୀମା ନାୟକ(୧୬), ଭିକାରୀ ବେହେରା(୪୫), ହରିହର ସାହୁ(୫୩), ରବି ନାୟକ(୫୦)ଓ ସଂଗ୍ରାମ କେଶରୀ(୩୦)। ତେବେ, ଭୁବନେଶ୍ୱର ନିଳାଦ୍ରୀବିହାରର ଗୋଟିଏ ପରିବାରର ସନ୍ତୋଷ ମାଟି(୪୫), ପତ୍ନୀ ରୀନା(୨୮) ଏବଂ ଦୁଇ ପୁଅ ରଂଜନ ଓ ଚନ୍ଦନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ସେହିଭଳି, ଅସଂପୂର୍ଣ୍ଣ ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ୨ଜଣ ପ୍ରାଣ ହରାଇଛନ୍ତି। ସାନଘାଘରାରୁ ପିକ୍‌ନିକ୍‌ ସାରି ଗୋଟିଏ ପରିବାର ଟାଭେରାରେ ଆସୁଥିବାବେଳେ ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ, ତିଳୋତ୍ତମା ସୁନ୍ଦରାୟ (୪୫) ଓ ସ୍ମୃତିରଂଜନ ସୁନ୍ଦରାୟ (୨୫)ଙ୍କ ମୃତ୍ୟୁ ହୋଇଛି। ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ, ସେଲ୍ଫି ଉଠାଇବାର ନିଶା ପୁଣି ଏକ ଜୀବନକୁ ଅନ୍ଧକାର ଭିତରକୁ ଠେଲିନେଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ର ଭୀମକୁଣ୍ଡରେ ଆଜି ଜଣେ ଯୁକ୍ତ ୨ ଛାତ୍ର ବୁଡ଼ିଯାଇଛନ୍ତି। ନିଖୋଜ ଛାତ୍ରଙ୍କ ନାମ ରୋହନ କୁମାର ମିଶ୍ର (୧୮)। ସେ କଟକ ମଧୁପାଟଣାର ଏକ ଘରୋଇ ସ୍କୁଲ୍‌ରେ ଯୁକ୍ତ ୨ ବିଜ୍ଞାନ ପଢ଼ୁଥିଲେ। ତାଙ୍କ ଘର କଟକ, ମଧୁପାଟଣା ଥାନା ନୂଆପଡ଼ା ଲେବର କଲୋନିରେ ବୋଲି ଜଣାପଡ଼ିଛି।

ବର୍ତ୍ତିଲେ ୭୫

ରା.ଉଦୟଗିରି : ଆଜି ସୋରଡ଼ାରୁ ଗଜପତି ଜିଲ୍ଲାର ଗଣ୍ତାହାତୀ ଯାଉଥିବା ଏକ ପିକ୍‌ନିକ୍‌ ବସ୍‌ ବଡ଼ପଦା ଠାରୁ ୬କିମି. ଦୂର ମାର୍ଲବା ଘାଟିରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଛି। ଫଳରେ ଦୁଇ ଛାତ୍ରୀ ସାଗରିକା ଗୌଡ଼ ଓ ସଞ୍ଜନୀ ଗୌଡ଼ ଗୁରୁତର ଆହତ ହୋଇଛନ୍ତି। ୭୫ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୋରଡ଼ାର ବିଦ୍ୟାଜ୍ୟୋତି କୋଚି˚ ସେଣ୍ଟରରୁ ୬୫ଜଣ ଛାତ୍ରଛାତ୍ରୀ ଓ ୧୦ଜଣ ଶିକ୍ଷକଙ୍କୁ ନେଇ ବସ୍‌ଟି ଆଜି ଗଜପତି ଜିଲ୍ଲାର ଗଣ୍ତାହାତୀ ପିକ୍‌ନିକ୍‌ ସ୍ପଟ୍‌କୁ ଯାଉଥିଲା। ତେବେ ଅଚାନକ ମାର୍ଲବା ଘାଟିରେ ବ୍ରେକ୍‌ଫେଲ୍‌ ହେବାରୁ ଡ୍ରାଇଭର ଦେବ ଗୁଡାଗ୍ରାମ ପୂର୍ବରୁ ଏସ୍‌ ଟର୍ଣ୍ଣି˚ ନିକଟରେ ଡାହାଣପଟେ ଥିବା ପାହାଡ଼ ନିକଟସ୍ଥ ପଥର ଦେହରେ ଧକ୍କା ଦେଇଥିଲେ। ଫଳରେ, ଗାଡ଼ିଟି ଡାହାଣପଟକୁ ଢଳି ଯାଇଥିଲା। ଏବଂ, ୭୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଅଳ୍ପକେ ବର୍ତ୍ତି ଯାଇଥିଲେ। ବାମପଟକୁ ବସଟି ଢଳିଥାନ୍ତା ତା’ ହେଲେ କାହାରି ପତ୍ତା ମିଳିନଥାନ୍ତା।

ସମ୍ବନ୍ଧିତ ଖବର